ରାଉରକେଲା: ଦୁର୍ବୃତ୍ତମାନେ ଏସ୍ଏଚ୍ଜି ମହିଳାଙ୍କ ସ୍କୁଟି ଡିକି ଭାଙ୍ଗି ୪ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଆଜି ଅପରାହ୍ନ ପ୍ରାୟ ୩ଟାରେ ଆମ୍ବାଗନ୍ ଫୁଡ୍କୋର୍ଟ ପାର୍ଶ୍ବରେ ଏମିତି ଘଟଣା ଘଟିଛି।
ଏସ୍ଏଚ୍ଜି ମହିଳା ରଶ୍ମି ବଡାଇଙ୍କ ଲିଖିତ ଅଭିଯୋଗ ଆଧାରରେ ସେକ୍ଟର-୧୯ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସେକ୍ଟର-୭ ପାହାଡ଼ପୁର ବସ୍ତିରେ ‘ପ୍ରାଚୀ’ ନାମରେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ରହିଛି। ଏସ୍ଏଚ୍ଜି ଗ୍ରୁପର ରଶ୍ମୀ ବଡାଇକ, ସନ୍ତୋଷିନୀ କୁମାରୀ ଓ ମୁନୁ ରେନ୍ ସାଢ଼େ ୪ ଲକ୍ଷ ଟଙ୍କା ଋଣ ଆଣିବାକୁ ସେକ୍ଟର-୧୯ସ୍ଥ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ଆସିଥିଲେ। ରଶ୍ମି ନିଜ ସ୍କୁଟି (ଓଡି୧୪ଜି-୫୧୨୧) ଘରୁ ବାହାରିଥିଲେ। ଅନ୍ୟ ଦୁଇଜଣ ସ୍କୁଟିରେ ଆସି ବ୍ୟାଙ୍କରେ ପହଞ୍ଚିଥିଲେ। ବ୍ୟାଙ୍କରୁ ସାଢ଼େ ୪ ଲକ୍ଷ ଋଣ ନେବା ପରେ ସନ୍ତୋଷିନୀ ଓ ମୁନୁ ଅଟୋରେ ଘରକୁ ଚାଲିଯାଇଥିଲେ। ରଶ୍ମୀ ବ୍ୟାଗ୍ରେ ସାଢ଼େ ୪ ଲକ୍ଷ ଟଙ୍କା ଭର୍ତ୍ତି କରି ସ୍କୁଟିରେ ରଖିଥିଲେ। ଘରକୁ ଗୁପ୍ଚୁପ୍ ନେବାକୁ ଆମ୍ବାଗାନ୍ ଫୁଡ୍ କୋର୍ଟକୁ ଆସିଥିଲେ। ସ୍କୁଟି ରଖି ଫୁଡ୍କୋର୍ଟ ଭିତରକୁ ଗୁପ୍ଚୁପ୍ ଆଣିବାକୁ ଯାଇଥିଲେ। ଗୁପ୍ଚୁପ୍ ଧରି ସ୍କୁଟି ପାଖରେ ପହଞ୍ଚି ଡିକି ଭଙ୍ଗାଯାଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡିକିରେ ଟଙ୍କା ବ୍ୟାଗ୍ ନ ଥିବା ଦେଖି ରଶ୍ମି ପାଟି କରିଥିଲେ। ସ୍ଥାନୀୟ ଲୋକ ପହଞ୍ଚି ଲୁଟେରାଙ୍କ ପିଛା କରିଥିଲେ ହେଁ ପାଇନଥିଲେ। ଶେଷରେ ରଶ୍ମି ସେକ୍ଟର-୧୯ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ।