କଟକ : ବାଲିଯାତ୍ରା ପ୍ରସ୍ତୁତି ଆଳରେ ଅର୍ଥ ହରିଲୁଟ୍ କରିବା ପାଇଁ ଆର୍‌ ଆଣ୍ଡ୍‌ ବି ଓ କଟକ ପୌର ନିଗମ ମଧ୍ୟରେ ଅଲିଖିତ ବୁଝାମଣା ହେଇଥିଲା କି? ବାଲିଯାତ୍ରା ଭିତ୍ତିଭୂମି ପ୍ରସ୍ତୁତି ପାଇଁ ହୋଇଥିବା ଖର୍ଚ୍ଚ ସଂକ୍ରାନ୍ତରେ ଯେତିକି ଯେତିକି ନୂଆ ତଥ୍ୟ ସାମନାକୁ ଆସୁଛି, ସେତିକି ସେତିକି ଦୁର୍ନୀତିର ଫର୍ଦ୍ଦ ଲମ୍ବି ଚାଲିଛି। ଉଭୟ କଟକ ପୌର ନିଗମ ଏବଂ ଆର୍‌ ଆଣ୍ଡ୍‌ ବି ସମାନ କାମ ପାଇଁ ଅର୍ଥ ବ୍ୟୟ କରିଥିବା ଭଳି ଚକିତ କଲା ତଥ୍ୟ ଏବେ ସାମନାକୁ ଆସିଛି। ଆର ଆଣ୍ଡ ବି ଜିଲ୍ଲା ପ୍ରଶାସନ ଅଧୀନରେ ରହି କାର୍ଯ୍ୟ କରିଥିବା ବେଳେ ପୌର ନିଗମ ସ୍ବତନ୍ତ୍ର ଭାବେ ଏହି କାମ କରିଛି।

Advertisment

ଚକିତ କଲା ଭଳି ପ୍ରସଙ୍ଗ ହେଉଛି ଯେ ମହାନଦୀ ରିଂ ବନ୍ଧରୁ ମହାନଦୀ କୂଳ ମଧ୍ୟରେ ବ୍ୟାପି ରହିଥିବା ବାଲିଯାତ୍ରା ତଳ ପଡ଼ିଆକୁ ବାଲିଯାତ୍ରା ପାଇଁ ପ୍ରସ୍ତୁତ କରିବା ଦର୍ଶାଇ ଉଭୟ ବିଭାଗ ଏହି ଅର୍ଥ ଖର୍ଚ୍ଚ କରିଛନ୍ତି। ଏବଂ ଏହି କାମରେ ରହିଛି ବାଲି ବିଛାଇବା, ମୋରମ୍ ପକାଇବା ଆଉ ରାସ୍ତା ତିଆରି କରିବା ଭଳି ସମାନ ଧରଣର କାମ। ଆର ଆଣ୍ଡ୍ ବି ସଂପୂର୍ଣ୍ଣ କାମକୁ ୭ଟି ଭାଗରେ ବିଭକ୍ତ କରି ଟେଣ୍ଡର ଆହ୍ବାନ କରିଥିଲା। ଏଥିପାଇଁ ବ୍ୟୟ ଅଟକଳ କରିଥିଲା ୨ କୋଟି ୬୧ ଲକ୍ଷ ୬୮ ହଜାର ୧୩୩ ଟଙ୍କା। ଏବଂ କଟକ ପୌର ନିଗମ ଏହି ସମାନ କାମ ପାଇଁ ଖର୍ଚ୍ଚ କଲା ୧ କୋଟି ୬୦ ଲକ୍ଷ ଟଙ୍କା। ଲୋକଙ୍କ ଆଖିରେ ଆଙ୍ଗୁଠି ‌ଗେଞ୍ଜି ଏଭଳି ସମ୍ଭବ ହେଲା କେମିତି? ଅର୍ଥାତ ଯେଉଁ ମୁଣ୍ଡା ସାହି, ଜାଇକା, ତାନ୍ତିଆ ୱାର୍କସପ୍ ପଛ, ବୋଟିଂ କଂପ୍ଲେକ୍ସ ନିକଟ, ଜଷ୍ଟିସ୍ କ୍ବାର୍ଟର ସାମନା, କ୍ୟାଣ୍ଟନମେଣ୍ଟ ଥାନା ସାମନା ଓ ଓରମାସ ଅଞ୍ଚଳ, ଇକୋ ରିଟ୍ରିଟ୍ ପାଖ ଅଞ୍ଚଳରେ ବାଲି ଓ ମୋରମ୍ ପକାଇବା ସହ ରାସ୍ତା ତିଆରି କରିବାକୁ ଆର୍‌ ଆଣ୍ଡ୍‌ ବି ୨ କୋଟି ୬୧ ଲକ୍ଷ ୬୮ ହଜାର ୧୩୩ ଟଙ୍କା ଖର୍ଚ୍ଚ କଲା, ସେହି ସେହି ଅଞ୍ଚଳରେ କଟକ ପୌର ନିଗମ ବାଲି ପକା, ମୋରମ ବିଛା, ରାସ୍ତା ତିଆରିରେ କୋଟିଏ ୬୦ ଲକ୍ଷ ଟଙ୍କା ବ୍ୟୟ କଲା କେମିତି?

publive-image

ଦୁଇଟି ବିଭାଗର ଏଭଳି ଖର୍ଚ୍ଚ ଗୋଟିଏ ପଟେ ଚକିତ କରୁଥିବା ବେଳେ କାମ ବଣ୍ଟନରେ ପ୍ରିୟାପ୍ରୀତି ଏହି ଦୁର୍ନୀତି ଅଭିଯୋଗକୁ ଅଧିକ ହାୱା ଦେଇ ଚାଲିଛି। ଆର୍ ଆଣ୍ଡ୍ ବି ଗୋଟିଏ ପଟେ ଏଭଳି ଖର୍ଚ୍ଚ ଦେଖାଇ ଚାଲିଥିବା ବେଳେ ସେହି ବିଭାଗରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ କୁମାର ବେହେରା ଓ ତାଙ୍କ ପରିବାର ଆଉ ସଂପର୍କୀୟଙ୍କ ପ୍ରତି ଆଙ୍ଗୁଳି ଉଠିଛି। ଇଂଜିନିୟର ବେହେରାଙ୍କ ପତ୍ନୀ ହେଉଛନ୍ତି ୧୬ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ଲକ୍ଷ୍ମୀପ୍ରିୟା ବେହେରା। ଅକ୍ଷୟ-ଲକ୍ଷ୍ମୀପ୍ରିୟାଙ୍କ ସଂପର୍କୀୟ କଟକ ପୌର ନିଗମ ବାଣ୍ଟି ଥିବା କାମର ସିଂହଭାଗ ହାତେଇଛନ୍ତି। ଏପଟେ ସେହି କାମ ପାଇଁ ଆର୍ ଆଣ୍ଡ୍ ବି ବି ଟଙ୍କା ଖର୍ଚ୍ଚ କରିଛି।

ଯଦି ବାଲିଯାତ୍ରା ତଳ ପଡ଼ିଆକୁ ବାଲିଯାତ୍ରା ପାଇଁ ପ୍ରସ୍ତୁତ କରିବାକୁ ଦୁଇ ବିଭାଗର ଖର୍ଚ୍ଚକୁ ମିଶାଇ ଦିଆଯାଏ ତେବେ ଏହି ପରିମାଣ ପହଞ୍ଚୁଛି ୪ କୋଟି ୨୦ ଲକ୍ଷ ଟଙ୍କାରେ। ଏବଂ ଏହି ଖର୍ଚ୍ଚ ସହ ୪ ମାସ ତଳେ ଆର୍ ଆଣ୍ଡ ବି ସେହି ତଳ ପଡ଼ିଆରେ ବାରବାଟୀ କ୍ରିକେଟ ମ୍ୟାଚର ପାର୍କିଂ ପ୍ଲେସ ନିର୍ମାଣ ପାଇଁ କରିଥିବା ଖର୍ଚ୍ଚକୁ ମିଶାଇ ଦେଲେ ବାଲି, ‌ମୋରମ୍, ରାସ୍ତା ତିଆରି ଖର୍ଚ୍ଚ ୬ କୋଟି ଟଙ୍କାକୁ ଛୁଇଁ ଯାଉଛି। ଜୁନ୍ ମାସରେ ପାର୍କିଂ ପ୍ଲେସ୍ ନିର୍ମାଣ ପାଇଁ ଆର୍ ଆଣ୍ଡ୍ ବି ସେହି ତଳ ପଡ଼ିଆରେ ୧ କୋଟି ୭୬ ଲକ୍ଷ ୯୦ ହଜାର ୧୩୪ ଟଙ୍କା ଖର୍ଚ୍ଚ କରିଥିଲା।

ଗୋଟିଏ ପଟେ ଯେଉଁ ବାଲିଯାତ୍ରା ପଡ଼ିଆକୁ ପ୍ରସ୍ତୁତ କରିବା ପାଇଁ ବାଲିଯାତ୍ରା ପୂର୍ବରୁ ଏଭଳି ଢଙ୍ଗରେ ସରକାରଙ୍କ ଦୁଇଟି ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ସେହି ପଡ଼ିଆରେ ଯେଭଳି ଧୂଳି ନ ଉଡିବ, ସେଥିପାଇଁ କଟକ ପୌର ନିଗମ ଖର୍ଚ୍ଚ କରିଛି ୧୯ ଲକ୍ଷ ୨୪ ହଜାର ୫୧୨ ଟଙ୍କା। ଧୂଳି ମୁକ୍ତ ବାଲିଯାତ୍ରା ପାଇଁ କେମିକାଲ ସିଞ୍ଚନ କରିବାକୁ ବ୍ରେଥ୍ ଗ୍ରିନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଓ ମେସର୍ସ ୟୁନିସନ୍ ସ‌ିକ୍ୟୁରିଟି ଆଣ୍ଡ୍ ଇଣ୍ଟର ଆଲିଆ ସର୍ଭିସେସ୍ ଭଳି ଦୁଇଟି ସଂସ୍ଥା ୧୭ ଲକ୍ଷ ୩୫ ହଜାର ୧୨୫ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହା ବ୍ୟତୀତ ଟ୍ରାକ୍ଟରରେ ପାଣି ସିଞ୍ଚନ ପାଇଁ ମେହେରାଜ ମହମ୍ମଦ ନାମକ ଜଣେ ବ୍ୟକ୍ତି ୧ ଲକ୍ଷ ୮୯ ହଜାର ୩୮୭ ଟଙ୍କାର କାମ କରିଛନ୍ତି।

ଏଭଳି ଆଖିଖୋସା ଖର୍ଚ୍ଚ, ଜଳଜଳ ଦୁର୍ନୀତିର ତଥ୍ୟ ପ୍ରମାଣ ସମସ୍ତଙ୍କ ସାମନାରେ ରହିଥିବା ବେଳେ ଏଯାଏ ଏହାର ତଦନ୍ତ ନିର୍ଦ୍ଦେଶ ଦେବାକୁ କର୍ତ୍ତୃପକ୍ଷ କାହିଁକି ପଛଘୁଞ୍ଚା ଦେଉଛନ୍ତି, ତାହା ଏବେ ସନ୍ଦେହର କାରଣ ହୋଇଛି।