୪କୋଟି ଟଙ୍କାର ଧାନକିଣା ଦୁର୍ନୀତିର ପର୍ଦ୍ଦାଫାସ ଘଟଣା: କାର୍ଯ୍ୟାନୁଷ୍ଠାନ ପାଇଁ କୁନ୍ଥକୁନ୍ଥ କାହିଁକି?

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଏଆରସିଏସ୍‌ଙ୍କ ଫୁ , କାର୍ଯ୍ୟାନୁଷ୍ଠାନ ବଦଳରେ ‌କାରଣଦର୍ଶାଅ ପାଇଁ ମସୁଧା

ଯାଜପୁର: ୪କୋଟି ଟଙ୍କା ଧାନକିଣା ଦୁର୍ନୀତି ଘଟଣାର ପର୍ଦ୍ଦାଫାସ୍‌ ହୋଇଥିଲେ ବି ଏପର୍ଯ୍ୟନ୍ତ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କ ସମବାୟ ବିଭାଗ କଡ଼ା ନିର୍ଦ୍ଦେଶ ଦେଇଥିଲେ। ମାତ୍ର, ଯାଜପୁର ଏଆର୍‌ସିଏସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଇ ଚାଲିଛନ୍ତି। ତେବେ ରାଜ୍ୟସ୍ତରୀୟ ସ୍କ୍ବାଡ୍‌ର ତଦନ୍ତବେଳେ ବଡ଼ଧରଣର ଜାଲିଆତି ଧରାପଡ଼ିବା ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ବିଭାଗୀୟ ଅଧିକାରୀ କୁନ୍ଥକୁନ୍ଥ କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତ ମାର୍ଚ୍ଚ ୩ ତାରିଖରେ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶକ୍ରମେ ଯୋଗାଣ ବିଭାଗର ତଦନ୍ତକାରୀ ଦଳ , ଜିଲ୍ଲା ଯୋଗାଣ ଅଧିକାରୀ ଓ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ (ଏଆରସିଏସ ) ପ୍ରମୁଖଙ୍କୁ ସାଙ୍ଗରେ ନେଇ ଧାନମଣ୍ଡିରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ବ୍ୟାପକ ଜାଲିଆତି ଧରାପଡ଼ିଥିଲା। ୧୦ ଜଣ ପ୍ୟାକ୍ସ ସମ୍ପାଦକ ଓ ଗୋଟିଏ ମହିଳା ଏସଏଚ୍‌ଜିର ମଣ୍ଡିରେ କେବଳ କାଗଜପତ୍ରରେ କିଣାବିକା ହୋଇଥିଲା। ଚାଷୀମାନଙ୍କଠାରୁ ଧାନ ନ କିଣି କାଗଜପତ୍ରରେ (ପେପର ଟ୍ରାଞ୍ଜାକସନ୍)୨୦ହଜାର ୬୯୭କୁଇଣ୍ଟାଲ ଧାନ କିଣାଯାଇଥିବା ଦେଖାଇଥିଲେ। ଏହି ଧାନର ମୂଲ୍ୟ ୪ କୋଟି ଟଙ୍କାରୁ ଅଧିକ। ଏ ନେଇ ସମ୍ପୃକ୍ତ ସମ୍ପାଦକମାନେ ତଦନ୍ତ ବେଳେ ସ୍ଵୀକାର କରିବା ସହିତ ଲିଖିତ ଭାବେ ତଦନ୍ତକାରୀ ଟିମ୍‌ଙ୍କୁ ଜଣାଇଥିଲେ। ଯୋଗାଣ ବିଭାଗ ଜାଲିଆତି କରି ଧରାପଡ଼ିଥିବା ୧୦ ପ୍ୟାକ୍ସ ଓ ଗୋଟିଏ ମହିଳା ଏସଏଚ୍‌ଜିର କର୍ମକର୍ତ୍ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସମବାୟ ବିଭାଗକୁ ଚିଠି ଲେଖିଥିଲେ। ସମବାୟ ବିଭାଗର ଆରସିଏସ୍‌ ମଧ୍ୟ ଗତ ମାସ ୧୩ତାରିଖରେ ଯାଜପୁର ଏଆରସିଏସ୍‌ ଶରତ ଚନ୍ଦ୍ର ମଲ୍ଲିକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଅତି ଜରୁରୀଦର୍ଶାଇ ୧୫ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ କହିଥିଲେ। ଆରସିଏସ୍‌ଙ୍କ ଦ୍ବାରା ଧାର୍ଯ୍ୟ ସମୟ ସୀମା ଗତ ୨୮ତାରିଖରୁ ଶେଷ ହୋଇଗଲାଣି। ଅଥଚ ଯାଜପୁର ଏଆର୍‌ସିଏସ ଶ୍ରୀ ମଲ୍ଲିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଇଚାଲିଛନ୍ତି। ତେବେ, ଦୁର୍ନୀତି ଧରାପଡ଼ିଥିବା ପ୍ୟାକ୍ସଗୁଡ଼ିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ଚିନ୍ତା କରାଯାଉଛି ବୋଲି ଏଆରସିଏସ ଶ୍ରୀ ମଲ୍ଲିକ କହିଛନ୍ତି।

ଅନ୍ୟପକ୍ଷ‌ରେ, କାର୍ଯ୍ୟାନୁଷ୍ଠାନ ବଦଳରେ କୈଫିୟତ ତଲବ କରଯିବାକୁ ନେଇ ନାନା ପ୍ରଶ୍ନ ଉଠୁଛି। ଜିଲ୍ଲାରେ ଧାନ କିଣାରେ ବ୍ୟାପକ କେଳେଙ୍କାରୀ ହେଉଥିବା ନେଇ ପ୍ୟାକ୍ସ ସମ୍ପାଦକମାନଙ୍କ ନାମରେ ପୁଳା ପୁଳା ଅଭିଯୋଗ ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କର୍ଣ୍ଣପାତ କରୁନଥିଲା। ତଦନ୍ତ ସମୟରେ ଧରାପଡ଼ିଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯାଉନାହିଁ। ଫଳରେ, ଧାନକିଣାରେ ଅସାଧୁମେଣ୍ଟର ଚେର କେତେ ଭିତରକୁ ମାଡ଼ିଛି ଏଥିରୁ ଅନୁମାନ କରାଯାଇପାରେ।

ସମ୍ବନ୍ଧିତ ଖବର