ରାୟଗଡା: ଗତ ଜୁଲାଇ ୩୧ ତାରିଖ ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ସିକରପାଇ ପଞ୍ଚାୟତ ଅନ୍ତର୍ଗତ ଉପରସଜା ଗ୍ରାମରେ ଘଟିଥିବା ଏକ ମର୍ମନ୍ତୁଦ ଘଟଣାରେ ୫ ଜଣଙ୍କର ଅକାଳରେ ଜୀବନ ଚାଲିଯାଇଥିଲା। ସକାଳୁ ସକାଳୁ ଉପର ସାଜା ଗ୍ରାମର ଲକ୍ଷ୍ମୀଧର ମିନିୟାକ(୫୦) ନିଜ ୫ବର୍ଷର ପୁଅ ପ୍ରିନ୍ସ ମିନିୟାକାଙ୍କ ସହ ସାଥିରେ ଗ୍ରାମର ରାଜୁ ମିନିୟାକଙ୍କ ୮ ବର୍ଷର ପୁଅ ଚରଣ ମିନିୟାକା ଓ ସୁମନ ମିନିୟାକା ଏବଂ ରମେଶ କୁଲେସିକାଙ୍କ ୫ ବର୍ଷର ପୁଅ ମନୋଜ କୁଲେସିକା ତଥା ଏଲିଗା ମିନିୟକାଙ୍କ ୬ ବର୍ଷୀୟ ପୁଅ ଅନେଶ ମିଶି ଗାଧୋଇବାକୁ ଆସିଥିଲେ। ଜାପିଙ୍ଗ ନାଳ ପ୍ରଖର ସ୍ରୋତରେ ସମସ୍ତେ ଗାଧେଇବା ବେଳେ ହଠାତ ନିର୍ମାଣଧୀନ କଲଭର୍ଟର ତଳେ ଦିଆଯାଇଥିବା ସେଣ୍ଟ୍ରିଙ୍ଗଟି ଭୁଶୁଡ଼ି ପଡ଼ି ସମସ୍ତଙ୍କ ଉପରେ ସେଣ୍ଟ୍ରିଂ ଚାପି ହୋଇଯାଇଥିଲା। ଘଟଣା ସ୍ଥଳରେ ହିଁ ଲକ୍ଷ୍ମୀଧରଙ୍କ ସମେତ ପ୍ରିନ୍ସ, ଚରଣ, ସୁମନ, ମନୋଜଙ୍କ ମୃତ୍ୟୁ ଘଟିଥିବା ବେଳେ ସାମାନ୍ୟ ଆହତ ହୋଇ ଅନେଶ ବର୍ତ୍ତି ଯାଇଥିଲେ।
ତେବେ ମୃତ୍ୟୁବରଣ କରିଥିବା ୫ ଜଣଙ୍କ ପ୍ରତ୍ୟେକ ପରିବାରକୁ ଗୁରୁବାର ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ୪ ଲକ୍ଷ ଟଙ୍କାର ନଗଦ ପ୍ରଦାନ କରିଛନ୍ତି। ଆୟୋଜିତ ଏକ ଶୋକାକୂଳ ସଭାରେ ପିଡୀତା ପରିବାରକୁ ଏହି ଚେକ ପ୍ରଦାନ ବେଳେ ପରିବେଶ କାନ୍ଦରେ ଫାଟି ପଡିଥିଲା। ବିଧବା ମହିଳା ଜଣକ ନିଜର ଦୁଇ ପୁଅକୁ ହରାଇ ତାଂକ ବଦଳରେ ଟଙ୍କା ନେଉଥିବା ବେଳେ ତାଂକର କାନ୍ଦ ବନ୍ଦ ହେଉନଥିଲା। ଶିଶୁମାନଙ୍କର ମୃତ୍ୟୁପରେ ଏହି ଟଙ୍କାର କୌଣସି ମୂଲ୍ୟ ନଥିବା କହିଥିଲେ। ମନ୍ତ୍ରୀ ଏବଂ ଜିଲ୍ଲାପାଳ ପିଡୀତା ପରିବାରକୁ ଆଶ୍ବାସନା ଦେଇଥିଲେ। ଏଭଳି ଏକ ହୃଦୟ ସ୍ପର୍ଶକାତର ଘଟଣା ଘଟିଯିବ ବୋଲି କେହି ଜାଣିନଥିବା ବୁଝାଇଥିଲେ। ଏହି ଚେକ ପ୍ରଦାନ ବେଳେ ଜିଲ୍ଲାପାଳ ସ୍ବଧାଦେବ ସିଂ, ବିକେଏସଵାଇଲ ଉପଦେଷ୍ଟା ସୁଧୀର ଦାସ ପ୍ରମୁଖ ଉପସ୍ଥିତ ଥିଲେ।