ଅନୁଗୁଳ, : ୪୦ଲକ୍ଷର ଆମ୍ବୁଲାନ୍ସକୁ ନେଇ ହାତଟେକି ଦେଇଥିଲା ଅନୁଗୁଳ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ଏତେ ବ୍ୟୟବହୁଳ ଆମ୍ବୁଲାନ୍ସ ଆମେ ଚଳାଇ ପାରିବୁନି। ତେଣୁ, ସରକାରଙ୍କୁ ଚଳାଇବା ଦାୟିତ୍ବ ଦେବାକୁ ଆମ୍ବୁଲାନ୍ସ ଲୋକାର୍ପିତ କରିଥିବା ଅନୁଗୁଳ ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କୁ ଅନୁରୋଧ କରାଯାଇଥିଲା। କିନ୍ତୁ, ଶେଷରେ ଉପ-ବାଚସ୍ପତି ଶ୍ରୀ ସିଂହ ବି ହାତ ଟେକିଦେଇଛନ୍ତି। ସରକାର ଓ ଜିଲ୍ଲା ପ୍ରଶାସନ ଏକ ଏବଂ ଅଭିନ୍ନ। ଜିଲ୍ଲା ପ୍ରଶାସନକୁ ଦେଲାପରେ ପୁଣି ସରକାରଙ୍କୁ କ’ଣ ଚିଠି ଲେଖିବି ବୋଲି ଶ୍ରୀ ସିଂହ ପାଲଟା ପ୍ରଶ୍ନ କରିଛନ୍ତି। ଉପବାଚସ୍ପତି ମନା କରିଦେବା ପରେ ଏବେ ପୁଣିଥରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଯାଇଛି।
ସୂଚନା ଅନୁସାରେ, ମାନବ ସମ୍ବଳ ଅଭାବ କାରଣରୁ ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସ କାମରେ ଲାଗିପାରୁନି। ସରକାର ଜିଲ୍ଲାରେ ଯଦିଓ ମାଗଣା ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି, ଏଠି ଅତ୍ୟାଧୁନିକ ଆମ୍ବୁଲାନ୍ସ ନ ଥିଲା। କୋଭିଡ୍ ସମୟରେ ଏହାର ଅଭାବକୁ ଲୋକେ ଅନୁଭବ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଅନୁଗୁଳ ବିଧାୟକ ତଥା ଉପ-ବାଚସ୍ପତି ଶ୍ରୀ ସିଂହ ନିଜ ହାତପାଣ୍ଠିରୁ ୪୦ଲକ୍ଷ ଟଙ୍କା ବ୍ୟୟ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ଯୋଗାଇ ଦେଇଥିଲେ। ଯେଉଁଥିରେ, ଭେଣ୍ଟିଲେଟରଠାରୁ ଆରମ୍ଭ କରି ମନିଟର, ଜମ୍ବୋ ଅକ୍ସିଜେନ୍ ସିଲିଣ୍ଡର, ହାର୍ଟବିଟ୍, ପଲ୍ସ ମାପ ଆଦି ସବୁପ୍ରକାର ଅତ୍ୟାଧୁନିକ ଯନ୍ତ୍ରାଂଶ ଖଞ୍ଜା ହୋଇଛି। ଆଡ୍ଭାନ୍ସ ଲାଇଫ୍ ସପୋର୍ଟିଂ ବ୍ୟବସ୍ଥା ମଧ୍ୟ ଉପଲବ୍ଧ ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ କର୍ମଚାରୀଙ୍କ କହିବାନୁସାରେ, ଏହି ଆମ୍ବୁଲାନ୍ସରେ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ଥିବାରୁ ଏହାକୁ ପରିଚାଳନା କରିବା ପାଇଁ ଡ୍ରାଇଭରଙ୍କ ସହିତ ଜଣେ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦେବାର ଅାବଶ୍ୟକତା ରହିଛି। ଏହି ଫାର୍ମାସଷ୍ଟ ନିଯୁକ୍ତି ପାଇଁ ହିଁ ଆମ୍ବୁଲାନ୍ସ ଅଡ଼ୁଆ ବଢ଼ିଛି। ଆମ୍ବୁଲାନ୍ସ ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଫାର୍ମାସିଷ୍ଟଟିଏ ନିଯୁକ୍ତ କରି ପାରୁନାହିଁ, ତେଣୁ ଏହା ମୂଲ୍ୟବାନ ହୋଇଥିଲେ ମଧ୍ୟ ଲୋକଙ୍କ ସେବାରେ ଲାଗିପାରୁ ନଥିବା ସେ କହିଛନ୍ତି।
ହସ୍ତଗତ ରିପୋର୍ଟ ଅନୁସାରେ, ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜିଲ୍ଲା ପ୍ରଶାସନର ସହଯୋଗ ଲୋଡ଼ିଥିଲେ। ଜିଲ୍ଲା ଖଣିଜ ପାଣ୍ଠିରୁ ଜଣେ ଫାର୍ମାସିଷ୍ଟଙ୍କୁ ନିଯୁକ୍ତ କରିବାକୁ ସିଡିଏମ୍ଓ ଚିଠି ଲେଖିଥିଲେ। କିନ୍ତୁ, ଜିଲ୍ଲା ପ୍ରଶାସନ ଅନୁମତି ଦେଲେନାହିଁ। ତେଣୁ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଆମ୍ବୁଲାନ୍ସ ପରିଚାଳନା ଦାୟିତ୍ବ ୧୦୮କୁ ଦେଇଦେବାକୁ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ସରକାରଙ୍କୁ ଚିଠି ଲେଖିବାକୁ ଉପ-ବାଚସ୍ପତିଙ୍କୁ ଅନୁରୋଧ କରିଥିଲା। ମାତ୍ର, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଅନୁରୋଧକୁ ଉପ-ବାଚସ୍ପତି ଶ୍ରୀ ସିଂହ ଟାଳି ଦେଇଥିବା ଜଣାପଡ଼ିଛି।
ଅପରପକ୍ଷେ, ପ୍ରାୟ ଦେଢ଼ ବର୍ଷ ହେଲା ଖତ ଖାଉଥିବା ଏତେ ମୂଲ୍ୟବାନ ଆମ୍ବୁଲାନ୍ସର ପରିଚାଳନା ଏବେ କେଉଁଠାରୁ କରାଯିବ ତାହାକୁ ନେଇ ବିଭାଗ ଚିନ୍ତା ପ୍ରକଟ କରିଛି।