ପୂର୍ତ୍ତ ଯନ୍ତ୍ରୀଙ୍କ କେଳେଙ୍କାରୀ: ବିନା ଟେଣ୍ଡର୍‌ରେ ବିକିଦେଲେ ୪୦ ଲକ୍ଷର ସ୍କ୍ରାପ୍‌

ଘୁ. ଉଦୟଗିରି : କନ୍ଧମାଳ ଜିଲ୍ଲା ପୂର୍ତ୍ତ ବିଭାଗ କଳିଙ୍ଗା ସେକ୍ସନ୍ ସହକାରୀ ଯନ୍ତ୍ରୀ ଅରୁଣ ପ୍ରସାଦ ସାହୁ କାର୍ଯ୍ୟାଳୟ ପରିସରରେ ଥିବା ରଦି ଲୁହା, ଲୁହା ଚାଦର, ରୋଲର୍‌ ଚକା ଆଦି ପ୍ରାୟ ୪୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ସାମଗ୍ରୀ ବିନା ‌ଟେଣ୍ଡର୍‌ ତଥା ଉଚ୍ଚ ଅଧିକାରୀଙ୍କ ଅଜାଣରେ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି।

ଏହା ଜଣାପଡ଼ିବା ପରେ ଘୁ. ଉଦୟଗିରି ଉପଖଣ୍ଡ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। କେଉଁ ଆଧାରରେ ଏଭଳି ପଦକ୍ଷେପ ନିଆଗଲା, ତିନିଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୬ ବର୍ଷ ହେଲା ଏଠାରେ ଅବସ୍ଥାପିତ ଯନ୍ତ୍ରୀ ଶ୍ରୀ ସାହୁଙ୍କ ନାଁରେ ବହୁ ଦୁର୍ନୀତି ଅଭିଯୋଗ ଥିବା ବେଳେ ସ୍ଥାନୀୟ ବିଧାୟକ ମଧ୍ୟ ତାଙ୍କ ବଦଳି ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ଏହା ଉପରେ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଯନ୍ତ୍ରୀ ଶ୍ରୀ ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥି‌ଲେ, ଏଥି ପାଇଁ ଟେଣ୍ଡର୍ ହୋଇଥିଲା। ଅନ୍ୟପଟେ ଘୁ.ଉଦୟଗିରି ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ କୈଳାସ ଚନ୍ଦ୍ର ବେହେରା ଜିନିଷ ନିଲାମ ଓ ବିକ୍ରି ଲାଗି ‌କୌଣସି ଟେଣ୍ଡର୍ ହୋଇନି ବୋଲି ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର