କେନ୍ଦୁପତ୍ରରେ ୪୦୦ କୋଟିର ଖେଳ! ବଲାଙ୍ଗୀରରେ ଭିଜିଲାନ୍ସ ତନାଘନା ଆରମ୍ଭ

ତାଲିମରେ ଗଲେ ବି ବିମାନ

ବଲାଙ୍ଗୀର: ପାଠକଙ୍କ ପାଠ ଜାଣିବା ପାଇଁ ବଲାଙ୍ଗୀର ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି। ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କୁ ଏବେ ଚାରିଆଡୁ ଚାପ। ସେ ଯେଉଁ ସବୁ ସ୍ଥାନରେ ଥିଲେ ସେଠି ସବୁ ଭିଜିଲାନ୍ସ ହାତ ମାରୁଛି। ବଲାଙ୍ଗୀର କେନ୍ଦୁପତ୍ର ସର୍କଲରେ ସିସିଏଫ୍‌ ଭାବରେ ସେ ପାଖାପାଖି ୪ ବର୍ଷ ରହିଥିବାରୁ ଏଠାରେ ସେ ଏକ ବଡ଼ ଧରଣର ଦୁର୍ନୀତି କରିଥିବା ଭିଜିଲାନ୍ସ ସନ୍ଦେହ କରିଛି। ତାଙ୍କ କାର୍ଯ୍ୟକାଳରେ ୪୦୦ କୋଟିରୁ ଅଧିକ ଟଙ୍କା ସର୍କଲକୁ ଆସିଥିବା ବେଳେ ସେସବୁ କେମିତି ଖର୍ଚ୍ଚ ହୋଇଥିଲା ତାହାକୁ ନେଇ ତନାଘନା ଆରମ୍ଭ ହୋଇଛି।

ମଙ୍ଗଳବାର ବଲାଙ୍ଗୀର ଭିଜିଲାନ୍ସ ଟିମ୍‌ ଅପରାହ୍‌ଣରେ କେନ୍ଦୁପତ୍ର ସିସିଏଫ୍‌ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ସେଠାରେ ଅଭୟକାନ୍ତ ଥିବା ସମୟର ସବିଶେଷ ତଥ୍ୟ ପଚାରି ବୁଝିଥିଲେ। ସିସିଏଫ୍‌ ଅନୁପସ୍ଥିତ ଥିବା ବେଳେ କାର୍ଯ୍ୟାଳୟର ବରିଷ୍ଠ କିରାଣି ଓ ଅନ୍ୟ କର୍ମଚାରୀମାନଙ୍କୁ ତାଙ୍କ ଫାଇଲପତ୍ର ସବୁ ମାଗିଥିଲେ। ଆଇଏଫ୍‌ଏସ୍‌ ପାଠକ କେତେ ଟଙ୍କାର ଦରମା ଏଠାରୁ ନେଇଛନ୍ତି? ଇନ୍‌କମ୍‌ ଟ୍ୟାକ୍ସ ସମ୍ବନ୍ଧୀୟ କାଗଜପତ୍ର କଣ ସବୁ ରହିଛି? ବ୍ୟକ୍ତିଗତ ଫାଇଲ ସବୁ ଯାଞ୍ଚ କରିଥିଲେ। ଏହା ସହ ଭିଜିଲାନ୍ସ ଟିମ୍‌ ଏକ ଚିଠି କରି କେନ୍ଦୁପତ୍ର ବିଭାଗର ବର୍ତ୍ତମାନର ସିସିଏଫ୍‌ଙ୍କୁ ସବିଶେଷ ବିବରଣୀ ପ୍ରଦାନ କରିବାକୁ କହିଛି। ତାଙ୍କ ସମୟରେ କଣ ସବୁ ଟଙ୍କା କାରବାର ହୋଇଛି ସେ ନେଇ ବି ଭିଜିଲାନ୍ସ ପଚରାଉଚୁରା କରିଛି।

କେନ୍ଦୁପତ୍ର ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୨୦୧୪ ମସିହା ଫେବ୍ରୁଆରି ୭ ତାରିଖରେ ଅଭୟକାନ୍ତ ବଲାଙ୍ଗୀର କେନ୍ଦୁପତ୍ର ସର୍କଲରେ ଯୋଗ ଦେଇଥିଲେ। ତାପରେ ସେ ଏଠାରେ ଆରମ୍ଭ କରିଥିଲେ ତାଙ୍କ କାରନାମା। ଟଙ୍କାଟିଏର ବି ହିସାବ ରଖୁଥିଲେ ବୋଲି ତାଙ୍କ ସମୟରେ ଅବସ୍ଥାପିତ ଥିବା କର୍ମଚାରୀ କୁହନ୍ତି। ୨୦୧୭ ଜୁନ୍ ୧୧ ଯାଏ ସେ ବଲାଙ୍ଗୀର କେନ୍ଦୁପତ୍ର ସର୍କଲରେ ଅବସ୍ଥାପିତ ଥିଲେ। ସର୍କଲ ଅଧୀନରେ ଥିବା ୯ଟି ଜିଲ୍ଲାର ୮ଟି ଡିଭିଜନ ତାଙ୍କ ଅଧୀନରେ ରହିଥିଲା। ୨୦୧୫ ବର୍ଷରେ କେନ୍ଦୁପତ୍ର ଗୋଛାକଟା, ପତ୍ର ସଂଗ୍ରହ, ଫଡ଼ି ମରାମତି, କନ୍‌ଷ୍ଟ୍ରକସନ କାମରୁ ନେଇ କର୍ପୋରେସନକୁ କେନ୍ଦୁପତ୍ର ଦେବା ଯାଏଁ ୧୨୩ କୋଟି ଟଙ୍କା କେନ୍ଦୁପତ୍ର ଅପରେସନର ଗୋଟିଏ ବର୍ଷରେ ଅନୁଦାନ ଆସିଥିଲା। ସେହିପରି ୨୦୧୬ ମସିହାରେ ୧୨୪ କୋଟି ଟଙ୍କା ଆସିଥିଲା। ଏଭଳି ତାଙ୍କ କାର୍ଯ୍ୟକାଳ ଭିତରେ ପ୍ରାୟ ୪୦୦ କୋଟି ଟଙ୍କାର ଅନୁଦାନ ଆସି ଖର୍ଚ୍ଚ ହୋଇଥିଲା। ଆଉ ସେଥିରେ ପାଠକଙ୍କ ପିସି ଥିଲା ଅଲଗା। ସବୁ କାମରେ ବାବୁ ପିସି ନେଉଥିଲେ ବୋଲି ଚର୍ଚ୍ଚା। ଏ ନେଇ ଏବେ ତଥ୍ୟ ପଦାକୁ ଆସିବା ପରେ ସେହି ଦିଗରେ ବି ଭିଜିଲାନ୍ସ ତଦନ୍ତ ଆଗେଇବ ବୋଲି ସୂଚନା ମିଳିଛି।

ତାଲିମରେ ଗଲେ ବି ବିମାନ
ସଉକ ଥିଲା ଉଡ଼ାଜାହାଜରେ ଉଡ଼ିବା। ବାହାର ରାଜ୍ୟକୁ ବୁଲିଯିବା। ମନଇଚ୍ଛା ବାହାର ରାଜ୍ୟକୁ ଏୟାର ଟିକଟ୍‌ କରି ଯାଉଥିଲେ। ବଲାଙ୍ଗୀର ଅବସ୍ଥାପିତ କାଳରେ ଅଭୟକାନ୍ତ ଅନେକ ଥର ବିମାନରେ ଉଡ଼ିଛନ୍ତି। ଭୋପାଲ, ମଧ୍ୟପ୍ରଦେଶ ସହ ଅନେକ ସ୍ଥାନକୁ ସେ ତାଲିମ ନେବାକୁ ବିମାନରେ ଯାଇଛନ୍ତି। ଏଥିପାଇଁ ସରକାରୀ ଟଙ୍କା ବି ଖର୍ଚ୍ଚ ହୋଇଛି। ତାହା ସବୁ କିଛି ତଥ୍ୟ ଏବେବି ସରକାରୀ ନଥିପତ୍ରରେ ରହିଛି। ଏବେ ଅଭୟକାନ୍ତଙ୍କ କାରନାମା ସାମ୍ନାକୁ ଆସିବା ପରେ ତାଙ୍କ ସଂପର୍କରେ ଆହୁରି ତଥ୍ୟ ଲୋକଲୋଚନକୁ ଆସିବାରେ ଲାଗିଛି।

ଅନୁଗୁଳ ଡିଏଫ୍ଓ ଅଫିସ୍‌ରେ ତନାଘନା
ଅନୁଗୁଳ: ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନସ୍ ରାଜ୍ୟର ବିଭିନ୍ନ ସ୍ଥାନରେ ଯାଂଚ ଆରମ୍ଭ କରିଛି। ଶ୍ରୀ ପାଠକ ଯେଉଁ ଯେଉଁ ସ୍ଥାନରେ ଚାକିରି କରୁଥିଲେ, ସବୁଜାଗାରେ ଖୋଳତାଡ଼ ଚଳାଇଛି। ବନ ବିଭାଗ ସହିତ ବ୍ୟାଙ୍କଗୁଡ଼ିକରୁ ମଧ୍ୟ ତଥ୍ୟ ସଂଗ୍ରହ ଆରମ୍ଭ କରିଦେଇଛି। ଏହି କ୍ରମରେ ଆଜି ଭିଜିଲାନସ୍‌ର ଏକ ଟିମ୍ ଅନୁଗୁଳ ଡିଏଫ୍‌ଓ ଅଫିସ୍‌ରେ ପହଂଚି କାଗଜପତ୍ର ଯାଂଚ କରିଥିଲେ। ଶ୍ରୀ ପାଠକ ଗତ ଅକ୍ଟୋବର ୧୯୯୩ରୁ ଡିସେମ୍ବର ୧୯୯୪ ମସିହା ପର୍ଯ୍ୟନ୍ତ ଅନୁଗୁଳର ଡିଏଫ୍ଓ ଭାବେ କାର୍ଯ୍ୟରତ ଥିଲେ। ଭିଜିଲାନ୍‌ସ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଅନୁଗୁଳର ଭିଜିଲାନ୍‌ସ ଇନ୍‌ସପେକ୍ଟର ପ୍ରଦୀପ କୁମାର ସାମଲ, ଏସ୍‌ଆଇ ସିଦ୍ଧାର୍ଥ କୁମାର ରାଉତ ପ୍ରମୁଖ ଡିଏଫ୍ଓ କାର୍ଯ୍ୟାଳୟରେ ପହଂଚି ଶ୍ରୀ ପାଠକଙ୍କ ଦରମା ସହିତ ସେ ପାଇଥିବା ଅନ୍ୟାନ୍ୟ ଆର୍ଥିକ ସୁବିଧା ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରିଥିଲେ। ଶ୍ରୀ ପାଠକଙ୍କ ବ୍ୟକ୍ତିଗତ ଫାଇଲ୍‌ର କପି ଦେବାକୁ କୁହାଯାଇଛି। ଅନୁଗୁଳ ଡିଏଫ୍ଓ ଥିବା ସମୟରେ ଜମି, ଗାଡ଼ି ସହିତ ଅନ୍ୟାନ୍ୟ କିଣାବିକା ସମୟରେ ସରକାରୀ ଅନୁମତି ନେଇଥିଲେ କି ନାହିଁ ସେ ସଂପର୍କିତ ତଥ୍ୟ ମଧ୍ୟ ଦେବାକୁ କୁହାଯାଇଛି। ଅନୁଗୁଳ ଜିଲ୍ଲାରେ ଥିବା ୧୦ଟି ବ୍ୟାଙ୍କକୁ ମଧ୍ୟ ଚିଠି ଲେଖାଯାଇଛି। ଶ୍ରୀ ପାଠକଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ, ଅର୍ଥଜମା(ଫିକ୍ସଡ୍‌ ଡିପୋଜିଟ୍) ରହିଥିଲେ, ସେ ସଂକ୍ରାନ୍ତରେ ତଥ୍ୟ ଦେବାକୁ କୁହାଯାଇଥିବା ଭିଜିଲାନସ୍‌ ସୂତ୍ରରୁ ପ୍ରକାଶ।

କୋରାପୁଟରେ ବି ଛାନଭିନ
କୋରାପୁଟ: ବହୁ ଚର୍ଚ୍ଚିତ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକ‌ାନ୍ତ ପାଠକଙ୍କ ଦୁର୍ନୀତି ନେଇ କୋରାପୁଟରେ ଛାନଭିନ ଆରମ୍ଭ କରିଛି ଭିଜିଲାନସ୍‌ ଟିମ୍‌। ଏଠାରେ ‌ପୂର୍ବରୁ ପାଠକ ବନ ସଂରକ୍ଷକ ଭାବେ କାର୍ଯ୍ୟ କରୁଥିବାରୁ ଆଜି ଏକ ୩ ଜଣିଆ ଭିଜିଲାନସ୍‌ ଟିମ୍‌ କୋରାପୁଟ ମୁଖ୍ୟ ଆଂଚଳିକ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ କାଗଜପ୍ରତ ଯାଂଚ କରିଛି। ପାଠକ ୨୦୦୬ରୁ ୨୦୦୮ ପର୍ଯ୍ୟନ୍ତ ଏଠାରେ କାର୍ଯ୍ୟ କରୁଥିଲେ। ସେହି ସମୟରେ ଆର୍ଥିକ ପରିଚାଳନା ଓ ଅନ୍ୟାନ୍ୟ କାର୍ଯ୍ୟକଳାପ ସମ୍ପର୍କରେ ଭିଜିଲାନସ୍‌ ଟିମ୍‌ ତଦନ୍ତ କରୁଛନ୍ତି। କୋରାପୁଟରେ ଥିବା ବିଭିନ୍ନ ବ୍ୟାଙ୍କରୁ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି। ଆଜି ସକାଳୁ ଜିଲ୍ଲାର ୬ଟି ବ୍ୟାଙ୍କ, ପୋଷ୍ଟ ଅଫିସ୍‌ ଓ ଏଲଆଇସି ଅଫିସରେ ଭିଜିଲାନସ୍‌ ଅଧିକାରୀମାନେ ତନାଘନା କରିଛନ୍ତି। ପାଠକ ଏଠାରେ କୌଣସି ଆର୍ଥିକ ଅନିୟମିତତାରେ ସଂପୃକ୍ତ ଥିଲେ କି ନାହିଁ ଓ ବ୍ୟାଙ୍କରେ କୌଣସି ବେଆଇନ କାରବାର କରିଥିଲେ କି ନାହିଁ ତାହାର ଯାଂଚ କରାଯାଉଥିବା ଜଣାପଡ଼ିଛି। ତେବେ ଏଥିରୁ କଣ ତଥ୍ୟ ମିଳିଛି ସେଥିନେଇ କୌଣସି ସୂଚନା ଦେଇନି ଭିଜିଲାନସ୍‌।

ସମ୍ବନ୍ଧିତ ଖବର