ପଶ୍ଚିମରେ କାର୍ଯ୍ୟାନୁଷ୍ଠାନ, ଦକ୍ଷିଣରେ ମଲମ : ୪ ଡାକ୍ତରଖାନା ପାଇଁ ୪୦୦ କୋଟିର ପ୍ୟାକେଜ୍

‘ମୋ ସରକାର’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଶଯ୍ୟା ସଂଖ୍ୟା ବଢ଼ାଇଲେ,
ରୋଗୀ କଲ୍ୟାଣ ସମିତିକୁ ଅର୍ଥ ପ୍ରଦାନ
ରକ୍ତଦାନ କାର୍ଯ୍ୟକ୍ରମ ପ୍ରଚାର ପାଇଁ ଏସ୍‌ପିଙ୍କୁ ୧୦ଲକ୍ଷ ଟଙ୍କା ମିଳିବ

ଭୁବନେଶ୍ବର : ମୋ ସରକାର’ କାର୍ଯ୍ୟାନ୍ବୟନ ପରେ ସରକାରୀ ଯୋଜନା ବାଟ ଓଗାଳୁଥିବା ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। ରବିବାର ସୁନ୍ଦରଗଡରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିଲମ୍ବନ କରାଯାଇଛି ଏବଂ ଜିଲ୍ଲାପାଳଙ୍କୁ ସରକାର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଗୋଟିଏ ପଟେ କାର୍ଯ୍ୟାନୁଷ୍ଠାନ ଚାଲିଥିବା ବେଳେ ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ମୁଖ୍ୟମନ୍ତ୍ରୀ ଆଜି ଆଉ କେତେକ ପଦ‌େକ୍ଷପ ଘେ‌ାଷଣା କରିଛନ୍ତି। ସାଧାରଣ ଲୋକଙ୍କ ମତାମତ ଓ ପରାମର୍ଶ ଆଧାରରେ ମୁଖ୍ୟମନ୍ତ୍ରୀ ଆଜି କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ପାଇଁ ପାଖାପାଖି ୪୦୦କୋଟିରୁ ଅଧିକ ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। କୋରାପୁଟ ମେଡିକାଲ କଲେଜର ଶଯ୍ୟା ସଂଖ୍ୟା ୫୦୦ରୁ ୭୦୦କୁ ବୃଦ୍ଧି କରାଯାଇଛି। ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନା ଶଯ୍ୟା ସଂଖ୍ୟା ୨୦୦କୁ ବୃଦ୍ଧି ହୋଇଛି ଓ ସେଠାରେ ଆଉ ଗୋଟିଏ ୨୦୦ ଶଯ୍ୟା ବିଶିଷ୍ଟ ନୂଆ ଡାକ୍ତରଖାନା କୋଠା ନିର୍ମାଣ କରାଯିବ। ଅନୁରୂପ ଭାବେ ମାଲକାନଗିରି ଶଯ୍ୟା ସଂଖ୍ୟା ୨୦୦କୁ ବୃଦ୍ଧି କରାଯାଇଛି। ସବୁଠାରୁ ବଡ଼ କଥା ହେଲା, ପ୍ରତିଦିନ ମୋଟୁରୁ ରୋଗୀଙ୍କୁ ନେଇ ମାଲକାନଗିରି ଯାଏ ବସ ଚଳାଚଳ କରିବ।

ଅକ୍ଟୋବର ୨ ତାରିଖରୁ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମତିଥି ଅବସରରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ‘ମୋ ସରକାର କାର୍ଯ୍ୟକ୍ରମ’ ଆରମ୍ଭ କରିଥିଲେ। ଲୋକଙ୍କୁ ସ୍ବଚ୍ଛ ପ୍ରଶାସନ ଓ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟରେ ପ୍ରଥମ ପର୍ଯ୍ୟାୟରେ ଥାନା ଓ ଡାକ୍ତରଖାନାକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ‘େମା ସରକାର’ କାର୍ଯ୍ୟକ୍ରମର ଲକ୍ଷ୍ୟ ହାସଲ ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଜିଲ୍ଲା ଗସ୍ତ କରାଇ ବିଭିନ୍ନ ଡାକ୍ତରଖାନାରେ ରୋଗୀସେବାର ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରାଇଛନ୍ତି। ଇତିମଧ୍ୟରେ ଅଧିକାରୀମାନେ ୧୫ଟି ଜିଲ୍ଲା ଗସ୍ତ କରିସାରିଲେଣି।

ସେହିଭଳି ଥାନା ଓ ଡାକ୍ତରଖାନାରେ ମିଳୁଥିବା ସରକାରୀ ସେବା ବିଷୟରେ ଜାଣିବା ପାଇଁ ୧୨୦ଟି ଫୋନ କରି ଲୋକଙ୍କ ପ୍ରତିକ୍ରିୟା ନେଇଛନ୍ତି। ସ୍ବଚ୍ଛ ପ୍ରଶାସନ ପାଇଁ ସରକାରଙ୍କ ଏହି ଉଦ୍ୟମକୁ ଲୋକମାନେ ପ୍ରଶଂସା କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏବେ ଡାକ୍ତରଖାନାରେ ରୋଗୀ ଓ ଡାକ୍ତରଙ୍କ ମତାମତ ଆଧାରରେ ମାଲକାନିଗିରି ଜିଲ୍ଲା ସଦର ମହକୁମା ଡାକ୍ତରଖାନା, କୋରାପୁଟ ମେଡିକାଲ କଲେଜ, କୋରାପୁଟ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ଓ ନବରଙ୍ଗପୁର ଜିଲ୍ଲା ସଦର ଡାକ୍ତରଖାନାର ରୋଗୀ କଲ୍ୟାଣ ସମିତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ରକ୍ତଦାନ ଶିବିର ପ୍ରଚାର ପ୍ରସାର ପାଇଁ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ପୁଲିସ ଆରକ୍ଷୀ ଅଧୀକ୍ଷକମାନଙ୍କୁ ୧୦ ଲକ୍ଷ ଲେଖାଏଁ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମାଲକାନିଗିରି ଡାକ୍ତରଖାନାରେ ଡାକ୍ତରଙ୍କ ପାଇଁ ବାସଗୃହ ଓ ଅସ୍ଥାୟୀ ଆବାସିକ ଗୃହର ମଧ୍ୟ ବ୍ୟବସ୍ଥା କରାଯିବ। ଏହାସହିତ ଡାକ୍ତରଖାନାରେ ଆଟେଣ୍ଟଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମ ଗୃହର ମଧ୍ୟ ବ୍ୟବସ୍ଥା କରାଯିବ। ସେହିପରି ୫୦୦ ଶଯ୍ୟା ବିଶିଷ୍ଟ କୋରାପୁଟ ମେଡିକାଲ କଲେଜର ଶଯ୍ୟା ସଂଖ୍ୟା ଆଗାମୀ ୨୪ ମାସ ଭିତରେ ୭୦୦କୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମେଡିକାଲ କ୍ୟାମ୍ପସରେ ଆଟେଣ୍ଟଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମଗୃହ, ଷ୍ଟାଫ୍ କ୍ବାର୍ଟର୍ସ ସମେତ ଅସ୍ଥାୟୀ ଆବାସିକ ଗୃହ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ କୋରାପୁଟ ମେଡିକାଲ କଲେଜ ପାଇଁ ୫ଟି ଆମ୍ବୁଲାନ୍ସ ଗାଡ଼ି ଓ ୩ଟି ମହାପ୍ରୟାଣ ଗାଡ଼ି ଉପଲବ୍ଧ କରିବାକୁ ସରକାର ନିଷ୍ପତ୍ତି ଶୁଣାଇଛନ୍ତି।

କୋରାପୁଟ ଜିଲ୍ଲା ସଦର ମହୁକୁମା ଡାକ୍ତରଖାନାର ରୋଗୀଙ୍କ ପାଇଁ ଶଯ୍ୟା ସଂଖ୍ୟା ୨୫୦କୁ ବୃଦ୍ଧି କରାଯିବ। ଏହାସହିତ ଡାକ୍ତରଖାନାର ବିଲ୍ଡିଂରେ ରୋଗୀଙ୍କ ପାଇଁ ନୂତନ ଵାର୍ଡ଼ ନିର୍ମାଣ କରାଯିବ। ଷ୍ଟାଫ୍ କ୍ବାର୍ଟର୍ସ, ଆଟେଣ୍ଟଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମ ଗୃହ ଓ ୨ଟି ଆମ୍ବୁଲାନ୍ସ ଗାଡ଼ି ଉପଲବ୍ଧ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ସଦର ଡାକ୍ତରଖାନାର ଶଯ୍ୟା ସଂଖ୍ୟା ୨୦୦କୁ ବୃଦ୍ଧି କରିବା ସହ ନୂତନ ଭାବେ ୨୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କୋଠା ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହିତ ଡାକ୍ତରଖାନାରେ ଆଟେଣ୍ଟଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମ ଗୃହ, ୩ଟି ଆମ୍ବୁଲାନ୍ସ ଗାଡ଼ି ଓ ୩ଟି ମହାପ୍ରୟାଣ ଗାଡ଼ି ଉପଲବ୍ଧ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର