ଆବର୍ଜନା ଟିକସ ଆଦାୟକୁ ସୁନ୍ଦରଗଡ଼ରେ ବିରୋଧ; ସଫେଇ ପାଇଁ ମାସକୁ ୪୨ ଲକ୍ଷ ଟଙ୍କା, ୪୦ ଟଙ୍କା କାହାପାଇଁ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରର ସଫେଇ କାର୍ଯ୍ୟ ବାବଦକୁ ପୌରପାଳିକା ଏକ ଘରୋଇ ଠିକା ସଂସ୍ଥାକୁ ମାସକୁ ୪୨ ଲକ୍ଷ ଟଙ୍କା ଦେଇ ଆସୁଛି। ଅର୍ଥାତ ବର୍ଷକୁ ୫ କୋଟି ୪ ଲକ୍ଷ ଟଙ୍କା ନେଉଛି ସମ୍ପୃକ୍ତ ଠିକା ସଂସ୍ଥା। ସଫେଇ ପାଇଁ ଏତେ ଟଙ୍କା ବ୍ୟୟ ଏକ ବିବାଦୀୟ ବିଷୟ ହୋଇ ରହିଥିବା ବେଳେ ଘରୁ ଅଳିଆ ଉଠାଇବାକୁ ପ୍ରତି ଘରୁ ୪୦ ଟଙ୍କା ଟିକସ ଆଦାୟ ପ୍ରତିକ୍ରିୟା ସୃଷ୍ଟି କରିଛି। ଘର ଅଳିଆ ଉଠାଇବାକୁ ଯଦି ଲୋକେ ଅଲଗା ଟଙ୍କା ଦେବେ, ତେବେ ଠିକା ସଂସ୍ଥା କେଉଁ ସଫେଇ ପାଇଁ ୪୨ ଲକ୍ଷ ନେବ। ସବୁଠାରୁ ବଡ଼ କଥା ହେଲା, ପୌରାଞ୍ଚଳ ସଫେଇ ପାଇଁ ନଗର ଉନ୍ନୟନ ବିଭାଗ ଅର୍ଥ ଯୋଗାଇ ଦେଉଛି।

ଏସ୍ଥିତିରେ ମାସିକ ୪୦ ଟଙ୍କା ଆଦାୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକାଶଯୋଗ୍ୟ, ପୌରପାଳିକା ପକ୍ଷରୁ ସହରବାସୀଙ୍କୁ ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ପାଇଁ ସହରବାସୀ ହୋଲଡିଂ ଟିକସ ଦେଇ ଆସୁଥିବା ବେଳେ ପୁଣି ୪୦ ଟଙ୍କା ଆଦାୟ କାହାପାଇଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ପୂର୍ବରୁ ଘରୁ ଅଳିଆ ଉଠାଇବାକୁ ପ୍ରତି ୱାର୍ଡରେ ଡଷ୍ଟବିନ୍ ରଖାଯାଇଥିଲା। ଲୋକେ ସେଥିରେ ମଇଳା ପକାଇବା ପରେ ପୌରପାଳିକାର ଅଳିଆ ଗାଡ଼ି ଆସି ତାକୁ ଉଠାଇ ନେଉଥିଲା। ଏ ବ୍ୟବସ୍ଥାକୁ ବନ୍ଦ କରି ପୌରାଞ୍ଚଳ ସଫେଇ କାମକୁ ଘରୋଇ ସଂସ୍ଥା ହାତରେ ଟେକି ଦିଆଗଲା। ଘରୁ ଅଳିଆ ସଂଗ୍ରହ, ରାସ୍ତାଘାଟ ସଫେଇ, ଏପରିକି ସହରରେ ମରି ପଡ଼ିଥିବା ବୁଲା ପଶୁର ମଢ଼ ଉଠାଇବା ଦାୟିତ୍ବ ମଧ୍ୟ ରହିଲା। ଘରୁ ଅଳିଆ ଉଠାଇବାକୁ ଛୋଟ ଅଳିଆ ଗାଡ଼ିସବୁ ନିୟୋଜିତ କରାଗଲା। ଲୋକଙ୍କୁ ଏଣେତେଣେ ଅଳିଆ ନପକାଇ ଘରେ ଠୁଳ କରି ଅଳିଆ ଗାଡ଼ିରେ ଦେବାକୁ କୁହାଗଲା।

ଏପରିକି ଗାଡ଼ିରେ ଅଳିଆ ନଦେଲେ ପୌର ପରିଷଦ ପକ୍ଷରୁ ଘର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ ସୂଚନା ଦିଆଗଲା। ପରିବେଶ ସ୍ବଚ୍ଛତା ପାଇଁ ଏ ବ୍ୟବସ୍ଥା ଉଚିତ ଥିବାରୁ ଲୋକେ ସହଜରେ ମାନି ନେଇ ସକାଳୁ ଘର ମୁହଁରେ ଅପେକ୍ଷା କରି ଅଳିଆ ଦେଲେ। ତେବେ ଏହି କାମରେ ଠିକା ସଂସ୍ଥାର ଗାଡ଼ି ନିୟୋଜିତ ଥିବା ବେଳେ ପରବର୍ତ୍ତୀ ସମୟରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ପୌରପାଳିକାକୁ ୬ଟି ଅଳିଆ ଉଠା ଅଟୋ କ୍ରୟ କରି ଦିଆଗଲା। ସେଥିରେ ୧୨ ଜଣ ମହିଳାଙ୍କୁ ନିଯୁକ୍ତି ଦେଲା ପୌରପାଳିକା। ଏମାନଙ୍କ ମାସିକ ଦରମା ବା ପ୍ରୋତ୍ସାହନ ରାଶି ପୌରପାଳିକା ପ୍ରଦାନ କରି ଆସୁଛି। ଘରୋଇ ସଂସ୍ଥାକୁ ସଫେଇ ବାବଦକୁ ମାସିକ ୪୨ ଲକ୍ଷ ଟଙ୍କା ଦେଉଥିବା ପୌରପାଳିକା ସେହି ସମାନ କାମ ପାଇଁ ୧୨ ମହିଳାଙ୍କୁ ଅତିରିକ୍ତ ପ୍ରୋତ୍ସାହନ ରାଶି ଦେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଅଳିଆ ଉଠାଇବା ଠିକଠାକ୍ ଚାଲିଥିବା ବେଳେ ଘର ମାଲିକଙ୍କ ଠାରୁ ୪୦ ଟଙ୍କା ଆଦାୟ କରାଗଲା। ଏହାକୁ ପୂର୍ବତନ କାଉନସିଲର ଡ. ହିମାଂଶୁ ଶେଖର ଷଡ଼ଙ୍ଗୀ ଓ ଅନ୍ୟ କାଉନସିଲରମାନେ ବିରୋଧ କରିବା ପରେ କିଛି ମାସ ବନ୍ଦ ହୋଇଯାଇଥିଲା। ଏବେ ପୁଣି ତାକୁ କାର୍ଯ୍ୟକାରୀ କରାଯାଇଛି। ତୁରନ୍ତ ଅଳିଆ ଟିକସ୍ ଆଦାୟ ବନ୍ଦ କରିବାକୁ ସହରବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର