କାମ ନକରି ଉଠାଇନେଲେ ୪୨ଲକ୍ଷ

୨ ଭିଏଲ୍‌ଡବ୍ଲୁ ନିଲମ୍ବିତ; ସରପଞ୍ଚ ଓ ୨ଭିଏଲ୍‌ଡବ୍ଲୁଙ୍କ ନାମରେ ଏତଲା

ନିଆଳି : କାମ ହୋଇନି, କିନ୍ତୁ ପଞ୍ଚାୟତ ଆକାଉଣ୍ଟରୁ ଉଠାଯାଇଛି ୪୨ ଲକ୍ଷରୁ ଅଧିକ ଟଙ୍କା। ବର୍ଷ ବର୍ଷ ଧରି ଚାଲିଥିବା ଏଭଳି ଅନିୟମିତତା ଏବେ ଧରାପଡିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ନିଆଳି ବିଡିଓ କପାସୀ ପଞ୍ଚାୟତର ମହିଳା ସରପଞ୍ଚ ଲିପ୍ସା ଭୋଇ ଓ ଦୁଇ ଭିଏଲ୍‌ଡବ୍ଲୁ ଛାୟାକାନ୍ତ ଜେରାଇ ଓ ପୂର୍ବତନ ଭିଏଲଡବ୍ଲୁ ଧ୍ରୁବଚରଣ ହେହୁରୀଙ୍କ ନାମରେ ନିଆଳି ଥାନାରେ ଏତଲା ଦାୟର କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଭିଏଲ୍‌ଡବ୍ଲୁଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ସରପଞ୍ଚଙ୍କ ପଦ ରଦ୍ଦ ପାଇଁ ପଂଚାୟତିରାଜ ବିଭାଗକୁ ଜିଲ୍ଲାପାଳ ସୁପାରିସ କରିଛନ୍ତି।

ସୂଚନା ଅନୁସାରେ, କପାସୀ ପଂଚାୟତରେ କୌଣସି ଉନ୍ନୟନ କାର୍ଯ୍ୟ କରା ନଯାଇ ପାଣ୍ଠି ହଡ଼ପ କରାଯାଉଥିବା ସଂପର୍କରେ ଗତମାସରେ ରାଜେଶ ମଲ୍ଲିକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଜିଲ୍ଲା ପଂଚାୟତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ତଦନ୍ତ ପରେ ବ୍ୟାପକ ଅର୍ଥ ‌ହଡ଼ପ ହୋଇଥିବା ଜଣାପଡିଥିଲା। କୌଣସି କାର୍ଯ୍ୟ କରାନଯାଇ ଟଙ୍କା ଉଠାଯାଇଥିବା ଧରାପଡିଥିଲା। ଯେତିକି ଟଙ୍କା ଉଠାଯାଇଛି ତାର ମଧ୍ୟ କୌଣସି ଫାଇଲ୍‌ ନାହିଁ କି ଟଙ୍କା ଖର୍ଚ୍ଚ ସଂପର୍କୀତ ବିବରଣୀ ମଧ୍ୟ ନାହିଁ। ପଂଚାୟତକୁ ଆସିଥିବା ୨୦୧୮-୧୯ ଆର୍ଥିକ ବର୍ଷର ଚତୁର୍ଦ୍ଦଶ ଅର୍ଥ କମିସନ ଯୋଜନାରେ ବାଟମାରଣା ହୋଇଥିବା ତଦନ୍ତ ପରେ ସ୍ପଷ୍ଟ ହୋଇଛି। ପଞ୍ଚାୟତର ପୂର୍ବତନ ଭିଏଲ୍‌ଡବ୍ଲୁ ଧୃବଚରଣ ହେହୁରୀ ସରପଂଚଙ୍କ ସହ ମିଶି ୯ ଲକ୍ଷ ଟଙ୍କା ପଂଚାୟତ ଆକାଉଣ୍ଟରୁ ଉଠାଇଥିବା ବେଳେ ବର୍ତ୍ତମାନର ଭିଏଲ୍‌ଡବ୍ଲୁ ଛାୟାକାନ୍ତ ଜେରାଇ ଓ ସରପଂଚ ମିଳିତଭାବେ ୩୩ଲକ୍ଷରୁ ଅଧିକ ଟଙ୍କା ଉଠାଇଥିବା ଡିପିଓ ଚକ୍ରଧର ମହାଳି ସୂଚନା ଦେଇଛନ୍ତି। ହଡପ ସଂପର୍କରେ ପ୍ରମାଣ ମିଳିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଏଭଳି ପଦକ୍ଷେପ ନିଆଯାଇଛି। ଅନ୍ୟପଟେ ଏହି ପଞ୍ଚାୟତରେ ସ୍ବତନ୍ତ୍ର ଅଡିଟ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଓ ଅଡିଟ୍‌ ପରେ ଅର୍ଥ ହଡ଼ପ ସଂପର୍କରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ଡିପିଓ ସୂଚନା‌ ଦେଇଛନ୍ତି।

ସମ୍ବନ୍ଧିତ ଖବର