କୃଷି ନିର୍ବାହୀ ଯନ୍ତ୍ରୀଙ୍କ ଦସ୍ତଖତ ଜାଲ୍‌କରି ଲୁଟିନେଲେ ୪୨ ଲକ୍ଷ, ସାଇବର୍ ଥାନାର ଖୋଳତାଡ଼

ଗୋଟିଏ ନମ୍ବରରେ ଦୁଇଟି ଚେକ୍
ବ୍ୟାଙ୍କରୁ ବି ଜାଲ୍‌ ଚେକ୍‌ ବଳରେ ୪୬ ଲକ୍ଷ ଲୁଟିଥିଲେ

କଟକ : କୃଷି ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ଦସ୍ତଖତ ଜାଲ୍‌ କରି ୪୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ସାଇବର୍ ଅପରାଧୀ। କଟକ ନୂଆବଜାର ବ୍ୟାଙ୍କ ଅଫ୍ ବରୋଦା ଶାଖାରୁ ଏଭଳି ଟଙ୍କା ହଡ଼ପ ହୋଇଛି। ଏହି ଟଙ୍କା ସାଇବର୍ ଅପରାଧୀ ରାଜ୍ୟ ବାହାରର ଏକ ବ୍ୟାଙ୍କକୁ ପଠାଇଛନ୍ତି। ଏ ସଂକ୍ରାନ୍ତରେ ବ୍ୟାଙ୍କ ଅଫ୍ ବରୋଦା ଶାଖା ପକ୍ଷରୁ ସାଇବର୍ ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, କୃଷି ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ଏକ ଆକାଉଣ୍ଟ ନୂଆବଜାର ଶାଖାରେ ରହିଛି। ଗଲା ୨ ତାରିଖରେ ତାଙ୍କ ଦସ୍ତଖତ ଜାଲିଆତି କରି ଏକ ଚେକ୍ ବ୍ୟାଙ୍କରେ ଲଗାଯାଇଥିଲା। ଯେଉଁ ଚେକ୍‌ ଜରିଆରେ ୪୨ଲକ୍ଷ ଟଙ୍କା ଉଠାଯାଇଥିବାବେଳେ ସମାନ ନମ୍ବର ବ୍ୟବହାର କରି ନିର୍ବାହୀ ଯନ୍ତ୍ରୀ ୨୦ ହଜାର ଟଙ୍କା ଅନ୍ୟ ଏକ ଆକାଉଣ୍ଟକୁ ପଠାଇଥିଲେ। ଗୋଟିଏ ନମ୍ବରର ଦୁଇଟି ଚେକ୍ ଘଟଣା ସାମ୍‌ନାକୁ ଆସିବାପରେ ୪୨ ଲକ୍ଷ ଟଙ୍କା ଯାଇଥିବା ଚେକ୍ ଜାଲ୍ ବୋଲି ଜଣାପଡ଼ିଥିଲା। ଫଳରେ, ନିର୍ବାହୀ ଯନ୍ତ୍ରୀଙ୍କ ପକ୍ଷରୁ ଏ ସଂପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ବ୍ୟାଙ୍କ ଶାଖା ପରିଚାଳକ ଏ ସଂକ୍ରାନ୍ତରେ କଟକ କମିସନରେଟ୍ ପୁଲିସର ସାଇବର୍ ଥାନାରେ ଅଭିଯୋଗ କରିଛନ୍ତି। ସାଇବର୍ ଥାନା ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିବାବେଳେ ପ୍ରାଥମିକ ତଦନ୍ତରୁ ରାଜ୍ୟ ବାହାରକୁ ଏହି ଟଙ୍କା ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଟ୍ରାନସଫର୍ ହୋଇଥିବା ଜଣାପଡ଼ିଛି। ଏଥିପାଇଁ ସାଇବର୍ ଥାନା ପକ୍ଷରୁ ଟଙ୍କା ଯାଇଥିବା ଆଇସିଆଇସିଆଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି। ଯେଉଁ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି, ତାଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମଗାଯାଇଛି।

ଆସନ୍ତାକାଲି ସାଇବର୍ ଥାନା ପକ୍ଷରୁ ବ୍ୟାଙ୍କ ଅଫ୍ ବରୋଦା ଶାଖାର କର୍ମଚାରୀ ଏବଂ କୃଷି ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ବି ପଚରାଉଚରା କରାଯିବାକୁ ଯୋଜନା କରାଯାଉଛି। କେଉଁ ପରିସ୍ଥିତିରେ ଗୋଟିଏ ଚେକ୍‌ ନମ୍ବରକୁ ଦୁଇଥର ବ୍ୟବହାର କରାଯାଇଛି, ସେ ନେଇ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ତଥ୍ୟ ମଗାଯାଇଛି। ଉଭୟ ବ୍ୟାଙ୍କ୍ ଅଫ୍ ବରୋଦା ଏବଂ ଆଇସିଆଇସିଆଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ତଥ୍ୟ ମିଳିବାପରେ ସାଇବର୍ ଥାନା ପୁଲିସ ତାହାକୁ ଅନୁଧ୍ୟାନ କରି ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ସୂଚନା ମିଳିଛି।

ଜଗତସିଂହପୁର ବ୍ୟାଙ୍କ ଅଫ୍ ବରୋଦାରେ ଜାଲ୍‌ ଚେକ୍‌ ବଳରେ ଠକ ୪୬ ଲକ୍ଷରୁ ଅଧିକ ଟଙ୍କା ଉଠାଇ ନେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଜଣେ ସରକାରୀ ଅଧିକାରୀଙ୍କ ଦସ୍ତଖତ ଜାଲି କରି ଏଭଳି ଟଙ୍କା ହଡ଼ପ୍ ଅଭିଯୋଗ ହେବାପରେ ହଟଚମଟ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର