ଟେଣ୍ଡର୍ ଅନୁମତି ମିଳୁନି, ସର୍ଭେ ବିଳମ୍ବ
ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଫେରାଇ ନେଲା
ଭିକ୍ଷୁକ ମୁକ୍ତ ଅଭିଯାନ ଟେବୁଲ୍ ତଳ ଫାଇଲ୍ରେ ସୀମିତ
ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଥିବା ଭିକ୍ଷୁକଙ୍କୁ ସରକାରୀ ଯୋଜନାରେ ସାମିଲ କରି ସେମାନଙ୍କୁ ଥଇଥାନ୍ କରିବାକୁ ପ୍ରଶାସନ ପକ୍ଷରୁ ରୂପରେଖ ପ୍ରସ୍ତୁତ ହେଲା। ହେଲେ, ଏହାପରଠୁ ପ୍ରଶାସନ ପାଦେ ବି ଆଗେଇପାରିନି। ସବୁ ଯୋଜନା କାର୍ଯ୍ୟକାରୀ କେବଳ ନାଲିଫିତା ଓ ସବେର୍କ୍ଷଣ ଭିତରେ ସୀମିତ ହୋଇରହିଛି। ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭାଗ ପକ୍ଷରୁ ଟେଣ୍ତର୍ ଅନୁମତି ମିଳୁ ନଥିବାରୁ ଜିଲ୍ଲାରେ ଭିକ୍ଷୁକ ସର୍ଭେରେ ଅହେତୁକ ବିଳମ୍ବ ଘଟିଛି। ଫଳରେ, ଏଥିପାଇଁ ମିଳିଥିବା ୪୨ ଲକ୍ଷ ଟଙ୍କା ଫେରିଯାଇଥିବା ଜଣାପଡ଼ିଛି।
୨୦୧୭ ମସିହାରେ ଜିଲ୍ଲାରେ ସ୍ବତନ୍ତ୍ର ସର୍ଭେ ରିପୋର୍ଟ ଅନୁସାରେ ୫୪୫ ଜଣ ଭିକ୍ଷୁକ ଥିବା ଜଣାପଡ଼ିଥିଲା। ଭିକ୍ଷୁକଙ୍କୁ ସାମାଜିକ ସ୍ରୋତରେ ସାମିଲ କରି ସେମାନଙ୍କ ପରିବାରକୁ ବିଭିନ୍ନ ସରକାରୀ ଯୋଜନା ଅନୁସାରେ ଥଇଥାନ କରିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହୋଇଥିଲା। ଆସିକା ଏନ୍ଏସି ଓ ବ୍ଲକରେ ୧୭ ଜଣ ଭିକ୍ଷୁକ ଚିହ୍ନଟ ହୋଇଥିବାବେଳେ ବେଲଗୁଣ୍ଠା ଏନ୍ଏସି ଓ ବ୍ଲକ୍ରୁ ୧୧, ଭଞ୍ଜନଗର ଏନ୍ଏସି ଓ ବ୍ଲକ୍ରୁ ୩୧, ବୁଗୁଡ଼ା ଏନ୍ଏସି ଓ ବ୍ଲକ୍ରୁ ୨୯ଜଣ, ଧରାକୋଟ ବ୍ଲକରୁ ୨୮, ଜଗନ୍ନାଥପ୍ରସାଦରୁ ୬୪, ଶେରଗଡ଼ରୁ ୬, ସୋରଡା ଏନ୍ଏସି ଓ ବ୍ଲକ୍ରୁ ୭, ବେଗୁନିଆପଡ଼ା ବ୍ଲକ ଓ କୋଦଳା ଏନ୍ଏସିରୁ ୨୪, ପୁରୁଷୋତ୍ତମପୁର ବ୍ଲକ୍ ଓ ଏନ୍ଏସିରୁ ୧୧, ହିଞ୍ଜିଳି ବ୍ଲକ୍ ଓ ପୌପାଳିକାରୁ ୬, ଖଲ୍ଲିକୋଟ ଏନ୍ଏସି ଓ ବ୍ଲକ୍ରୁ ୧୫, କବିସୂର୍ଯ୍ୟନଗର ଏନ୍ଏସି ଓ ବ୍ଲକରୁ ୩୬, ଗଞ୍ଜାମ ବ୍ଲକ୍ ଓ ଗଞ୍ଜାମ ଏବଂ ରମ୍ଭା ଏନ୍ଏସିରୁ ୧୦, ଛତ୍ରପୁର ବ୍ଲକ୍ ଓ ଏନ୍ଏସିରୁ ୪୯, ପୋଲସରା ବ୍ଲକ ଓ ଏନ୍ଏସିରୁ ୭, ବ୍ରହ୍ମପୁର ମହାନଗର ନିଗମ ଓ ରଙ୍ଗେଇଲୁଣ୍ତା ବ୍ଲକରୁ ୧୪୩, କୁକୁଡ଼ାଖଣ୍ତି ବ୍ଲକ୍ରୁ ୩୦, ସାନଖେମୁଣ୍ତି ବ୍ଲକ୍ରୁ ୯, ଚିକିଟି ବ୍ଲକ ଓ ଏନ୍ଏସିରୁ ୨ ଏବଂ ଚିକିଟି ବ୍ଲକ ଓ ଏନ୍ଏସିରୁ ୧୦ ଜଣ ଭିକ୍ଷୁକଙ୍କୁ ଚିହ୍ନଟ କରାଯାଇଥିଲା।
ସର୍ଭେ ବେଳେ ଭିକ୍ଷୁକଙ୍କ ସ୍ଥାୟୀ ଓ ଅସ୍ଥାୟୀ ଠିକଣା, ତାଙ୍କ ବୟସ, ବର୍ଗ, କିନ୍ନର ନା' ଭିନ୍ନକ୍ଷମ, ଆଧାରକାର୍ଡ଼ ଓ ଭୋଟ ପରିଚୟପତ୍ର ସମେତ ତାଙ୍କ କାର୍ଯ୍ୟଦକ୍ଷତା ଏବଂ ରୋଗ ବିଷୟରେ ତଥ୍ୟ ସଂଗ୍ରହ କରାଯିବ। ପରବର୍ତ୍ତୀ ସମୟରେ ସେମାନଙ୍କୁ ଦଳଗତ ବା ବ୍ୟକ୍ତିଗତ ଭାବେ ପରାମର୍ଶଦାତାମାନଙ୍କ ଦ୍ବାରା କାଉନ୍ସେଲିଂ କରି ସରକାରଙ୍କ ବିଭିନ୍ନ ପ୍ରକାର କଲ୍ୟାଣକାରୀ ଯୋଜନାରେ ସାମିଲ କରାଯିବ। ସେମାନଙ୍କ ପରିବାରର ପିଲାଙ୍କୁ ପ୍ରାଥମିକ ଓ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା, ଝିଅ ବାହାଘର ନିମନ୍ତେ ୫୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି, ଭିକ୍ଷୁକମାନଙ୍କ ପରିବାରର ମହିଳାଙ୍କୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ଆର୍ଥିକ ସ୍ବଚ୍ଛଳ ଓ ସଶକ୍ତୀକରଣ କରିବା, ବୃଦ୍ଧବୃଦ୍ଧାଙ୍କୁ ଆଶ୍ରମରେ ଥଇଥାନ୍ କରିବା ଓ ପକ୍କା ଘର ଆଦି ଯୋଗାଇବାକୁ ଯୋଜନା ଆରମ୍ଭ ହୋଇଥିଲା।
ହେଲେ ଉଦ୍ବେଗର ବିଷୟ ହେଲା, ସେହି ବର୍ଷ ମାର୍ଚ୍ଚ ମାସରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗକୁ ମିଳିଥିବା ପ୍ରାୟ ୪୨ ଲକ୍ଷ ୩୩ ହଜାର ଟଙ୍କା ଖର୍ଚ୍ଚ ବି ହୋଇପାରିଲାନି। ଯଦ୍ବାରା ଉକ୍ତ ଟଙ୍କାକୁ ପୁଣି ରାଜ୍ୟ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଫେରାଇ ନେଇଛି। ଫଳରେ ଗଞ୍ଜାମ ଜିଲ୍ଲାକୁ ଭିକ୍ଷୁକ ମୁକ୍ତ ଅଭିଯାନ କେବଳ ଆଲୋଚନା ମଧ୍ୟରେ ସୀମିତ ରହିଛି।
ଅନ୍ୟପକ୍ଷରେ ରାଜ୍ୟର କେବଳ ପୁରୀ ଜିଲ୍ଲାର ଭିକ୍ଷୁକଙ୍କୁ ଚିହ୍ନଟ କରିବା ପାଇଁ ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିପାଇଁ 'ନୀଳାଦ୍ରି ନୀଳୟ' ନାମକ ଗୋଟିଏ ସ୍ବେଚ୍ଛାସେବୀ ସଂସ୍ଥା ଅନୁମତି ପାଇଛି। ଗଞ୍ଜାମ ଜିଲ୍ଲାର ଭିକ୍ଷୁକଙ୍କୁ ଚିହ୍ନଟ କରିବା ପାଇଁ ବିଭାଗକୁ ଅନୁମତି ଲୋଡ଼ାଯାଇଛି। ଅନୁମତି ମିଳିବା ମାତ୍ରେ ଟେଣ୍ତର୍ ବାହାର କରାଯିବ। ଏଥିରେ ଯେଉଁ ସଂସ୍ଥା ଚୟନ ପ୍ରକ୍ରିୟାରେ ରହିବେ ତାଙ୍କୁ ସର୍ଭେ ଦାୟିତ୍ବ ଦିଆଯିବ। ସର୍ଭେ ଲାଗି କେତେ ଅନୁଦାନ ଖର୍ଚ୍ଚ ହେବ ଓ କେଉଁ ପ୍ରକ୍ରିୟାରେ ଭିକ୍ଷୁକମାନଙ୍କୁ ଚିହ୍ନଟ କରାଯିବ, ଏଭଳି କିଛି ଗାଇଡ୍ଲାଇନ୍ ମିଳିବା ପରେ ହିଁ ପଦକ୍ଷେପ ନିଆଯିବ ବୋଲି ଗଞ୍ଜାମ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା କହିଛନ୍ତି।