ରାୟଗଡ଼ା: ରାୟଗଡ଼ା ବାଇପାସ୍ ପାଇଁ ଫିଟିଛି ବାଟ। ଆଜି ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଚୂଡ଼ାନ୍ତ ନକ୍ସାକୁ ଅନୁମୋଦନ କରିଛି କମିଟି। ୪୩୫ କୋଟି ବ୍ୟୟରେ ନିର୍ମାଣ ହେବାକୁ ୧୩.୧୨ କିମି ବାଇପାସରେ ଫ୍ଲାଏ ଓଭର ସହ ଗୋଟିଏ ରେଳ ଓଭରବ୍ରିଜ୍, ୨ଟି ସୁଉଚ୍ଚ ପୋଲ, ୧୬ଟି କଲର୍ଭଟ ରହିବ। ଉଚ୍ଚସ୍ତରୀୟ କମିଟି କର୍ତ୍ତୃପକ୍ଷଙ୍କ ସହ କୋରାପୁଟ ସାଂସଦ ସପ୍ତଗିରି ଉଲାକା, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ସାଇଟ୍ ପରିଦର୍ଶନ କରି ନକ୍ସାର ଅନୁଧ୍ୟାନ କରିଛନ୍ତି।

Advertisment

୩୨୬ ନଂ ଜାତୀୟ ରାଜପଥର ଅମ୍ଲାଭଟ୍ଟା ଛକରୁ ବାଇପାସ୍ ରାସ୍ତା ଆରମ୍ଭ ହୋଇ ୧୨ଟି ଗାଁ ଭୁଜବଳ, ଅମ୍ଲାଭଟ୍ଟା, ଚାନ୍ଦିଲି, ଭାକୁରଗୁଡା, କୁମୁଟିପେଣ୍ଠ, କଟଲାଗୁଡା, ବୀରନାରାୟଣପୁର, ସିନ୍ଦୁବାଡି, ବାରିଝୋଲା, ସିଙ୍ଗାନପୁର, ସିରିଗୁଡା ଦେଇ ସିରିକଣାରେ ସରିବ। ବାଇପାସ୍ ପାଇଁ ୪୪.୯୧୮ ଏକର ସରକାରୀ ଜମି, ୧୨୯.୪୧୯ ଏକର ବେସରକାରୀ ଏବଂ ୪.୧୮ ଏକର ଜଙ୍ଗଲ ଜମି ମୋଟ ୧୭୮.୫୧୮ ଏକର ଜମି ଆବଶ୍ୟକ। ଜମି ଅଧିଗ୍ରହଣ ନିମନ୍ତେ ନିମନ୍ତେ ୨୧୮ କୋଟି ୭୮ଲକ୍ଷ ୬୬ ହଜାର ଟଙ୍କା  ଖର୍ଚ୍ଚ ହେବ। ସେହିପରି ରାସ୍ତା ନିର୍ମାଣ ପାଇଁ ୨୩୪ କୋଟି ୩୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ତେବେ ଚୂଡ଼ାନ୍ତ ଡିପିଆର୍ ଦାଖଲ ବେଳକୁ ବଜେଟ୍ ଆଉ କିଛି ବଢ଼ିପାରେ ବୋଲି ଜାତୀୟ ରାଜପଥ ବିଭାଗ ନିର୍ବାହୀ ଯନ୍ତ୍ରୀ ସୌମର୍ଜିନୀ ସେଠୀ କହିଛନ୍ତି। ନିର୍ମାଣ ହେବାକୁ ବାଇପାସ୍ ରାସ୍ତାରେ ଦୁଇଟି ନଦୀ, ରେଳ ଲାଇନ୍, ୩ଟି କେନାଲ ଓ ୧୦ଟି ଝରଣା ରହିଛି। ଫଳ‌ରେ ନାଗାବଳୀ ଓ ସୀତାଗୃହ ନଦୀ ଉପରେ ବ୍ରିଜ୍, ବିଜୟନଗରମ-ରାୟପୁର ରେଳ ଲାଇନ୍ ଉପରେ ଓଭରବ୍ରିଜ୍, ୩ଟି ପ୍ରମୁଖ ଜଙ୍କସନ୍, ୩ଟି ସାଧାରଣ ଜଙ୍କସନ୍, ୩୨୬ ନଂ ଜାତୀୟ ରାଜପଥ ଉପର ଦେଇ ଫ୍ଲାଏ ଓଭର, ବସଯାତ୍ରୀଙ୍କ ପାଇଁ ୪ଟି ଆଶ୍ରୟସ୍ଥଳୀ, ୧୪୪ ମିଟରର ଟ୍ରେନ୍ ଓ ଫୁଟ ପାଥ୍ ନିର୍ମାଣ ହେବ। ସମ୍ପୂର୍ଣ୍ଣ ରାସ୍ତାରେ ହାଇୱେ ଲାଇଟିଂ ସିଗନାଲ୍ ସହ ରୋଡ୍ ସେଫଟି ଡିଭାଇସ୍ ଲାଗିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ରାୟଗଡ଼ା-ଜେକେପୁର ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଜିଲ୍ଲା ଅତିକ୍ରମ କରି ଆନ୍ଧ୍ରକୁ ଛୁଇଁଛି। ଏଥି ସହ ଦକ୍ଷିଣାଞ୍ଚଳର ଏନଏଚ ୩୨୬ ଏ, ଏନଏଚ ୫୯, ଏନଏଚ ୫୧୬ ଏବଂ ପାଲସା-ପାରଳାଖେମୁଣ୍ଡି ରାସ୍ତା ୩୨୬ ନଂ ଜାତୀୟ ରାଜପଥକୁ ସଂଯୋଗ କରିଛି। ପ୍ରମୁଖ ରାଜପଥ ସହ ଏହି ରାସ୍ତା ଯୋଡ଼ି ହୋଇଥିବାରୁ ଦୈନିକ ଶହ ଶହ ମାଲବାହୀ ଯାନବାହନ ଯାତାୟାତ କରୁଛନ୍ତି। ବାଇପାସ୍ ନିର୍ମାଣ ସରିଲେ ଦୀର୍ଘ ୩ ଦଶନ୍ଧି ଧରି ରାୟଗଡ଼ା ସହରରେ ଲାଗି ରହିଥିବା ଟ୍ରାଫିକ୍ ସମସ୍ୟାର ସମାଧାନ ହେବ।

ଡିଆରଡିଏ ସମ୍ମିଳନୀ କକ୍ଷରେ ବସିଥିବା ଉଚ୍ଚସ୍ତରୀୟ କମିଟି ବୈଠକରେ ସାଂସଦ, ବିଧାୟକଙ୍କ ସମେତ ରାୟଗଡ଼ା ପୌରାଧ୍ୟକ୍ଷ ପି. ମହେଶ ପଟ୍ଟନାୟକ, ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ, ଉପଜିଲ୍ଲାପାଳ ଭୀମସେନ ଶବର, ଭୂ-ଅର୍ଜନ ଅଧିକାରୀ ନାରାୟଣ ମିଶ୍ର, ଅତିରିକ୍ତ ତହସିଲଦାର ସୁନୀଲ ଖରା, ସୁନାବେଡା ଜାତୀୟ ରାଜପଥ ବିଭାଗ ନିର୍ବାହୀ ଯନ୍ତ୍ରୀ ସୌମ୍ୟର୍ଜିନୀ ସେଠୀ, ଜାତୀୟ ରାଜପଥ ଉପବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ବିକ୍ରମ ପାଣିଗ୍ରାହୀ, କନିଷ୍ଠ ଯନ୍ତ୍ରୀ କିଶୋର ସିଂ, କନସଲଟେନ୍ସି କର୍ତ୍ତୃପକ୍ଷ ଗୟାଧର ସାହୁ, କନିଷ୍ଠ ଯନ୍ତ୍ରୀ ବୁଲୁ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।