ଚମ୍ପୁଆ: ବେଆଇନ ଭାବେ ପାନମସଲା ଓ ଟବାକୋ ପରିବହନ କରୁଥିବା ଏକ ଟ୍ରକରୁ ୪୪ ଲକ୍ଷ ୬୪ ହଜାର ୨୭୨ ଟଙ୍କା ଜରିମାନା ଆଦାୟ କରାଯାଇଛି। ୧୪ ଚକିଆ ଟ୍ରକ (ଏନଏଲ୍ ୦୧ଏଲ ୬୭୬୫) ରେ ୩୨୦ ପେଟି ପାନ ମସଲା ଓ ୩୨ ବ୍ୟାଗ୍ ଟବାକୋ ବେଆଇନ ଭାବେ ପରିବହନ କରାଯାଉଥିଲା। ଏହି ଗାଡ଼ିଟି ଗତ ୨୪ ତାରିଖରେ ରିମୁଳି ନିକଟସ୍ଥ ମୁରୁସୁଆଁ ତେଲ ଟାଙ୍କିରେ ଠିଆହୋଇଥିଲା। ବଡ଼ବିଲର ସିଟି ଓ ଏନଫୋର୍ସମେଣ୍ଟ ଟିମ୍ ସନ୍ଦେହ କରି ଗାଡ଼ିରେ କଣ ଅଛି ବୋଲି ଡ୍ରାଇଭରକୁ ପଚାରିବାରୁ ଖାଇବା ତେଲ ଅଛି ବୋଲି ସେ ଉତ୍ତର ଦେଇଥିଲା। ମାତ୍ର ସେ କୌଣସି କାଗଜପତ୍ର ଦେଖାଇ ପାରି ନ ଥିଲା। ଡାଲା ଯାଞ୍ଚ କରିବାରୁ ଭିତରେ ପାନ ମସଲା ଓ ଟବାକୋ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଗାଡ଼ିଟିକୁ ସେମାନେ ଚମ୍ପୁଆ ଥାନାକୁ ନେଇଯାଇଥିଲେ। ଗତ ୨୫ ତାରିଖରେ ବଡ଼ବିଲର ଜିଏସଟି ଅଧିକାରୀମାନେ ପୁଣି ଯାଞ୍ଚ କରିଥିଲେ। ୩୨୦ ପେଟି ପାନ ମସଲା ଓ ୩୨ ବ୍ୟାଗ୍ ଟବାକୋ ବେଆଇନ ଭାବେ ଚାଲାଣ ହେଉଥିବାରୁ ଜିଏସ୍ଟି ଓ ବିଭିନ୍ନ ଟିକସ ବାବଦରେ ୪୪ ଲକ୍ଷ ୬୪ ହଜାର ୨୭୨ ଟଙ୍କା ଜରିମାନା ଆଦାୟ କରିଥିଲେ। ୨୬ ତାରିଖ ଦିନ ଦିଲ୍ଲୀର ଏହି ସାମଗ୍ରୀର ମାଲିକ ଅନଲାଇନ ମାଧ୍ୟମରେ ଏହି ବିପୁଳ ଅର୍ଥରାଶି ପୈଠ କରିଥିଲେ।
ଏହି ଚଢ଼ଉରେ ଟିମ୍ ମୁଖ୍ୟ ସୌମ୍ୟନାରାୟଣ ସେଠୀ, ରାଜ୍ୟ ଅତିରିକ୍ତ ଟିକସ ଅଧିକାରୀ ଅକ୍ଷୟ କୁମାର ପଣ୍ଡା, ମିହିର କିଶୋର ଜେନା, ସହକାରୀ ଟିକସ ଅଧିକାରୀ ରୁଦ୍ରସେନ ଜିତ ଓ ସୁଶାନ୍ତ କୁମାର ପଣ୍ଡା ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/d9ea6245-3071-43f8-a10e-a9b07566c8aa.jpg)