କ୍ୟାବିନେଟ୍‌ ନିଷ୍ପତ୍ତି: କୁଆଖାଇ, ଇବ୍‌ରେ ଆନିକଟ ପାଇଁ ୪୪୨କୋଟି

ଜଳକଷ୍ଟ ଦୂର ହେବା ସହ ମାଛ ଚାଷ କରିହେବ
୫ବର୍ଷରେ ଲ‌େକ୍ଷ ଗଭୀର ନଳକୂପ ପାଇଁ ୪୧୯୮କୋଟି
ଗଙ୍ଗାଧର ମେହେର ଉଠା ସେଚ ପାଇଁ ୧୮୫କୋଟି
୧୬୦ କୋଟିରେ ବରଗଡ଼ ମୁଖ୍ୟ କେନାଲର କଙ୍କ୍ରିଟକରଣ
୫ବର୍ଷରେ ୧୨୮୦ଟି ଆଡ଼ିବନ୍ଧ ପାଇଁ ୮୧୧.୪୫କୋଟି

ଭୁବନେଶ୍ବର : ବିନା ବିସ୍ଥାପନରେ ସୀମିତ ନଦୀ ଗର୍ଭରେ ବୃହତ୍ତ ଜଳାଶୟ ସୃଷ୍ଟି ଲାଗି ରାଜ୍ୟ ସରକାର ୨୦୧୯-୨୦‌ର ୧୧,୭୦୦କୋଟି ଟଙ୍କା ବ୍ୟୟରେ ‘ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ’ ପ୍ରକଳ୍ପର ଯୋଜନା କରିଥିଲେ। ଏହି ପ୍ରକଳ୍ପ ମାଧ୍ୟରେ ରାଜ୍ୟରେ ତିନିଟି ବଡ଼ ପ୍ରକଳ୍ପ କରିବାକୁ ନିଷ୍ପତ୍ତି ହୋଇଛି। ଗୋଟିଏ ଭୁବନେଶ୍ବରର ପାଣ୍ଡରା ନିକଟରେ କୁଆଖାଇ ନଦୀରେ, ଆଉ ଦୁଇଟି ସୁନ୍ଦରଗଡ଼ ଜିଲ୍ଲାରେ ଇବ୍‌ ନଦୀରେ କରିବାକୁ ନିଷ୍ପତ୍ତି ହୋଇଛି। ଏହି ତିନିଟି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୪୪୨କୋଟି ୨୭ଲକ୍ଷ ଖର୍ଚ୍ଚ କରିବେ। ଆଜି ଏ ସମ୍ପର୍କିତ ତିନିଟି ଟେଣ୍ଡର ଉପରେ କ୍ୟାବିନେଟ୍ ମୋହର ବାଜିଛି।ଏହି ପ୍ରକଳ୍ପ ଦ୍ବାରା ସ୍ଥାନୀୟ ଲୋକଙ୍କ ଚାଷ କାର୍ଯ୍ୟ, ଘରକୁ ପିଇବା ପାଣି, ଶିଳ୍ପ, ସାମାଜିକ ଓ ଆର୍ଥିକ ଉନ୍ନତି ହୋଇପାରିବ। ପ୍ରକଳ୍ପର ଅନ୍ୟ ଏକ ଫାଇଦା ହେଲା ଏହାଦ୍ବାରା ନିର୍ମାଣ ହେବାକୁ ଥିବା ଜଳାଶୟରେ ମାଛ ଚାଷ କରିହେବ।
ପାଣ୍ଡରା ନିକଟରେ କୁଆଖାଇରେ ବ୍ୟାରେଜ୍ ନେଇ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଥିବାବେଳେ ଏବେ ଏହା ଉପରେ ‌ମୋହର ବାଜିଛି। ଟର୍ଣ୍ଣ କି ପ୍ରକଳ୍ପରେ ହେବାକୁ ଥିବା ଏହି ଆନିକଟ ପାଇଁ ୧୨୮କୋଟି ୭ଲକ୍ଷ ଟଙ୍କା ଖର୍ଚ୍ଚ ହେବ (ପ୍ରକଳ୍ପ ପାଇଁ ୧୨୭କୋଟି ୩୨ଲକ୍ଷ ଏବଂ ୫ବର୍ଷର ରକ୍ଷଣାବେକ୍ଷଣ ପାଇଁ ୭୫ଲକ୍ଷ) ଖର୍ଚ୍ଚ ହେବ। ଏହି ପ୍ରକଳ୍ପ ୨୪ମାସ ମଧ୍ୟରେ ଶେଷ ହେବ। ଏହି ପ୍ରକଳ୍ପ ହେଲେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳ, ବାଲିଅନ୍ତା ତହସିଲର ଲୋକମାନଙ୍କର ପାନୀୟ ଜଳ ଓ ଘରୋଇ ବ୍ୟବହାର ନିମନ୍ତେ ପର୍ଯ୍ୟାପ୍ତ ଜଳ ଉପଲବ୍ଧ ହେବ। ପ୍ରକଳ୍ପ ଦ୍ବାରା ଯେଉଁ ଜଳାଶୟ ହେବ ସେଥିରେ ୧୬୧.୭୯ହେକ୍ଟର ଅଞ୍ଚଳରେ ମାଛ ଚାଷ କରିହେବ।

ସେହିପରି ସୁନ୍ଦରଗଡ଼ ଜିଲ୍ଲାର କୋପସିଙ୍ଗା ଗ୍ରାମ ନିକଟରେ ଇବ୍‌ ନଦୀରେ ଏକ ଆନିକଟ ସେତୁ ନିର୍ମାଣ ହେବାର ପ୍ରସ୍ତାବ ରହିଛି। ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ୧୫୨କୋଟି ୨୦ଲକ୍ଷ ଏବଂ ୫ବର୍ଷର ରକ୍ଷଣାବେକ୍ଷଣ ପାଇଁ ୮୦ଲକ୍ଷ ଟଙ୍କାର ଟେଣ୍ଡରକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ପ୍ରକଳ୍ପଟି ୩୦ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଉକ୍ତ ପ୍ରକଳ୍ପରେ ଜଳଗର୍ଭସ୍ଥ ଯାନ୍ତ୍ରିକ କାର୍ଯ୍ୟ, ଶକ୍ତି ସଂଯୋଗୀକରଣ ତଥା ପ୍ରକଳ୍ପ ନିର୍ମାଣ ପରେ ଆସନ୍ତା ୫ବର୍ଷ ବା ୫ଟି ବନ୍ୟା ଋତୁ, ଯେଉଁଟି ଅଧିକ ସେହି ସମୟ ପର୍ଯ୍ୟନ୍ତ ପ୍ରକଳ୍ପର ରକ୍ଷଣାବେକ୍ଷଣ କାର୍ଯ୍ୟ ମଧ୍ୟ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପ ଦ୍ବାରା ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରପଲ୍ଲୀ ଓ ସଦର ବ୍ଲକର ୧୪ଟି ଗ୍ରାମର ଲୋକମାନଙ୍କର ପାନୀୟ ଜଳ ଓ ଘରୋଇ ବ୍ୟବହାର ନିମନ୍ତେ ପର୍ଯ୍ୟାପ୍ତ ପାଣି ଉପଲବ୍ଧ ହେବ। ଏହାବାଦ୍ ଜଳାଶୟଟି ସ୍ଥାନୀୟ ଲୋକଙ୍କର ଚାଷ କାର୍ଯ୍ୟ, ଶିଳ୍ପ, ସାମାଜିକ ଓ ଆର୍ଥିକ ଉନ୍ନତି ଦିଗରେ ସହାୟକ ହେବା ସହ ୩୧୭.୭୦ହେକ୍ଟର ପରିମିତ ଅଞ୍ଚଳରେ ମାଛ ଚାଷ ନିମନ୍ତେ ସହାୟକ ହେବ। ସେହିପରି ଆଉ ଏକ ଆନିକଟ ପ୍ରକଳ୍ପ ସେହି ଇବ୍‌ ନଦୀରେ ସୁନ୍ଦରଗଡ଼ ଜିଲ୍ଲାର କୁଡ଼ାବାଗା ଗ୍ରାମ ନିକଟରେ ହେବ। ଏଥିପାଇଁ ୧୬୨କୋଟି ଖର୍ଚ୍ଚ ହେବାକୁ ଥିବା ବେଳେ ୫ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ୯୦ଲକ୍ଷ ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହା ବି ୩୦ମାସରେ ଶେଷ ହେବ। ଏହି ପ୍ରକଳ୍ପ ଦ୍ବାରା ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରାପଲ୍ଲୀ, ଲେଫ୍ରିପଡ଼ା, ବାଲିଶଙ୍କର ଓ ସଦର ବ୍ଲକର ଲୋକମାନଙ୍କର ପାନୀୟ ଜଳ ଓ ଘରୋଇ ବ୍ୟବହାର ନିମନ୍ତେ ପର୍ଯ୍ୟାପ୍ତ ଜଳ ଉପଲବ୍ଧ ହେବ। ଏହି ଜଳାଶୟ ଦ୍ବାରା ୬୨.୫୦ହେକ୍ଟର ଅଞ୍ଚଳରେ ମାଛ ଚାଷ ହୋଇପାରିବ।

Jharsuguda Live

ଏହା ବାଦ୍ ଶୁଷ୍କ ଓ ପଥୁରିଆ ଅଞ୍ଚଳରେ ଉଭୟ ଖରିଫ ଓ ରବି ଚାଷ ନିମନ୍ତେ ଜଳସେଚନ ବ୍ୟବସ୍ଥା ପାଇଁ ଆସନ୍ତା ୫ବର୍ଷରେ ଏକ ଲକ୍ଷ ଗଭୀର ନଳକୂପ ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଯୋଜନାରେ ୨୬ଟି ଜିଲ୍ଲାରେ ୨୫୬ ବ୍ଲକରେ ଏହି ନଳକୂପ ବସିବ। ଏହାଦ୍ବାରା ୫ଲକ୍ଷ ହେକ୍ଟର ଖରିଫ ଓ ୨ଲକ୍ଷ ହେକ୍ଟର ରବି ଫସଲ ପାଇଁ ଜଳସେଚନ ଯୋଗାଇ ଦେବା ନିମନ୍ତେ ୪୧୯୮.୧୬ କୋଟି ଟଙ୍କା ବ୍ୟୟରେ ‘ବିଜୁ କୃଷକ ବିକାଶ ଯୋଜନା-ଗଭୀର ନଳକୂପ ସେଚ କାର୍ଯ୍ୟକ୍ରମ’କୁ ୨୦୨୧-୨୨ରୁ ୨୦୨୫-୨୬ ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହାଦ୍ବାରା ପ୍ରତିବର୍ଷ ଅର୍ଥକାରୀ ଫସଲ ଉତ୍ପାଦନ କରି ପ୍ରାୟ ୧ଲକ୍ଷ କୃଷକ ଉପକୃତ ହୋଇପାରିବେ।

ସେହିପରି ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ (ଅତିରିକ୍ତ ଆୟକଟ) ପାଇଁ ଆହ୍ବାନ ହୋଇଥିବା ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି। ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ୧୮୫କୋଟି ୪୫ଲକ୍ଷ ୨ହଜାର ୬୫୦ଟଙ୍କା ଖର୍ଚ୍ଚ ହେବ ଓ କାମ ୨୪ ମାସରେ ଶେଷ ହେବ। ପ୍ରକଳ୍ପ ନିର୍ମାଣ ଦ୍ବାରା ୫୭୫୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯିବା ସହ ବରଗଡ଼ ଜିଲ୍ଲାର ୧୨ଟି ଗ୍ରାମର ଲୋକ ଉପକୃତ ହେବେ।

ହୀରାକୁଦ ସେଚାଞ୍ଚଳ ଅନ୍ତର୍ଗତ ବରଗଡ଼ ମୁଖ୍ୟ କେନାଲର ଆରମ୍ଭରୁ ୮୪.୨୭୭କିମି ପର୍ଯ୍ୟନ୍ତ ପୁନରୁଦ୍ଧାର ଓ ପୁନର୍ବିନ୍ୟାସ ପ୍ରକଳ୍ପରେ ୨୫କିମି ପର୍ଯ୍ୟନ୍ତ କଂକ୍ରିଟକରଣ ପାଇଁ ଆହ୍ବାନ ହୋଇଥିବା ଟେଣ୍ଡରକୁ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପ ପାଇଁ ୧୬୦କୋଟି ୩୩ଲକ୍ଷ ୪ହଜାର ୬୦୩ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପ କାମ ୨ବର୍ଷରେ ଶେଷ ହେବ। ଏହି ପ୍ରକଳ୍ପ ହେଲେ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀରର ଖରିଫ ଋତୁରେ ୧ଲକ୍ଷ ୩୦ହଜାର ୨୩୫ହେକ୍ଟର ଚାଷ ଜମି ଏବଂ ରବି ଋତୁରେ ୯୮,୯୫୮ ହେକ୍ଟର ଚାଷ ଜମିକୁ ଜଳ ଯୋଗାଣ ହୋଇପାରିବ।

ସେହିପରି ରାଜ୍ୟରେ ଥିବା ଛୋଟ ଛୋଟ ନଦୀ, ନାଳଗୁଡ଼ିକରେ ୧୨୮୦ଟି ଆଡ଼ିବନ୍ଧ ନିର୍ମାଣ କରି ଅସ୍ଥାୟୀ ବନ୍ଧ ଦ୍ବାରା ଜଳସେଚିତ ଜମିରେ ସୁନିଶ୍ଚିତ ଜଳସେଚନ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା ଅଧୀନରେ ଚେକ୍‌ ଡ୍ୟାମ୍ ନିର୍ମାଣ ଯୋଜନାକୁ ଆସନ୍ତା ୩ବର୍ଷ ୨୦୨୨-୨୩ରୁ ୨୦୨୪-୨୫ ମଧ୍ୟରେ ୮୧୧.୪୫କୋଟି ବ୍ୟୟରେ ୨୭୬୦୦ ହେକ୍ଟର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରିବା ପାଇଁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହାଦ୍ବାରା ମୌସୁମୀ ପରବର୍ତ୍ତୀ ସମୟରେ ଗ୍ରାମଗୁଡ଼ିକୁ ପାନୀୟ ଜଳର ସୁବିଧା ଯୋଗାଇବା ସହ ଭୂତଳ ଜଳସ୍ତର ବୃଦ୍ଧି ପାଇବ।

ସମ୍ବନ୍ଧିତ ଖବର