ରାୟଗଡ଼ା: କାଠ ବ୍ୟବସାୟରୁ ଗଞ୍ଜେଇ ମାଫିଆ ପାଲଟିଥିବା କରୁଣା ହିଆଲଙ୍କ କଳା ସାମ୍ରାଜ୍ୟରେ ତାଲା ଝୁଲାଇଛି ପୁଲିସ୍। ବେଆଇନ ସମ୍ପତ୍ତି ଆୟ ଅଭିଯୋଗରେ ଅର୍ଥ ବିଭାଗର ସ୍ବତନ୍ତ୍ର ଅଧିକାରୀଙ୍କ ନିର୍ଦେଶରେ ସ୍ଥାବର ଓ ଅସ୍ଥାବର ମୋଟ ୪୫ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କର ଦୁଇଟି ଆକାଉଣ୍ଟ୍ ଅଚଳ ସହ ଘର ଏବଂ ଗଞ୍ଜେଇ ବ୍ୟବସାୟରେ ବ୍ୟବହୃତ ହେଉଥିବା ତିନୋଟି ଗାଡ଼ିକୁ ପୁଲିସ୍ ଜବତ କରିଛି।
୨୦୨୧ ଜୁଲାଇ ୩ ତାରିଖରେ କରୁଣା ହିଆଲଙ୍କୁ କାବୁ କରିଥିଲା ମୁନିଗୁଡ଼ା ପୁଲିସ୍। ୭୮୦ କେଜି ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ସମୟରେ ବିଷମକଟକ ଏସଡିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ବରେ ପୁଲିସ୍ ଚଢ଼ାଉ କରି ଗଞ୍ଜେଇ ମାଫିଆ କରୁଣାଙ୍କ ସମେତ ଦୁଇ ପୁଅ ବୀରେନ୍ଦ, ଜିତେନ୍ଦ୍ରଙ୍କୁ ମିଶାଇ ୬ ଜଣଙ୍କୁ ଗିରଫ କରିଥିଲା। ଗଞ୍ଜେଇ ଚାଲାଣରେ ବ୍ୟବହୃତ ଟ୍ରକ, ଟ୍ରାକ୍ଟର, ଅଟୋ ଜବତ ପରେ କରୁଣାଙ୍କ କଳା ସାମ୍ରାଜ୍ୟ ସଂପର୍କରେ ଖୋଳତାଡ଼ ଆରମ୍ଭ କରିଥିଲା ପୁଲିସ୍। ଦୀର୍ଘ ୧୫ ବର୍ଷ ହେଲା ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର, ଗୁଡାରି, ଗଜପତି ଜିଲ୍ଲାର ମୋହନା, ଅଡବା ଅଞ୍ଚଳରେ ଗଞ୍ଜେଇ କାରବାରର ନେଟୱର୍କ ସୁଦୃଢ଼ କରିଥିଲା କରୁଣା। ଏହି ସବୁ ଅଞ୍ଚଳରୁ ନିୟମିତ ବ୍ୟବଧାନରେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିଲା। ସୂଚନା ପରେ ପୁଲିସ୍ କରୁଣାଙ୍କୁ ସ୍କାନରରେ ରଖିଥିଲା।
ଗିରଫ ପରେ ଏସଡିପିଓ ଶ୍ରୀ ସାହୁ ନିଜେ ମାମଲାର ତଦନ୍ତ କରି ସମସ୍ତ ତଥ୍ୟ ହାସଲ କରିବା ପରେ ବେନାମୀ ସମ୍ପତ୍ତି ଜବତ ପାଇଁ ଅର୍ଥ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲା ପୁଲିସ୍। ଟଙ୍କା ଆୟର ଅନ୍ୟ କିଛି ମାଧ୍ୟମ ନଥିବାରୁ ଗଞ୍ଜେଇ କାରବାରରୁ ହିଁ ୪୫ ଲକ୍ଷ ଟଙ୍କାର ସମ୍ପତ୍ତି ଆୟ କରିଥିବା ପୁଲିସ୍ ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ଅର୍ଥ ମନ୍ତ୍ରଣାଳୟର ସ୍ବତନ୍ତ୍ର ଅଧିକାରୀଙ୍କ ନିର୍ଦେଶରେ ମୁନିଗୁଡ଼ା ତହସିଲ ମାଳିଢ଼େପଗୁଡା ମୌଜା ଖାତା ନଂ-୦୫/୮୪ରେ ଥିବା ୧୫ ଲକ୍ଷ ମୂଲ୍ୟର ଗୋଟିଏ ଦୁଇ ମହଲା ଘର, ୧୫ ଲକ୍ଷ ମୂଲ୍ୟର ଗୋଟିଏ ଏକ ମହଲା ଘର, ୫ ଲକ୍ଷ ଟଙ୍କାର ଏକ ଆଜବେଷ୍ଟ୍ ଘରକୁ ଜବତ କରିଛି। ଜବତ ହୋଇଥିବା ତିନୋଟି ଘରର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ଅର୍ଥ ମନ୍ତ୍ରଣାଳୟ ଦର୍ଶାଇଛି।
ସେହିପରି ମୁନିଗୁଡ଼ା ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଥିବା ଦୁଇଟି ଆକାଉଣ୍ଟରୁ ପୁଲିସ୍ ୮୭ ହଜାର ୬୦୧ ଟଙ୍କା ଜବତ କରିବା ସହ ଆକାଉଣ୍ଟକୁ ଅଚଳ କରିଛି। ଆକାଉଣ୍ଟ୍ ମାଧ୍ୟମରେ ବହୁ ଟଙ୍କା ଓଡ଼ିଶା ସମେତ ବାହାର ରାଜ୍ୟକୁ ଦେଣନେଣ ହୋଇଥିବା ପୁଲିସ୍ ତଦନ୍ତରୁ ଜଣା ପଡିଛି। ଘର ବ୍ୟାଙ୍କ ଆକାଉଣ୍ଟ ପରେ ପୁଲିସ୍ କରୁଣାଙ୍କ ନିକଟରେ ଥିବା ୩ଟି ଗାଡ଼ିକୁ ମଧ୍ୟ ଜବତ କରିଛି। ପୁଲିସ୍ ୧.୮୭ ଲକ୍ଷ ମୂଲ୍ୟର ଏକ ଅଟୋ, ୬.୭୮ ଲକ୍ଷର ଗୋଟିଏ ଟ୍ରାକ୍ଟର୍, ୧ ଲକ୍ଷ ମୂଲ୍ୟର ଏକ ଟ୍ରାକ୍ଟର ଟ୍ରେଲର ଜବତ କରିଛି। ଗଞ୍ଜେଇ ଚାଲାଣ ମାମଲାରେ କରୁଣା ହିଆଲ୍ ଓ ଦୁଇ ପୁଅ ବୀରେନ୍ଦ୍ର, ଜିତେନ୍ଦ୍ର ଜେଲ୍ ଭିତରେ ଥିବା ବେଳେ କରୁଣାଙ୍କ ନାଁରେ ମୁନିଗୁଡ଼ା, ଚନ୍ଦ୍ରପୁର ଥାନାରେ ୮ଟି ମାମଲା ରହିଛି। ଚନ୍ଦ୍ରପୁର ଥାନାରେ ଗୋଟିଏ ଏବଂ ମୁନିଗୁଡ଼ା ଥାନାରେ ଗଞ୍ଜେଇ ଚାଷ ଅଭିଯୋଗରେ ୭ଟି ମାମଲା ରହିଛି।
ସୂଚନାଯୋଗ୍ୟ, କରୁଣା ହିଆଲଙ୍କ ପୂର୍ବରୁ ବିଷମକଟକ ଏସଡିପିଓ ଆକାଶ ସାହୁଙ୍କ ତଦନ୍ତ ଆଧାରରେ ଗଞ୍ଜେଇ ମାଫିଆ ଆନନ୍ଦ ମିଶ୍ରଙ୍କ ମଧ୍ୟ ୭୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସମ୍ପତ୍ତିକୁ ଜବତ କରିଥିଲା ପୁଲିସ୍।