ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହର ପୁଞ୍ଜିକୟାଁ ଛକଠାରେ ଯାଞ୍ଚବେଳେ ଏକ ଇନୋଭା କାର୍ ସହ ୫ଲକ୍ଷ ୩୬ହଜାର ଟଙ୍କା ଜବତ କରିଛି ପୁଲିସ। ଉକ୍ତ ଟଙ୍କା ବ୍ରହ୍ମପୁରରୁ ମୋହନା ଯାଉଥିଲା। ପୁଲିସ ୪ଜଣକୁ ଅଟକ ରଖି ପଚରାଉଚରା କରିଥିବାବେଳେ ପ୍ରାଥମିକ ତଦନ୍ତରୁ ତାହା ବିଜେପିର ଟଙ୍କା ବୋଲି ଜଣାପଡ଼ିଛି।
ପୁଲିସ ସୂଚନା ଅନୁଯାୟୀ, ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟରେ ଆଜି ମଧ୍ୟାହ୍ନ ୧୨ଟା ବେଳେ ଫ୍ଲାଇଂ ସ୍କ୍ବାଡ଼, ଷ୍ଟାଟିକ ସର୍ଭେଲାନ୍ସ ଟିମ୍ ପକ୍ଷରୁ ଯାନବାହାନ ଯାଞ୍ଚ ଚାଲିଥିଲା। ଏ ସମୟରେ ବ୍ରହ୍ମପୁରରୁ ମୋହନା ଅଭିମୁଖେ ଯାଉଥିବା ଓଆର-୦୨-ବିସି-୮୮୯୯ ନମ୍ବର ବିଶିଷ୍ଟ ଇନୋଭା କାରକୁ ଯାଞ୍ଚ କରାଯାଇଥିଲା। ଇନୋଭା କାର ଉପରେ ବୋଝେଇ ହୋଇଥିବା ସୁଟ୍କେଶରେ ଟଙ୍କା ରହିଥିବା ଯାଞ୍ଚବେଳେ ଜଣାପଡିଥିଲା। ଷ୍ଟାଟିକ ସର୍ଭେଲାନ୍ସ ଟିମ୍ର ଅଧିକାରୀ ପଦାରବିନ୍ଦ ସାହୁ ଓ ଦକ୍ଷ ପ୍ରସାଦ ଆଚାର୍ଯ୍ୟ ସଙ୍ଗେ ସଙ୍ଗେ ଦିଗପହଣ୍ଡି ତହସିଲଦାର ଅଦ୍ବୈତ କୁମାର ସ୍ବାଇଁ ଏବଂ ଥାନା ଅଧିକାରୀ ଗୌରାଙ୍ଗ ଚରଣ ସାହୁଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଥାନା ଅଧିକାରୀ ଏବଂ ତହସିଲଦାର ଘଟଣା ସ୍ଥଳରେ ପହଁଞ୍ଚି ଇନୋଭା କାରକୁ ଥାନାକୁ ନେଇଥିଲେ। ଖବର ପାଇ ଚିକିଟି ଏସ୍ଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ ପହଁଞ୍ଚିଥିଲେ। ଅଧିକାରୀ ଓ ତହସିଲଦାରଙ୍କ ଉପସ୍ଥିତିରେ ଟଙ୍କା ଗଣିବା ପରେ ୫ ଲକ୍ଷ ୩୬ ହଜାର ଟଙ୍କା ଥିବା ସ୍ପଷ୍ଟ ହୋଇଥିଲା। ଉକ୍ତ ଇନୋଭାରେ ବିଜେପିର ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ରାଜ୍ୟ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା କୁଞ୍ଜ ବିହାରୀ ପାଣିଗ୍ରାହୀ, ବିଜେପି ଗଜପତି ଜିଲ୍ଲା ପ୍ରଭାରୀ ପବିତ୍ର ମୋହନ ଦାସ, ଖଇରା ଚଣ୍ଡିଖୋଲର ହୃଷୀକେଶ ବାରିକ ଓ ବିଶ୍ବନାଥ ଦାସ ବସିଥିଲେ। ଜମି କିଣିବା ଲାଗି ଉକ୍ତ ଟଙ୍କା ନେଇ ପାରଳାଖେମୁଣ୍ଡି ଯାଉଥିବା ପବିତ୍ର ପୁଲିସକୁ କହିଛନ୍ତି। ପୁଲିସ ଦୀର୍ଘ ସମୟ ଧରି ସେମାନଙ୍କୁ ପଚରାଉଚରା କରିଥିଲା। ପରେ, ସେମାନଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି। ତେବେ ପୁଲିସ ଓ ପ୍ରଶାସନ ପକ୍ଷରୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/note-f.jpg)