ବାଘଛାଲ ବିକ୍ରି ପାଇଁ ୫.୫ ଲକ୍ଷ ମୂଲ୍‌ଚାଲ୍‌: ଏସ୍‌ଟିଏଫ୍‌ ଚଢ଼ାଉ, ୨ ବନ୍ୟପ୍ରାଣୀ ତସ୍କର ଗିରଫ

ରାଇରଙ୍ଗପୁର/ବିଶୋଇ/ବିଶୋଇ(୧): ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଞ୍ଚଳରେ ମାତିଛନ୍ତି ବନ୍ୟପ୍ରାଣୀ ତସ୍କର। ଆଜି ପୂର୍ବାହ୍ନରେ ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ମଣଦା ରେଞ୍ଜ ୪୯ ନମ୍ବର ଜାତୀୟ ରାଜପଥ ଚଟାଣି ବସ୍‌ଷ୍ଟାଣ୍ଡ ନିକଟରେ ବାଘଛାଲ ବିକ୍ରି ପାଇଁ ମୂଲଚାଲ୍‌ ଚାଲିଥିବାବେଳେ ବେଳେ ସାଧା ପୋଷାକରେ ଥିବା ଏସ୍‌ଟିଏଫ୍‌ ଅତର୍କିତ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ଜଣେ ଖସି ପଳାଇଥିବାବେଳେ ଅନ୍ୟ ୨ ଜଣଙ୍କୁ ମାଡ଼ିବସିଥିଲା ଏସ୍‌ଟିଏଫ୍‌। ସେମାନଙ୍କଠାରୁ ୪ ଫୁଟ୍‌ ଲମ୍ଵ, ୨ ଫୁଟ୍‌ ଓସାରର ଗୋଟିଏ କଲରାପତରିଆ ବାଘଛାଲ ସହିତ ଦୁଇଟି ବାଇକ୍‌ ଜବତ କରାଯାଇଛି।

ଗିରଫ ଦୁଇ ମାଫିଆ ହେଲେ ବିଶୋଇ ଥାନା ପଳାଶବଣି ଗ୍ରାମର ଅଜିତ କୁମାର ଗିରି ଓ ଖୁଣ୍ଟା ଥାନା ଯଦୁରଘେରା ଗ୍ରାମର ଚନ୍ଦ୍ରକାନ୍ତ କାର୍ଜି। ସୂଚନା ଅନୁସାରେ, ବାଘଛାଲଟିକୁ ସାଢେ ୫ ଲକ୍ଷ ଟଙ୍କାରେ ବିକ୍ରି କରିବା ଲାଗି ମୂଲ୍‌ଚାଲ୍ ହୋଇଥିଲା। ଏହାପଛରେ ବନ୍ୟପ୍ରାଣୀ ତସ୍କର୍‌ ଗୋଷ୍ଠୀର ଏକ ବଡ଼ ରାକେଟ୍‌ କାମ କରୁଥିବାବେଳେ ମୁଖ୍ୟ କାର୍ପଟଦାର ସହିତ ଅନ୍ୟମାନଙ୍କୁ ଧରିବା ପାଇଁ ବନ ବିଭାଗ ଓ ଏସ୍‌ଟିଏଫ୍‌ ତନାଘନା ଚଳାଇଛି। ତେବେ ଉକ୍ତ ବାଘକୁ କେଉଁଠାରେ ଶିକାର କରାଯାଇଥିଲା, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଅଭିଯୁକ୍ତଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚମଡ଼ା ଓ ଲାଞ୍ଜକୁ ଅନୁଧ୍ୟାନ କରିବା ପରେ ବାଘର ବୟସ ୧୦ ବର୍ଷ ବୋଲି ବନ ବିଭାଗ ଅନୁମାନ କରିଛି। ଡିଏଫ୍‌ଓ ନଳିନୀକାନ୍ତ ବେହେରା, ଅତିରିକ୍ତ ଏସ୍‌ପି ବିଳାସିନୀ ନାୟକ, ଏସ୍‌ଆଇ ତୃପ୍ତିରଞ୍ଜନ ଦାଶ, ଏଏସ୍‌ଆଇ ସୁମନ କୁମାର ପାତ୍ର, କନେଷ୍ଟବଳ ପ୍ରଦୀପ କୁମାର ଦାସ, ଅମୀୟ ପ୍ରସାଦ ରାଉତ, ମଣଦା ରେଞ୍ଜର ଧରିତ୍ରୀ ମୁର୍ମୁ, ଫରେଷ୍ଟର ସୁଶାନ୍ତ ପାତ୍ର, ବିଶୋଇ ଫରେଷ୍ଟର ଅଜିତ କୁମାର ମହାନ୍ତି, ଏସିଏଫ୍‌ ବୈଦ୍ୟନାଥ ମାଝି ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର