ଭୋଗରାଇ/କମର୍ଦ୍ଦା : ବନ୍ୟା ପ୍ରଭାବିତ ଜମି ବୋଲି ସେଠାରେ ଧାନ ଓ ଅନ୍ୟ ଫସଲ ହୁଏନି। ଫଳ‌ରେ ଚାଷୀମାନେ ଏକର ଏକର ଜମିରେ ଇକଡ଼ ଚାଷ କରନ୍ତି। ‌ତାକୁ ବିକି ଯାହା ରୋଜଗାର ହୁଏ, ସେଥିରେ ପରିବାର ଚଳେ। ଚଳିତବର୍ଷ ମଧ୍ୟ ଚ‌ାଷୀମାନେ ଇକଡ଼ ଫସଲ କରିଥିଲେ। ଅମଳ ପରେ ଦି ପଇସା ହାତକୁ ଆସିଥାଆନ୍ତା। ହେଲେ ନିଆଁ ସବୁ ଛାରଖାର କରିଦେଲା। ଇଣ୍ଡିଆନ୍‌ ଅଏଲ୍‌ କମ୍ପାନି କର୍ମଚାରୀଙ୍କ ଖାମଖିଆଲ କାର୍ଯ୍ୟ ଯୋଗୁ ବାଲେଶ୍ବର ଜିଲ୍ଲା ଉତ୍ତର ଭୋଗରାଇ ଅଞ୍ଚଳରେ ହୋଇଥିବା ଶହ ଶହ ଏକର ଜମିରେ ଇକଡ଼ ଫସଲ ଜଳିଯାଇଛି।

Advertisment

ଶୁକ୍ରବାର ଦିନ ପ୍ରାୟ ୧୦ଟା ୩୦ ମିନିଟ୍‌ ସମୟରେ ଭୋଗରାଇ ବ୍ଲକ୍‌ କୁଳିଦା ପଞ୍ଚାୟତ ମଧୁପୁରଠାରେ ଇକଡ଼ ଫସଲ ଜଳୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକ ଓ ଚାଷୀମାନେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ଚାହୁଁ ଚାହୁଁ ନିଆଁ ଦାରୁହା ପଞ୍ଚାୟତର ଦାରୁହା ଓ କଟିସାହି, କୁଳିଦା ପଞ୍ଚାୟତର ମାହାଦିଆ ଓ ମଧୁପୁର, ମହାଗବ ପଞ୍ଚାୟତର ଚାନ୍ଦକୁସୁମୀ ଓ ଆଗରଦା ଅଞ୍ଚଳର ଏକର ଏକର ଇକଡ଼ ଫସଲକୁ ଜାଳିଦେଇଥିଲା। ଖବର ପାଇ ଭୋଗରାଇ, ଜଳେଶ୍ବର, ବସ୍ତା, ବାଲିଆପାଳରୁ ଦମକଳ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଖବର ଲେଖାହେବା ଯାଏ ନିଆଁ ସଂପୂର୍ଣ୍ଣ ଆୟତ୍ତ ହୋଇନାହିଁ। ଅଗ୍ନିକାଣ୍ତରେ ୫ ହଜାର ଚାଷୀ ପରିବାରର ପ୍ରାୟ ୫ ଶହ ଏକର ଇକଡ଼ ଫସଲ ପାଉଁଶ ହୋଇଯାଇଛି। ଯାହାର କ୍ଷୟକ୍ଷତି ପରିମାଣ ୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। କ୍ଷତିଗ୍ରସ୍ତ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ତେବେ ନିଆଁ ଲାଗିବା‌ର ପ୍ରକୃତ କାରଣ ଜଣାପଡ଼ି ନଥିଲେ ମଧ୍ୟ ଇଣ୍ଡିଆନ୍ ଅଏଲ୍‌ର କର୍ମଚାରୀମାନେ ଏଥିପାଇଁ ଦାୟୀ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।

ଇକଡ଼ ବିଲ ଦେଇ କମ୍ପାନିର ପାଇପ୍‌ଲାଇନ୍‌ ଯାଇଥିବା ବେଳେ କାର୍ଯ୍ୟରତ କିଛି କର୍ମଚାରୀ କାମ ସୁବିଧା ପାଇଁ ସ୍ଥାନୀୟ ଏକ ବେଣା ବୁଦା‌ ସଫା କରିବାକୁ ସେଥିରେ ନିଆଁ ଲଗାଇଥିଲେ। ଯେଉଁ ନିଆଁ ଇକଡ଼ ବିଲକୁ ବ୍ୟାପିଥିଲା ଓ ଏତେବଡ଼ ଅଘଟଣ ଘଟିଲା ବୋଲି କୁହାଯାଉଛି।

ଏ ସଂପର୍କରେ କମ୍ପାନି କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି। ଅନ୍ୟପଟେ ବିଧାୟକ ଅନନ୍ତ ଦାସ, ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ଜେନା, ଜିଲ୍ଲା ପରିଷଦ ସଭ୍ୟ କବିତା ମହାନ୍ତି, କୁଳିଦା ସରପଞ୍ଚ ପ୍ରତାପ କୁମାର ଜେନା, ସମିତିସଭ୍ୟ ଗୋପାଳ ବେହେରା, ସମାଜସେବୀ ରାଜକୁମାର ଦାସ, ବିଡିଓ ଶଙ୍କର ପଟ୍ଟନାୟକ, ତହସିଲଦାର ସୁଶାନ୍ତ କୁମାର ପଟ୍ଟନାୟକ, କଟିସାହି ରାଜସ୍ବ ନିରୀକ୍ଷକ ଚନ୍ଦ୍ରଶେଖର ସିଂ, ସୋହରିଆ ରାଜସ୍ବ ନିରୀକ୍ଷକ ବିକାଶ ଗିରି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଉଲ୍ଲେଖଥାଉକି, ଇକଡ଼କୁ ପାନବରଜ ଚାଷରେ ବ୍ୟବହାର କରାଯାଏ। ଉତ୍ତର ଭୋଗରାଇ ଅଞ୍ଚଳର ଶହ ଶହ ଚାଷୀ ଇକଡ଼ ଚାଷ କରୁଥିଲେ ବି ଏହାକୁ କୃଷିର ମାନ୍ୟତା ମିଳିନି। ଫଳରେ ଇକଡ଼ ଫସଲ କୌଣସି କାରଣରୁ କ୍ଷତିଗ୍ରସ୍ତ ହେଲେ ଚାଷୀମାନେ କ୍ଷତିପୂରଣ ପାଉନାହାନ୍ତି। ତେଣୁ ଇକଡ଼ ଚାଷକୁ କୃଷିର ମାନ୍ୟତା ଦେବା ପାଇଁ ଚାଷୀମାନେ ବିଭିନ୍ନ ସମୟରେ ଦାବି କରି ଆସୁଛନ୍ତି।