ର˚ଗ ମିସ୍ତ୍ରିଙ୍କ ବ୍ୟାଙ୍କ ଆକାଉଣ୍ଟରେ ୫ କୋଟି ଘଟଣା : ରଙ୍ଗ ମିସ୍ତ୍ରିଙ୍କ ସ୍ତ୍ରୀ ଫାର୍ମା କଂପାନି ମାଲିକାଣୀ, ଆୟକର ଫାଙ୍କିବାକୁ ଫନ୍ଦି!

ରାୟପୁରରେ ବି ଆକାଉଣ୍ଟ

କଟକ : ର˚ଗ ମିସ୍ତ୍ରିଙ୍କ ବ୍ୟାଙ୍କ ଆକାଉଣ୍ଟରେ ୫ କୋଟି ଟଙ୍କା କାରବାର ଭଳି ଚାଞ୍ଚଲ୍ୟକର ଠକେଇର ବହୁ ରୋଚକ ତଥ୍ୟ ଧୀରେ ଧୀରେ ସାମନାକୁ ଆସୁଛି। ର˚ଗ ମିସ୍ତ୍ରିଙ୍କୁ ସଲାସାର ଭଣ୍ତାର ଏଣ୍ଟର‌୍‌ପ୍ରାଇଜର୍ସର ମାଲିକ ଏବ˚ ପର ଘରେ କାମ କରୁଥିବା ତାଙ୍କ ସ୍ତ୍ରୀଙ୍କୁ ଶୁଭଲକ୍ଷ୍ମୀ ଏଣ୍ଟର‌୍‌ପ୍ରାଇଜର୍ସ ଫାର୍ମା ହାଉସ୍‌ର ମାଲିକାଣୀ ଦର୍ଶାଇ ଟଙ୍କା କାରବାର କରାଯାଇଛି। ଆଜି ‘ସମ୍ବାଦ’ରେ ଏଭଳି ଏକ ଚାଞ୍ଚଲ୍ୟକର ଠକେଇ ସଂପର୍କରେ ରିପୋର୍ଟ ପ୍ରକାଶ ପରେ ଡିସିପି ଅଖିଳେଶ୍ବର ସିଂହଙ୍କୁ ଭେଟି ରଙ୍ଗ ମିସ୍ତ୍ରି ଦମ୍ପତି ଘଟଣା ସଂପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ଆୟକର ଫାଙ୍କିବା ପାଇଁ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ସମେତ କଟକ ପୁରୀଘାଟର ୫ ଜଣ ବ୍ୟକ୍ତି ଏଥିରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି।

ଡିସିପିଙ୍କ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ, ୨୦୧୫-୧୬ ମସିହାରେ କଟକ ସାଲେପୁର ବୋଦାମୁଣ୍ତାଇର ଦେବେନ୍ଦ୍ର ରାଉତଙ୍କ ନାଁରେ ପୁରୀଘାଟ ଥାନା ଝୋଲାସାହି ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏବ˚ ସ୍ତ୍ରୀ ସସ୍ମିତା ସେଠୀଙ୍କ ନାଁରେ ମହତାବରୋଡ ସେଣ୍ଟ୍ରାଲ ବ୍ୟାଙ୍କରେ ଦୁଇଟି ଆକାଉଣ୍ଟ ଖୋଲାଯାଇଥିଲା। ପୁରୀଘାଟର ବୀର କିଶୋର ଦାସ, ପବନ କୁମାର ଜାଜୋରିଆ ଏବ˚ ପ୍ରଧାନ ବାବୁ ନାମକ ତିନି ଜଣ ବ୍ୟକ୍ତି ଉକ୍ତ ଆକାଉଣ୍ଟ ଖୋଲାଇଥିବା ସେ ଅଭିଯୋଗ କରିଛନ୍ତି। ଏମାନେ ସସ୍ମିତାଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇ ଆକାଉଣ୍ଟ ଖୋଲାଇଥିଲେ। ଦରମା ଟଙ୍କା ଆକାଉଣ୍ଟରେ ଯିବା କଥା କହି ଖୋଲିଥିବା ବେଳେ ଦେବେନ୍ଦ୍ରଙ୍କୁ ମଧ୍ୟ ବିଭିନ୍ନ ଆଳ ଦେଖାଇ ତାଙ୍କ ନାଁରେ ବି ଆକାଉଣ୍ଟ ଖୋଲିଥିବା କହିଛନ୍ତି ସସ୍ମିତା। ବୀର କିଶୋର ନାମକ ଉକ୍ତ ବ୍ୟକ୍ତି ଭୁବନେଶ୍ବରରେ ରହୁଥିବା ବୀରେନ୍ଦ୍ର ପଟ୍ଟନାୟକ ନାମକ ଆଉ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ସେମାନଙ୍କୁ ଏକ ଅଫିସକୁ ନେଇ ସେଠାରେ ସସ୍ମିତାଙ୍କ ଫଟୋ ଉଠାଇବା ସହିତ ସାଦା କାଗଜରେ ଦସ୍ତଖତ କରାଇଥିବା କହିଛନ୍ତି ସସ୍ମିତା। ସସ୍ମିତାଙ୍କୁ ଚାକିରି ନମିଳିବାରୁ ଉପରୋକ୍ତ ବ୍ୟକ୍ତିଙ୍କୁ ପଚାରିବାରୁ ପ୍ରୋସେସି˚ ଚାଲିଥିବା ଆଳ ଦେଖାଇ ପ୍ରତ୍ୟେକ ମାସରେ କିଛି ଟଙ୍କା ଖର୍ଚ୍ଚ କରିବାକୁ ଉକ୍ତ ବ୍ୟକ୍ତିମାନେ ଦେଇଥିବା ସସ୍ମିତା ସୂଚନା ଦେଇଛନ୍ତି।

ଦେବେନ୍ଦ୍ର ରାଉତଙ୍କ ଅଭିଯୋଗ ଅନୁଯାୟୀ, ଦୁଇ ବର୍ଷ ତଳେ ତାଙ୍କ ପୁଅର କିଡନି ଖରାପ ହୋଇଥିଲା। ଟଙ୍କା ଦରକାର ହେବାରୁ ଆକାଉଣ୍ଟ ଖୋଲିଥିବା ବୀର କିଶୋର ଦାସ ନାମକ ବ୍ୟକ୍ତି ସସ୍ମିତାଙ୍କ ଆକାଉଣ୍ଟରୁ ୩୦ ହଜାର ଟଙ୍କା ଉଠାଇ ତାଙ୍କୁ ୧୦ ହଜାର ଟଙ୍କା ଦେଇଥିବା ବେଳେ ନିଜେ ୨୦ ହଜାର ଟଙ୍କା ନେଇଯାଇଥିଲେ। ସେତେବେଳେ ଟଙ୍କା ଉଠାଇବା ଘଟଣାକୁ କେନ୍ଦ୍ର କରି ପୁରୀଘାଟର ପବନ କୁମାର ଜାଜୋରିଆ ଏବ˚ ଅନ୍ୟ ସହଯୋଗୀ ସାଲେପୁରରେ ପହଞ୍ଚି ସସ୍ମିତାଙ୍କୁ ଦୁର୍ବବ୍ୟହାର ଓ ଧମକ ଚମକ ବି ଦେଇଥିଲେ। ଭୟରେ ଏ ସମ୍ପର୍କରେ କାହାକୁ ସେମାନେ ଜଣାଇନଥିବା କହିଛନ୍ତି ଦେବେନ୍ଦ୍ର। ପୁଣି ଦୁଇ ବର୍ଷ ତଳେ ଜାଜୋରିଆ ତାଙ୍କୁ ରାୟପୁର ନେଇ ସେଠାରେ ଆଉ ଏକ ବ୍ୟାଙ୍କରେ ଆକାଉଣ୍ଟ ଖୋଲାଇଥିଲେ। ଯେଉଁ ଗାଡ଼ିରେ ତାଙ୍କୁ ନେଇଥିଲେ, ସେଥିରେ ଛୋଟ ଛୋଟ ପ୍ୟାକେଟ୍‌ରେ ଲକ୍ଷାଧିକ ଟଙ୍କା ଥିବା ଦେଖିବାକୁ ମିଳିଥିଲା। ଉକ୍ତ ଟଙ୍କା ତାଙ୍କ ନାଁରେ ଆକାଉଣ୍ଟ ଖୋଲି ଜମା କରାଯାଇଥିବା ଦେବେନ୍ଦ୍ର ଅଭିଯୋଗ କରିଛନ୍ତି।

ଆୟକର ରିଟର୍ଣ୍ଣ ଫାଙ୍କିବା ପାଇଁ ସମ୍ପୃକ୍ତ ବ୍ୟକ୍ତିମାନେ ଷଡ଼ଯନ୍ତ୍ର କରି ଦମ୍ପତିଙ୍କ ତିନୋଟି ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କାର ଅର୍ଥ କାରବାର କରିଥିବା କୁହାଯାଉଛି। ଉଭୟ ଏଚ୍‌ଡିଏଫ୍‌ସି ଏବ˚ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଚେକ୍‌ ବହିରେ ଦମ୍ପତିଙ୍କ ଦସ୍ତଖତ ସେମାନେ ନେଇଥିବା ଜଣାପଡ଼ିଛି। କିନ୍ତୁ ଆୟକର ଦାଖଲ ହୋଇନଥିବାରୁ କଟକ ଆୟକର ବିଭାଗକ କାର୍ଯ୍ୟାଳୟରୁ ବାରମ୍ବାର ଦମ୍ପତିଙ୍କ ନାଁରେ ନୋଟିସ୍‌ ଆସିଥିଲା। ୨୦୧୬ ଏପ୍ରିଲ ୧ ତାରିଖରୁ ୨୦୧୭ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ବ୍ୟାଙ୍କର ସମସ୍ତ ଅର୍ଥ କାରବାର ସମ୍ପର୍କରେ ଜଣାଇବା ସହିତ ଆୟର ଉତ୍ସ ଜଣାଇବା ସମ୍ପର୍କରେ ନୋଟିସ୍‌ରେ ଉଲ୍ଲେଖ ରହିଥିବା ସୂଚନା ମିଳିଛି। ନୋଟିସ୍‌ ମିଳିବା ପରେ ସେମାନେ ଏ ସ˚କ୍ରାନ୍ତରେ କଟକସ୍ଥିତ ଉପ-ଆୟକର ଆୟୁକ୍ତ ସର୍କଲ-୨ରେ ଲିଖିତ ଅଭିଯୋଗ ବି କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ଶୁଭଲକ୍ଷ୍ମୀ ଏଣ୍ଟରପ୍ରାଇଜର୍ସକୁ ଚଳାଉଥିବା ଜାଜୋରିଆ ନାମକ ବ୍ୟକ୍ତିଙ୍କୁ ୨୦୧୬ରେ ଆୟକର ବିଭାଗ ଗିରଫ କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର