ମଦ ଦୋକାନ କର୍ମଚାରୀଙ୍କୁ ଆକ୍ରମଣ କରି ୫ ଲକ୍ଷ ଲୁଟ୍

ବଅଁରପାଳ :ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ମହୀଧରପୁର- ଫୁଲପଡ଼ା ରାସ୍ତାରେ ଆଜି ପୂର୍ବାହ୍ଣରେ ୭ ଜଣ ଦୁର୍ବୃତ୍ତ ଜଣେ ମଦ ଦୋକାନ କର୍ମଚାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ତାଙ୍କ ସ୍କୁଟି ସହ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ମହୀଧରପୁର ଫାଣ୍ଡିରେ ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ ଚାଲିଛି।

ଆଜି ପୂର୍ବାହ୍ଣ ସାଢ଼େ ୯ଟା ବେଳେ ହିନ୍ଦୋଳ ବିଦେଶୀ ମଦ ଦୋକାନର କର୍ମଚାରୀ ସୌରଭ ଯାଦବ ଏକ ସ୍କୁଟି (ଓଡ଼ି୦୬ଜି୭୧୪୫)ରେ ମଦ ଦୋକାନ ବ୍ୟବସାୟରୁ ମିଳିଥିବା ୫ ଲକ୍ଷ ୬ ହଜାର ଟଙ୍କା ନେଇ ଅନୁଗୁଳରେ ଥିବା ମାଲିକଙ୍କ ନିକଟକୁ ଯାଉଥିଲେ। ଏହି ସମୟରେ ଫୁଲପଡ଼ା ପାୱାର ଗ୍ରୀଡ଼ ନିକଟ ରାସ୍ତାରେ ହଠାତ୍ ୩ଟି ବାଇକ୍‌ରେ ୭ ଜଣ ଦୁର୍ବୃତ୍ତ ଆସି ଅତର୍କିତ ଭାବେ ଖଣ୍ଡାରେ ସୌରଭଙ୍କ ହାତକୁ ହାଣି ଦେଇଥିଲେ। ପରେ ତାଙ୍କ ସ୍କୁଟି ସହ ସ୍କୁଟିରେ ଥିବା ୫ ଲକ୍ଷ ୬ ହଜାର ଟଙ୍କା ନେଇ ପଳାଇଥିଲେ। ଆହତ ସୌରଭ ଅନୁଗୁଳ ମୁଖ୍ୟ ସରକାରୀ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଏ ନେଇ ସେ ମହୀଧରପୁର ଫାଣ୍ଡିରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର