ବଳଦ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଲୁଟ୍, ଭୁଜାଲି ଚୋଟରେ ୬ ଗୁରୁତର

୩ ବାଇକ୍‌ ଓ ୯ ମୋବାଇଲ୍‌ ବି ନେଇଗଲେ

ରାଇରଙ୍ଗପୁର : ଡକାୟତଙ୍କ ଆକ୍ରମଣରେ ୬ ଜଣ ବଳଦ ବ୍ୟବସାୟୀ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କଠାରୁ ୫ ଲକ୍ଷ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ମୟୂରଭଞ୍ଜ ଜିଲ୍ଲା ଝାଡ଼ପୋଖରିଆ ଅଞ୍ଚଳରେ ଘଟିଥିବା ଏହି ଲୁଟ୍ ଓ ପ୍ରାଣାନ୍ତକ ଆକ୍ରମଣ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଝାଡ଼ପୋଖରିଆ ଥାନା ସାରସକଣାରେ ଆଜି ଥିଲା ସାପ୍ତାହିକ ଶନିବାର ହାଟ। ଉକ୍ତ ହାଟକୁ ଗୋରୁମହିଷାଣୀ ଥାନା ଜାମବଣି ଗ୍ରାମର ସୁବୋଧ ବିନ୍ଧାଣୀ, ପ୍ରଦୀପ ମୁଣ୍ତା, ଜଗନ୍ନାଥ ସେଠୀ, କୁକୁଡ଼ିମୁଣ୍ତି ଗ୍ରାମର ଅନୀଲ ଗିରି, ଗୁହାଳଡ଼ାଙ୍ଗିରୀ ଗ୍ରାମର ମନୋହର ଗିରି, ଗୌର ଗିରି ପ୍ରମୁଖ ବଳଦ ବିକ୍ରି କରିବାକୁ ଆସିଥିଲେ। ବଦଳ ବିକ୍ରି କରି ସାରି ସେମାନେ ୪ଟି ବାଇକ୍‌ରେ ଘରକୁ ଫେରୁଥିଲେ। ଦିନ ପ୍ରାୟ ୩ଟା ସମୟରେ ଝାଡ଼ପୋଖରିଆ ଓ ଗୋରୁମହିଷାଣୀ ଥାନା ସୀମାନ୍ତ ଚଢ଼େଇପାହାଡ଼ି ଟିଆକାଟି ଜଙ୍ଗଲ ପାଖରେ ୭ ଜଣ ଡକାୟତ ବନ୍ଧୁକ ଓ ଭୁଜାଲି ଦେଖାଇ ସେମାନଙ୍କୁ ଅଟକାଇଥିଲେ। ଡକାୟତମାନେ ବ୍ୟବସାୟୀଙ୍କ ପାଖରେ ଥିବା ୫ ଲକ୍ଷରୁ ଅଧିକ ଟଙ୍କା, ୩ଟି ବାଇକ୍ ଓ ୯ଟି ମୋବାଇଲ୍ ଲୁଟି ନେବା ସହ ୬ ଜଣଙ୍କୁ ହାଣି ଗୁରୁତର କରିଥିଲେ। ଏହି ସମୟରେ ଉକ୍ତ ରାସ୍ତାରେ ଯାଉଥିବା ଚଢ଼େଇପାହାଡ଼ି ସରପଞ୍ଚ ସମାୟ ମୁଣ୍ତା ଗୁରୁତର ବ୍ୟବସାୟୀମାନଙ୍କୁ ଉଦ୍ଧାର କରି ଏକ ବୋଲେରୋରେ ଗୋରୁମହିଷାଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ରାଇରଙ୍ଗପୁର ଉପଖଣ୍ତ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୋରୁମହିଷାଣୀ ଓ ଝାଡ଼ପୋଖରିଆ ପୁଲିସ ମିଳିତ ଭାବେ ଉକ୍ତ ଘଟଣାର ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧିତ ଖବର