ଢେଙ୍କିକୋଟ : ଖଣ୍ଡାରେ ହାଣି ୫ଲକ୍ଷ ଟଙ୍କା ଲୁଟ୍‌

ଢେଙ୍କିକୋଟ : କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥରେ ଗତକାଲି ରାତିରେ ଜଣେ ବ୍ୟକ୍ତିଙ୍କୁ ହାଣି ଦୁର୍ବୃତ୍ତମାନେ ୫ଲକ୍ଷ ୨୬ ହଜାର ଟଙ୍କା ଲୁଟି ନେଇଛନ୍ତି। ୪ଜଣ ଦୁର୍ବୃତ୍ତ ଏକ କାର୍‌ରେ ଆସି ୪୦୭ ମିନି ଟ୍ରକରେ ଥିବା ଶରତ କୁମାର ବାରିକ୍‌ଙ୍କୁ ଆକ୍ରମଣ କରି ଟଙ୍କା ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ଖବରପାଇ ଘଟଗାଁ ପୁଲିସ ତନାଘନା ଚଳାଇଛି।

ଘଟଣାରୁ ପ୍ରକାଶ ଯେ, କେନ୍ଦୁଝର ସହର ଆଶୁତୋଷ ଅଗ୍ରୱାଲ ଆଇଟିସି କମ୍ପାନିର ହୋଲସେଲର ଅଛନ୍ତି। ତାଙ୍କର ମ୍ୟାନେଜର ହେଉଛନ୍ତି ପଦ୍ମପୁରର ଶରତ କୁମାର ବାରିକ୍ (୪୦) । ଗତକାଲି ଶରତ ଦୁଇ ଜଣ ଶ୍ରମିକଙ୍କ ସହ ୪୦୭ ଗାଡ଼ିରେ ହରିଚନ୍ଦନପୁର ଓ ଘଟଗାଁ ଯାଇ ଖୁଚୁରା ବେପାରୀଙ୍କ ଠାରୁ ଅର୍ଥ ସଂଗ୍ରହ କରିଥିଲେ। ସେମାନେ କେନ୍ଦୁଝର ଫେରୁଥିବା ସମୟରେ ପିପିଳିଆ ନିକଟରେ ଗତକାଲି ରାତି ସାଢ଼େ ଦଶଟା ବେଳେ ଏକ କାର୍‌ରେ ଦୁର୍ବୃତ୍ତମାନେ ଆସି ଆଡ଼ ପକାଇ ଅଟକାଇଥିଲେ। ୪୦୭ ଗାଡ଼ିଟି ଅଟକିବା କ୍ଷଣି ଶରତଙ୍କ ହାତକୁ ଖଣ୍ଡାରେ ହାଣି ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ କେନ୍ଦୁଝର ଆଡ଼କୁ ଚାଲିଯାଇଥିଲେ। ଏନେଇ ଘଟଗାଁ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର