କାଜୁ ଚୋପା ଭିତରୁ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ବର : ଉପରେ କାଜୁ ଚୋପା, ଭିତରେ ଗଞ୍ଜେଇ। ବ୍ୟାଗ୍‌ କିମ୍ବା ସୁଟ୍‌କେସ୍‌ ନୁହେଁ, ବରଂ ଟ୍ରକ୍‌ରେ ଚାଲାଣ ହେଉଛି। କାଜୁ ଚାଲାଣ ନେଇ ଟ୍ରକ୍‌ର ଗେଟ୍‌ପାସ୍‌ ବି ରହିଛି। ଏଭଳି ନିଆରା ଢଙ୍ଗରେ ନିଶାଦ୍ରବ୍ୟ ଚାଲାଣ ହେଉଥିବା ନେଇ ଖବର ମିଳିବା ପରେ ଗଞ୍ଜେଇ ଭର୍ତ୍ତି ଟ୍ରକ୍‌କୁ ଜବତ କରିଛି ନାର୍କୋ‌ଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)। ଜବତ ନିଶାଦ୍ରବ୍ୟର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଏନ୍‌ସିବି ଅନୁମାନ କରୁଛି। ଏଥିରେ ସମ୍ପୃକ୍ତ ଟ୍ରକ୍‌ ଡ୍ରାଇଭର ଓ ହେଲ୍‌ପରକୁ ଗିରଫ କରାଯାଇଛି। ଅଧିକ ତଥ୍ୟ ପାଇଁ ପଚରାଉଚରା ଚାଲିଥିବା ଏନ୍‌ସିବି କହିଛି। ଗିରଫ ଟ୍ରକ୍‌ ଚାଳକ ଓ ହେଲ୍‌ପର ଏନେଇ କିଛି ଜାଣିନଥିବା କହିଛନ୍ତି। କାଜୁ ଆଣିବା ପାଇଁ ତାଙ୍କୁ ଆଦେଶ ହୋଇଥିଲା; ହେଲେ ତା ଭିତରେ କେତେବେଳେ ଗଞ୍ଜେଇ ପଶିଲା ସେମାନେ ଜାଣିପାରିଲେ ନାହିଁ ବୋଲି କହିଛନ୍ତି। ତାଙ୍କଠାରୁ ମାଲିକ ବାବଦରେ ତଥ୍ୟ ଆଣିବା ପରେ ତାକୁ ଧରିବା ପାଇଁ ଏନ୍‌ସିବି ଜାଲ ବିଛାଇଛି।

ସୂଚନା ଅନୁଯାୟୀ ଟ୍ରକ୍‌ଟି କୋରାପୁଟ୍‌ରୁ ବାହାରିଥିଲା। ଟ୍ରକ୍‌ରେ କାଜୁ ସହ ଗଞ୍ଜେଇ ମଧ୍ୟ ବୋଝେଇ ହେଉଥିବା ନେଇ ଏନ୍‌ସିବିକୁ ସୂଚନା ମିଳିଥିଲା। ଖବର ପାଇବା ପରେ ଟ୍ରକ୍‌ର ନମ୍ବର(ଏଚ୍‌ଆର ୩୮ ଟିଏ ୪୫୯୭) ଆଧାରରେ କୋରାପୁଟ୍‌ରୁ ଭୁବନେଶ୍ବର ପର୍ଯ୍ୟନ୍ତ ଏନ୍‌ସିବି ଟ୍ରାକ୍‌ କରୁଥିଲା। ଟ୍ରକ୍‌ ଜୟଦେବ ବିହାର ଫ୍ଲାଏଓଭର ଅତିକ୍ରମ କରୁଥିବା ବେଳେ ଜଗିଥିବା ଏନ୍‌ସିବି ଅଧିକାରୀମାନେ ଟ୍ରକ୍‌କୁ ଅଟକାଇଥିଲେ। ଆଉ ଟ୍ରକ୍‌ ଯାଞ୍ଚ କଲା ବେଳେ କାଜୁ ଚୋପା ଭିତରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଏହା ପରେ ଟ୍ରକ୍‌କୁ ଜବତ କରାଯାଇ ଅଫିସ ପର୍ଯ୍ୟନ୍ତ ଅଣା ଯାଇଥିଲା। ଟ୍ରକ୍‌ ଭିତରେ ପ୍ରାୟ ଶହେ ଜରି ବସ୍ତା ପ୍ୟାକେଟ୍‌ ରହିଥିଲା। ସେଥିରୁ ୬୦ ବସ୍ତାରେ କାଜୁ ଥିବା ବେଳେ ଅନ୍ୟ ୪୦ ବସ୍ତାରେ କାଜୁ ଭିତରେ ଗଞ୍ଜେଇ ଥିଲା। ଏହାକୁ ଓଜନ କରିବା ପରେ ଏହା ୭ କୁଇଣ୍ଟାଲ ହୋଇଥିଲା।

ପଚରାଉଚରା ବେଳେ ଜଣାପଡ଼ିଛି କି କୋରାପୁଟ୍‌ ଅଞ୍ଚଳରୁ ଏହି ନିଶାଦ୍ରବ୍ୟ ହରିୟାଣା ଯାଉଥିଲା। ପୂର୍ବରୁ ଏମାନେ ଏକାଧିକ ବାର ଏଭଳି ଚାଲାଣ କରିଥିଲେ। କିନ୍ତୁ ଭିତରେ କାଜୁ କିମ୍ବା ନିଶାଦ୍ରବ୍ୟ ଯାଉଥିବା ଚାଳକ ଜାଣିପାରୁନଥିଲା ବୋଲି କହିଛି। ଉଭୟ ଅଭିଯୁକ୍ତ ଦୋଷ ସ୍ବୀକାର କରିନଥିବାରୁ ଟ୍ରକ୍‌ମାଲିକକୁ ତଦନ୍ତ ପରିସରଭୁକ୍ତ କରିଛି ଏନ୍‌ସିବି। ତା’ ଛଡ଼ା ଅଭିଯୁକ୍ତଙ୍କ ସୂଚନା ଆଧାରରେ ଏନ୍‌ସିବି କୋରାପୁଟ୍‌ର ୫ଟି ଜାଗାକୁ ଚିହ୍ନଟ କରିଛି। ଏହି ଜାଗାରେ ଗଞ୍ଜେଇ ଚାଷ ହେବା ସହ ବେପାରୀ ରହିଛନ୍ତି। ରାଜ୍ୟ ବାହାରେ ଅଧିକ ପଇସା ମିଳୁଥିବାରୁ ଏଭଳି ବର୍ଷକୁ ୪ରୁ ୫ ଥର ଚାଲାଣ କରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର