ଅବ୍ୟବସ୍ଥା: ମଧ୍ୟାହ୍ନ ଭୋଜନରେ ଭାତ-ଡାଲି ବଦଳରେ ପିଲାଙ୍କୁ ଦିଆଯାଉଛି ୫ଟଙ୍କିଆ ବିସ୍କୁଟ ପ୍ୟାକେଟ୍‌

ବୈପାରିଗୁଡ଼ା: ସରକାର ସ୍କୁଲପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି। ଏହି ବ୍ୟବସ୍ଥା ଅନୁସାରେ ପିଲାମାନଙ୍କୁ ମଧ୍ୟାହ୍ନ ସମୟରେ ଭାତ, ଡାଲି, ପରିବା ତରକାରୀ, ସୋୟାବିନ ତରକାରୀ, ଅଣ୍ଡା ଆଦି ଦିଆଯିବାର କଥା। କିଛି ସ୍କୁଲରେ ଫଳ ମଧ୍ୟ ଦିଆଯାଉଛି। କିନ୍ତୁ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ସଦର ପଞ୍ଚାୟତର ବାତ୍ରିପୁଟ ପ୍ରାଥମିକ ବିଦ୍ୟାଳୟରେ ବିଗତ ୧୦ ଦିନ ହେଲା ଭାତ ଓ ଡାଲି ସମେତ ଅନ୍ୟ ଖାଦ୍ୟ ବ୍ୟତୀତ କେବଳ ୫ଟଙ୍କିଆ ବିସ୍କୁଟ ଦିଆଯାଉଛି।  ଏହାକୁ ନେଇ ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି।

ଏସଂପର୍କରେ ବାତ୍ରିପୁଟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କୁ ପଚାରି ବୁଝିବାରୁ ସେ ପ୍ରକାଶ କରିଛନ୍ତି ଯେ, ବିଦ୍ୟାଳୟରେ ୨୮ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଗତ ତିନି ମାସ ହେଲା ସ୍କୁଲକୁ ଚାଉଳ ଦିଆଯାଉନାହିଁ। ତେବେ ପିଲାଙ୍କୁ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ନକରିବା ପାଇଁ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ନବେ କିଲୋ ଚାଉଳ ଧାର ସୂତ୍ରରେ ଆଣିଥିଲେ। ଏହାଛଡ଼ା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ୧୦ କିଲୋ ଚାଉଳ ପ୍ରଦାନ କରିଥିଲେ। ଇତିମଧ୍ୟରେ ସେ ଏକାଧିକବାର ବିଇଓଙ୍କ କାର୍ଯ୍ୟାଳୟକୁ ଚାଉଳ ପାଇଁ ଯାଇଥିଲେ ମଧ୍ୟ ଖାଲି ହାତରେ ଫେରିଛନ୍ତି। ପ୍ରତିଥର ଚାଉଳ ବଣ୍ଟନ ଦାୟିତ୍ଵରେ ରହିଥିବା କର୍ମଚାରୀ ତାଙ୍କୁ ଦୁଇ ଦିନ ପରେ ଆସ, ଚାରି ଦିନ ପରେ ଆସ କହି ଫେରାଇ ଦେଇଛନ୍ତି। ଚାଉଳ ଶେଷ ହେବା ପରେ ବିଦ୍ୟାଳୟର ସଭାପତି ଗତ ୧୦ ଦିନ ହେଲା ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ବିସ୍କୁଟ ବାଣ୍ଟିଛନ୍ତି।

ଏସଂପର୍କରେ ସଭାପତି ଟଙ୍କଧର ଗୌଡ କହିଛନ୍ତି ଯେ, ଚାଉଳ ସରିଥିବା ପରେ ୧୦ ଦିନ ଧରି ସେ ମଧ୍ୟାହ୍ନ ଭୋଜନ ସମୟରେ ପିଲାଙ୍କୁ ବିସ୍କୁଟ ବାଣ୍ଟିଛନ୍ତି। ବାରମ୍ବାର ଜଣାଇବା ପରେ ମଧ୍ୟ ବିଇଓ ଅଫିସର କର୍ମଚାରୀ ଏଥିପ୍ରତି କୌଣସି ଗୁରୁତ୍ୱ ଦେଉନାହାନ୍ତି। ତେଣୁ ଆସନ୍ତା ଶୁକ୍ରବାର ଦିନ ଠାରୁ ସ୍କୁଲରେ ତାଲା ପଡ଼ିବ। ଏବିଇଓ କନକ ମଞ୍ଜରୀ ଭତ୍ରାଙ୍କୁ ପଚାରିବାରୁ ସେ କିଛି ଦିନ ନିଜ ସ୍ବାସ୍ଥ୍ୟ ଖରାପ ଥିବା ଯୋଗୁ ସେ ଛୁଟିରେ ଥିଲେ। ଏବଂ ଛୁଟି ସରିବାପରେ ମାଟ୍ରିକ ପରୀକ୍ଷା ଦାୟିତ୍ଵରେ ରହିଥିଲେ। ତେଣୁ ସେ ଏସଂପର୍କରେ ଜାଣନ୍ତି ନାହିଁ। ତେବେ ଏସଂପର୍କରେ ତଦନ୍ତ କରିବା ସହ ଚାଉଳ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର