ପ୍ଲାଟିନମ୍‌ ଜୁବିଲିର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ରାଜେନ୍ଦ୍ର କଲେଜ ପାଇଁ ୫୦ କୋଟି

କଲେଜ ପାଇଁ ଗୌରବମୟ ଦିବସ: ମୁଖ୍ୟ ଶାସନ ସଚିବ
ପୁରାତନ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନର ଶ୍ରେଷ୍ଠ ସମ୍ପଦ: ସୌମ୍ୟରଞ୍ଜନ

ବଲାଙ୍ଗୀର : ରାଜେନ୍ଦ୍ର କଲେଜ ଏକ ଐତିହ୍ୟ ସମ୍ପନ୍ନ ଶିକ୍ଷାନୁଷ୍ଠାନ। ଏହି କଲେଜର ଅଗଣିତ ବିଦ୍ୱାନ ଛାତ୍ରଛାତ୍ରୀ ରାଜ୍ୟ, ଦେଶ ଓ ଦେଶ ବାହାରେ ଗୌରବ ଅର୍ଜନ କରିଛନ୍ତି। ରାଜ୍ୟ ସରକାର ଏହାକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇଛନ୍ତି। ଫଳରେ ଏହା ଅଞ୍ଚଳବାସୀଙ୍କ ଶିକ୍ଷାର ବିକାଶରେ ସହାୟକ ହେବ। ଅଞ୍ଚଳର ଯୁବକମାନଙ୍କ ଶୈକ୍ଷିକ ଆକାଂକ୍ଷା ପୂରଣ କରିବ ବୋଲି କଲେଜର ପ୍ଲାଟିନମ ଜୁବିଲି ସମାରୋହର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏଥିସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଉନ୍ନତୀକରଣ ପାଇଁ ୫୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ବିଶ୍ୱବିଦ୍ୟାଳୟର କୋଠା ଓ ଭିତ୍ତିଭୂମି ବିକାଶ ପାଇଁ ୨୫କୋଟି, ସାଇନ୍ସପାର୍କ ଓ ପ୍ଲାନେଟାରିଅମ ନିର୍ମାଣ ପାଇଁ ୨୫କୋଟି ଟଙ୍କା ଖର୍ଚ୍ଚ ହେବ।।

ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟ ପ୍ରାରମ୍ଭରେ ସମସ୍ତ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। କଲେଜର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଶିକ୍ଷା ହେଉଛି ସାମାଜିକ ପରିବର୍ତ୍ତନର ମୁଖ୍ୟଅସ୍ତ୍ର। ଓଡ଼ିଶାର ବିକାଶ ଦୌଡ଼ ଏବେ କ୍ଷୀପ୍ର ଗତିରେ ଚାଲିଛି। ଯୁବବର୍ଗଙ୍କ ପାଇଁ ବହୁ ସମ୍ଭାବନା ରହିଛି। ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ଆଇଟି ଭଳି ବିଭିନ୍ନ କ୍ଷେତ୍ରରେ ଯୁବବର୍ଗଙ୍କ ପାଇଁ ସୁଯୋଗ ରହିଛି। ଓଡ଼ିଶାର ଏହି ବିକାଶର ଉନ୍ନତି ପ୍ରକ୍ରିୟାରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।

ଆଲୁମ୍‌ନି ସଂଘ ସାଧାରଣ ସଂପାଦକ, ରାଜେନ୍ଦ୍ର କଲେଜ ଛାତ୍ର ସଂସଦର ପୂର୍ବତନ ସଂପାଦକ ତଥା ‘ସମ୍ବାଦର ବାର୍ତ୍ତା ସଂପାଦକ ଅରବିନ୍ଦ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମିସନ ଶକ୍ତି, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନୀ ସାହୁ, ପୂର୍ବ ସାଂସଦ ଅନଙ୍ଗ ଉଦୟ ସିଂଦେଓ, ପୁରାତନ ଛାତ୍ର ତଥା ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ବିଜୁ ପଟ୍ଟନାୟକ ପୁଲିସ ଏକାଡେମିର ମହାନିର୍ଦ୍ଦେଶକ ତଥା ପୁରାତନ ଛାତ୍ର ଅରୁଣ କୁମାର ଷଡ଼ଙ୍ଗୀ, ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଜିଲ୍ଲା ପାଇଁ ବହୁତ। ବିକାଶ ପାଇଁ ସବୁ ସମୟରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଆସିଛନ୍ତି। ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଥିଲେ, ନବବର୍ଷକୁ ସ୍ୱାଗତ କରିବାକୁ ସାରା ଓଡ଼ିଶା ଉତ୍ସବମୁଖର ହେଲେ। କିନ୍ତୁ ଏଭଳି ଉତ୍ସବର ପଟାନ୍ତର ନାହିଁ। ଜେଜେଙ୍କ ଜନ୍ମଦିନ ଆମେ ଏଇଥି ପାଇଁ ପାଳୁ ଯେ, ଜେଜେ ତମେ ଜନ୍ମ ହୋଇ ନଥିଲେ ବାପା ଜନ୍ମ ହୋଇନଥାନ୍ତେ। ବାପା ଜନ୍ମ ହୋଇନଥିଲେ ମୁଁ ଜନ୍ମ ହୋଇ ନଥାନ୍ତି। ମୁଁ ଜନ୍ମ ହୋଇନଥିଲେ ଏ ଦୁନିଆକୁ ଉପଭୋଗ କରି ପାରି ନଥାନ୍ତି। ଯଦି ରାଜେନ୍ଦ୍ର କଲେଜ ପ୍ରତିଷ୍ଠା ହୋଇନଥାନ୍ତା, ତାହେଲେ ମୁଁ କିଭଳି ଶିକ୍ଷା ଲାଭ କରିଥାନ୍ତି। ଗୋଟିଏ ଶିକ୍ଷାନୁଷ୍ଠାନର ଶ୍ରେ୍ଷ୍ଠ ସମ୍ପଦ ହେଲା ତାର ପୁରାତନ ଛାତ୍ରଛାତ୍ରୀ। ୨ ଜଣ ପୁରାତନ ଛାତ୍ର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ଅରୁଣ ଷଡ଼ଙ୍ଗୀଙ୍କୁ ଉଦାହରଣ ଭାବରେ ପାଇଛୁ। ମୁଖ୍ୟ ଶାସନ ସଚିବ ଭିତ୍ତିଭୂମିର ବିକାଶ ଦିଗରେ ପଦକ୍ଷେପ ନେଇ ତାଙ୍କ ଋଣ ପରିଶୋଧ କରିଛନ୍ତି। ସେହି ଋଣ ପରିଶୋଧର ନମୁନା ସମସ୍ତଙ୍କୁ ଶିଖିବାକୁ ପଡ଼ିବ।

ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଥିଲେ, ପ୍ଲାଟିନମ ଜୁବୁଲି ଉତ୍ସବ ରାଜେନ୍ଦ୍ର କଲେଜ ପାଇଁ ଏକ ଗୌରବମୟ ଦିବସ। ପୁରାତନ ଛାତ୍ର ଆକାରରେ ତାଙ୍କୁ ଏହି ଉତ୍ସବରେ ସାମିଲ କରିଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ଷଡ଼ଙ୍ଗୀ କହିଥିଲେ, ତିନୋଟି ପିଢ଼ିକୁ ରାଜେନ୍ଦ୍ର କଲେଜ ଶିକ୍ଷାଦାନ କରିସାରିଛି। ୪ ବର୍ଷ ତାଙ୍କ ପାଠ ପଢ଼ିବା ସମୟ ସେ କେବେ ମନରୁ ଲିଭାଇ ପାରିବେ ନାହିଁ ବୋଲି କହିଥିଲେ। ପୂର୍ବତନ ସାଂସଦ ଶ୍ରୀ ସିଂହଦେଓ ପଶ୍ଚିମ ଓଡ଼ିଶା ପାଇଁ ରାଜେନ୍ଦ୍ର କଲେଜ ଏକ ମନ୍ଦିର ସଦୃଶ୍ୟ ବୋଲି କହିଥିଲେ। ଏହାସହ ସେ କଲେଜର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। କଲେଜର ଅଧ୍ୟକ୍ଷ ଡ. ବିଜୟ ଜେନା ମଞ୍ଚାସୀନ ଥିଲେ। ଏହି ଅବସରରେ କଲେଜର ୪ଜଣ କୃତୀ ସନ୍ତାନ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ମହିଳା କ୍ରୀଡାବିଦ୍‌ ପ୍ରଣତି ମିଶ୍ର, ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଓ ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ପ୍ରାରମ୍ଭରେ ଆଲୁମ୍‌ନି ସଂଘ ସଭାପତି ଲଳିତ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ‘ସମ୍ବାଦ’ର ବାର୍ତ୍ତା ସଂପାଦକ ଶ୍ରୀ ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର