ରାଉରକେଲା : କୌଣସି ବ୍ଲକ କି ଉପାନ୍ତ ଅଞ୍ଚଳ ନୁହେଁ ସ୍ମାର୍ଟସିଟିର ହାର୍ଟ ଉପରେ ବଡ଼ ବଡ଼ିଆ ମାଡ଼ିବସିଛନ୍ତି ଜଙ୍ଗଲ ଜମି। ଏକର କି ଦୁଇ ଏକର ନୁହେଁ ପ୍ରାୟ ୫ ଏକର ୬୦ ଡେସିମିଲ୍ ଜମି ଏବେ ୧୯ ବଡ ବଡିଆଙ୍କ କବ୍ଜାରେ। ଏହି ବିବାଦିତ ଜାଗା ରହିଛି ଉଦିତନଗର ତପସ୍ବିନୀ ମାର୍କେଟ ସମ୍ମୁଖ (ବାସନ୍ତୀକଲୋନି ଯିବା ରାସ୍ତାରୁ ଆୟକର ଅଫିସ୍ ଶିବମନ୍ଦିର ସମ୍ମୁଖ ପର୍ଯ୍ୟନ୍ତ)। ଯାହାର ସରକାରୀ ମୂଲ୍ୟ ୫୦ କୋଟିରୁ ଅଧିକ। ବେସରକାରୀ ମୂଲ୍ୟ ଏହାର ତିନିଗୁଣା ଅର୍ଥାତ୍ ପାଖାପାଖି ୧୫୦ କୋଟି। ଜଙ୍ଗଲ ଜମି ରୁପାନ୍ତରିତ ହୋଇଛି ଘରବାଡିରେ। ଯେଉଁଠି ଏବେ ଛିଡା ହୋଇଛି ସୁଉଚ୍ଚ ଅଟ୍ଟାଳିକା। ବଡ ବଡ ସୋ’ରୁମ୍, ଆବାସିକ ଘର ଓ ଖାଲି ପଡ଼ିଛି କିଛି ଜମି।
ସରକାରୀ ନିୟମ କହୁଛି ‘ ଫରେଷ୍ଟ କଞ୍ଜରଭେଟର୍ ଆକ୍ଟ’ ଲାଗୁ ହୋଇ ନଥିଲେ ଜଙ୍ଗଲ ଜମି ଘରବାଡ଼ି ହୋଇପାରିବ ନାହିଁ। ଏଠି କିନ୍ତୁ ଏହି ନିୟମକୁ ସମ୍ପୂର୍ଣ୍ଣ ପୁଃ କରି ଦିଆଯାଇଛି। ତତ୍କାଳୀନ କରିତକର୍ମା ତହସିଲଦାରମାନେ ପ୍ରର୍ଯ୍ୟାୟକ୍ରମେ ଜଙ୍ଗଲ ଜମିକୁ ଘରବାଡି କରି ବଡ଼ ବଡିଆ ହାତକୁ ଟେକି ଦେଇଛନ୍ତି। ଏବେ ଏମିତି ସାଙ୍ଘାତିକ ତଥ୍ୟ ମିଳିଛି ରାଉରକେଲା ତହିସିଲ କାର୍ଯ୍ୟାଳୟରୁ। ଉଦିତନଗରର ଖାତା ନଂ ୭୫, ପ୍ଲଟ ନଂ. ୪୮୭ରେ ମୋଟ ୫ ଏକର ୬୦ ଡେସିମିଲ୍ ଜାଗା ରହିଛି। ଯାହାର କିସମ ହେଉଛି ଜଙ୍ଗଲ। ଗତ ୧୯୮୧ରେ ଏହି ମୂଲ୍ୟବାନ ଜଙ୍ଗଲ ଜମିକୁ ୧୯ରୁ ଅଧିକ ବଡ଼ବଡ଼ିଆ ତତ୍କାଳୀନ ତହସିଲଦାରଙ୍କ ସହ ଭିତିରି ସଲାସୁତୁରା କରି ନିଜ ନାଁରେ ପଟ୍ଟା କରି ନେଇଛନ୍ତି। ଯେଉଁଠି ଉଭୟ ଆବାସିକ ଘର ଓ ବାଣିଜ୍ୟିକ ପ୍ରତିଷ୍ଠାନ କରି ଲକ୍ଷ ଲକ୍ଷ ଟଙ୍କାର ବେପାର କରୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କିମ୍ବା ବନ ବିଭାଗ ଏମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ୍ ବସିଛି।
ସମ୍ପ୍ରତି ତହସିଲ କାର୍ଯ୍ୟାଳୟରୁ ଏମିତି ତଥ୍ୟ ମିଳିବା ପରେ ରାଉରକେଲା ବାର୍ ଆସୋସିଏସନର ଆଇନଜୀବୀ ପ୍ରଦୀପ କୁମାର ଜେନା ରାଜ୍ୟ ରାଜସ୍ବ ବିଭାଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜସ୍ବ ବିଭାଗ ଅଭିଯୋଗକୁ ଗ୍ରହଣ କରି ବିସ୍ତୃତ ତଦନ୍ତ କରି ରିପୋର୍ଟ ଦେବାକୁ ତତ୍କାଳୀନ ବନଖଣ୍ଡ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବନଖଣ୍ଡ ଅଧିକାରୀ ମିଳିତ ଭାବେ ତଦନ୍ତ କରିବାକୁ ରାଉରକେଲା ତହସିଲଦାରଙ୍କୁ ଚିଠି ଲେଖିଥିଲେ। ଆଶ୍ଚର୍ଯ୍ୟ କଥା ଆଜି ପର୍ଯ୍ୟନ୍ତ ଉଭୟ ବିଭାଗ ବଡ଼ବଡ଼ିଆଙ୍କ ପାଖ ପଶିବାକୁ ସାହାସ ଜୁଟାଇ ପାରୁ ନଥିବା ଅଭିଯୋଗ ହେଉଛି। ରାଜନୈତିକ ଚାପ ହେଉ ଅବା ବଡ ବଡିଆଙ୍କ ଅର୍ଥ ମୋହରେ ଏମାନେ ଚୁପ୍ ବସିଥିବା ଆଲୋଚନା ହେଉଛି। ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କୁ ପଚାରିବାରୁ ସେ ଏ ସଂକ୍ରାନ୍ତରେ କିଛି ଜାଣି ନଥିବା କହିଛନ୍ତି। ଅତିରିକ୍ତ ବନ୍ୟ ସଂରକ୍ଷକ ଦିଲୀପ କୁମାର ସାହୁ କହିଛନ୍ତି, ଏମିତି ଅଭିଯୋଗ ଆସିଛି। ତଦନ୍ତ ଦାୟିତ୍ବ ରାଜସ୍ବ ବିଭାଗଙ୍କର। ତହସିଲଦାର କେବେ ତଦନ୍ତ କରିବେ ବିଭାଗକୁ ଜଣାଇଲେ ମିଳିତ ଭାବେ ଯାଞ୍ଚ କରାଯିବ। ସେପଟେ ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ କହିଛନ୍ତି, ଉଦିତନଗର ବାସନ୍ତୀ କଲୋନି ନିକଟରେ ପ୍ରାୟ ୮ ଡେସିମିଲ ଜଙ୍ଗଲ ଜମି ସଂକ୍ରାନ୍ତରେ ତଦନ୍ତ କରାଯାଇଛି। ୫ ଏକର ୬୦ ଡେସିମିଲ ଜଙ୍ଗଲ ସମ୍ପର୍କରେ ସେମିତି କିଛି ଅଭିଯୋଗ ଆସି ନାହିଁ ବୋଲି କହିଛନ୍ତି।
ବନ ବିଭାଗ ଅଭିଯୋଗକୁ କହୁଥିବାବେଳେ ତହସିଲଦାର ଏ ସଂକ୍ରାନ୍ତରେ କିଛି ନ ଜାଣି ପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଆଗାମୀ ଦିନରେ ଉଦିତନଗରରେ ରହିଥିବା ଏହି ମୂଲ୍ୟବାନ ଜଙ୍ଗଲକୁ ହାତେଇଥିବା ବଡ଼ବଡ଼ିଆଙ୍କ ଉପରେ ଜିଲ୍ଲା ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ନେଉଛି, ତାକୁ ହିଁ ଅପେକ୍ଷା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/8af8c909-0451-43c1-af3c-ad7cb7055660.jpg)