ବାଲେଶ୍ବର: କରୋନା ନିୟମ ନମାନିଲେ ସଂକ୍ରମଣ ବଢ଼ିବ। ଏଥିପାଇଁ ସମସ୍ତେ ରାଜ୍ୟ ସରକାର ଜାରି କରିଥିବା ନିୟମ ପାଳନ କରନ୍ତୁ, ନଚେତ ପୁଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବ। ଦ୍ୱିତୀୟ ଲହର ପ୍ରାରମ୍ଭରେ ଏପରି ସତର୍କ ସୂଚନା ଦିଆଯାଇଥିଲେ ମଧ୍ୟ ଅମାନିଆ ନିୟମ ଭାଙ୍ଗିଛନ୍ତି, ସଂକ୍ରମଣ ବି ବଢ଼ିଛି ଏବଂ ଜରିମାନା ମଧ୍ୟ ମୋଟାଅଙ୍କର ଆଦାୟ କରାଯାଇଥିବା ଜଣାପଡ଼ିଛି।

Advertisment

ଏହି କ୍ରମରେ ବାଲେଶ୍ବର ଜିଲ୍ଲାରେ ଗତ ଜୁନ୍‌ ମାସରେ ୧୪ହଜାର ୮୩୧ ଜଣ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନଙ୍କଠାରୁ ପୁଲିସ ପ୍ରାୟ ଅଧାକୋଟି ଅର୍ଥାତ୍‌ ୫୦ ଲକ୍ଷ ୨୫ହଜାର ୨୦୦ ଟଙ୍କା ଜରିମାନା ଆଦାୟ କରିଛି। ସେହିପରି ଏହି ସମୟ ମଧ୍ୟରେ ୨୦୪ଟି ଦୋକାନ ଓ ପ୍ରତିଷ୍ଠାନ ମାଲିକଙ୍କ ଠାରୁ ୧ଲକ୍ଷ ୬୯ହଜାର ୪୦୦ଟଙ୍କା ଜରିମାନା ଆଦାୟ କରାଯାଇଛି। ସାମାଜିକ ଦୂରତା ନିୟମ ଭାଙ୍ଗି ୧୧୭ ଜଣ ଅମାନିଆଙ୍କ ଠାରୁ ୫୮ ହଜାର ୫୦୦ ଟଙ୍କା ଆଦାୟ ହୋଇଛି। ଖାଲି ସେତିକି ନୁହେଁ, ମାସ୍କ ନ ଲଗାଇ ଜନଗହଳି ସ୍ଥାନରେ ବୁଲୁଥିବା ୧୪ହଜାର ୫୧୦ ଜଣ ଉଲ୍ଲଂଘନକାରୀଙ୍କ ଠାରୁ ୪୭ ଲକ୍ଷ ୯୭ହଜାର ୩୦୦ ଟଙ୍କ‌ା ଜରିମାନା ଆଦାୟ କରାଯାଇଥିବା ଜିଲ୍ଲା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା କଟକଣାକୁ କୋହଳ କରାଯାଇଛି। ଏଥିରେ ସପିଂ ମଲ, ସିନେମା ହଲ, ପାର୍କ ଆଦି ଖୋଲିବାକୁ ମଧ୍ୟ ଅନୁମତି ମିଳିଛି। ତେବେ ସଂକ୍ରମଣର ଆଶଙ୍କା ଟଳି ନଥିବାରୁ ସମ୍ପୂର୍ଣ୍ଣ କୋଭିଡ କଟକଣା ଓ ସତର୍କତା ସହ ସେଗୁଡ଼ିକ ଖୋଲିବାକୁ କୁହାଯାଇଛି। ଅଯଥାରେ ଗହଳି କେଉଁଠି ନ କରିବାକୁ କିମ୍ବା ଗହଳି ସ୍ଥାନକୁ ନ ଯିବାକୁ ସତର୍କ କରାଯିବା ସହ କୋଭିଡ୍‌ ନିୟମ ମାନିବାକୁ ଜିଲ୍ଲା ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।