ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଫେରାଦ କଲା
ଗିରଫ ଯୁବକ ବିଜେପିର: ବିଜେଡି
ଭୁବନେଶ୍ବର/ପୁରୀ/ପିପିଲି : ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋର ଧରିଥିବା ବେଳେ ଆଜି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପିପିଲି ଟୋଲ୍ ଗେଟ୍ରେ ଗାଡ଼ିମୋଟର ଯାଞ୍ଚ ବେଳେ ନଗଦ ୫୦ ଲକ୍ଷ ଟଙ୍କା ଜବତ କରିଛି ପୁଲିସ; ଯେଉଁଥିରେ ୫ ଶହ ଟଙ୍କିଆ ବଣ୍ଡଲ୍ ରହିଛି। ଏହି ଘଟଣାରେ ପୁଲିସ ଏକ ପଲସର ବାଇକ୍ ଜବତ କରିବା ସହ ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଅନ୍ୟପକ୍ଷରେ ଏହି ଅର୍ଥ ପିପିଲି ଉପନିର୍ବାଚନ ପାଇଁ ଯାଉଥିବା ଅଭିଯୋଗ ହୋଇଛି। ବିଜେଡି ପକ୍ଷରୁ ୪ଜଣ ପ୍ରତିିନିଧି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ନିକଟରେ ଫେରାଦ କରିଛନ୍ତି। ପିପିଲି ଉପନିର୍ବାଚନରେ ଏହି ଟଙ୍କା ଖର୍ଚ୍ଚ କରିବାକୁ ବିଜେପି ପଠାଉଥିଲା ବୋଲି ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି। ତେବେ ପୁଲିସ ଏ ସଂପର୍କରେ କିଛି ସ୍ପଷ୍ଟ ସୂଚନା ଦେଇନାହିଁ। ଘଟଣାର ଖୋଳତାଡ଼ ଜାରି ରହିଛି। କିଏ, କେଉଁଠୁ, କେଉଁଥିପାଇଁ ଏତେ ପରିମାଣର ଟଙ୍କା ପଠାଇଥିଲା, ତାର ଚେର ଖୋଜୁଛି ପୁଲିସ। ପିପିଲିରେ ନିର୍ବାଚନୀ ଉଷ୍ମତା ଜୋର ଧରିଥିବାବେଳେ ଏଠାରେ ଭୋଟରଙ୍କୁ ଆକୃଷ୍ଟ ପାଇଁ ରାଜନୈତିକ ଦଳମାନେ କଳ, ବଳ ଓ କୌଶଳ ଲଗାଇ ଦେଇଛନ୍ତି।
ଗାଁ ଗାଁରେ ଏବେ ମଦମାଂସ, ଭୋଜିଭାତର ଆସର ଜମିଛି। ଆର୍ଥିକ ଲୋଭ ଦେଖାଇ ଭୋଟ କିଣିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଥିବା ଅଭିଯୋଗ ହୋଇଛି।
ପୁଲିସ ସୂଚନା ମୁତାବକ, ସୋମବାର ଦିନ ସ୍ଥାନୀୟ ଟୋଲ୍ ଗେଟ୍ ନିକଟରେ ପିପିଲି ଥାନା ପୁଲିସ ପକ୍ଷରୁ ଜିଲ୍ଲା ଭିତରକୁ ପ୍ରବେଶ କରୁଥିବା ଗାଡ଼ିମୋଟର ଯାଞ୍ଚ କରାଯାଉଥିଲା। ଏହି ସମୟରେ ଭୁବନେଶ୍ବର ଆଡ଼ୁ ପିପିଲି ଅଭିମୁଖେ ଆସୁଥିବା ଓଆର-୧୩ଜି-୬୬୭୨ ନମ୍ବର ପଲସର ବାଇକ୍କୁ ପୁଲିସ ଅଟକାଇଥିଲା। ଏହି ବାଇକ୍ରେ ଦୁଇଜଣ ଯୁବକ ଥିଲେ। ପୁଲିସ ଗାଡ଼ି ଅଟକାଇବା ଦେଖି ଦୁଇଜଣ କ୍ଷୀପ୍ର ଗତିରେ ଖସିଯିବାକୁ ଚେଷ୍ଟା କରିଥିଲେ। ପୁଲିସ ଏହି ବାଇକ୍ର ପିଚ୍ଛା କରି ତରାକାଜ ଓଭରବ୍ରିଜ୍ ନିକଟରେ ଦୁଇଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ଯାଞ୍ଚ ପରେ ଦୁଇଜଣ ଏକ ଏୟାର ବ୍ୟାଗରେ ୫୦ ଲକ୍ଷ ଟଙ୍କା ଭର୍ତ୍ତି କରି ନେଉଥିବା ଜଣାପଡ଼ିଥିଲା। ହେଲେ ଏହି ଟଙ୍କା ସଂପର୍କରେ ସେମାନେ କୌଣସି ତଥ୍ୟ ଦେଇନଥିଲେ।
ଜବତ ପଲସର୍ଟି ସୁବାସ ଚନ୍ଦ୍ର ପଲାଇଙ୍କ ନାମରେ ରହିଛି। ଅଟକ ଦୁଇଜଣ ଯୁବକ ବଳଙ୍ଗା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଘଟଣାର ଯାଞ୍ଚ କରି ପୁଲିସ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସେପଟେ ବିଜେଡିର ୪ଜଣିଆ ପ୍ରତିନିଧି ଦଳ ସୋମବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପୁଲିସ ଅଟକ ରଖିଥିବା ୨ଜଣ ଯୁବକ ବିଜେପି କର୍ମୀ ବୋଲି ଦାବି କରିଛନ୍ତି। କହିଛନ୍ତି, ପରାଜୟର ଭୟ ବିଜେପିକୁ ଘାରିଲାଣି।ଏଣୁୁ ଉପନିର୍ବାଚନରେ ଭୋଟ ଓ ଜନମତକୁ ପ୍ରଭାବିତ କରିବା ପାଇଁ ବିଜେଡି ସେଠାରେ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚକରୁଛି। ଉପନିର୍ବାଚନରେ ଏଭଳି ଟଙ୍କା କାରବାରକୁ ଦଳ ନିନ୍ଦା କରିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି।
ଏହି ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମୁଖପାତ୍ର ଲେନିନ୍ ମହାନ୍ତି ଓ ସୁଲତା ଦେଓ ସାମିଲ ଥିଲେ। ପିପିଲିରେ ପୁଲିସ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ଓ ପାଟ୍ରୋଲିଂ କଡ଼ାକଡ଼ି ଲାଗି ମଧ୍ୟ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/pipili-50-lakh-seized-case.jpg)