ପାନଦୋକାନ ଲାଇସେନ୍ସରେ ଗୁଟ୍‌ଖା କାରଖାନା, ୫୦ ଲକ୍ଷ ଟଙ୍କାର ନକଲି ଗୁଟଖା ଜବତ

ଅବକାରୀ ବିଭାଗର ଲାଇସେନ୍ସ ବି ନକଲି, ମାଲଗୋଦାମ, ମୁକାମେଶ୍ବରରେ ଚଢ଼ଉ

କଟକ : ସିଏମସି ନିକଟରୁ ପାନଦୋକାନ ଖୋଲିବା ପାଇଁ ଲାଇସେନ୍ସ ଆଣିଥିବା ଜଣେ ବ୍ୟବସାୟୀ ଖୋଲିଥିଲେ ନକଲି ଗୁଟ୍‌ଖା କାରଖାନା। ଏହି ଲିଙ୍କ୍‌ରେ ଉଭୟ ମାଲଗୋଦାମ ଓ ସଦର ଥାନା ପୁଲିସ ଗୋଟିଏ ବେଆଇନ ଗୁଟ୍‌ଖା କାରଖାନା ଓ ୬ଟି ନକଲି ଗୁଟ୍‌ଖା ଗୋଦାମରେ ଏକକାଳୀନ ଚଢ଼ଉ କରି ୫୦ ଲକ୍ଷ ଟଙ୍କାର ନକଲି ଗୁଟ୍‌ଖା ସାମଗ୍ରୀ ଜବତ ହୋଇଛି। ମାଲଗୋଦାମରୁ ଜଣେ ବିହାରୀ ମସଲା ବ୍ୟବସାୟୀ ଗିରଫ ହୋଇଥିବା ବେଳେ ସଦର ଥାନା ଅଞ୍ଚଳରୁ ଗୁଟଖା କାରଖାନାର ମାଲିକ ବାପ-ପୁଅ ଫେରାର ହୋଇଯାଇଛନ୍ତି। ଗୋଟିଏ ଦିନରେ ପାଖାପାଖି ୭୦ କୁଇଣ୍ଟାଲରୁ ଅଧିକ ନକଲି ଗୁଟ୍‌ଖା, ଭାଙ୍ଗ ଜବତ ହେବା ଘଟଣା କଟକରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, କଟକରେ ରହୁଥିବା ବିହାରର ଜଣେ ମସଲା ମାଫିଆ ୩୫ ବର୍ଷୀୟ କାର୍ତ୍ତିକ ରାମ୍ ଗଲା ୬ ବର୍ଷ ହେବ ଗୋପାଳ ମସଲାର ଡିଲରସିପ୍ ଆଣି ନକଲି ଗୁଟଖା କାରବାର ଆରମ୍ଭ କରିଦେଇଥିଲା।

ମାଲଗୋଦାମ ଓଭରବ୍ରିଜ ତଳେ ୬ଟି ଘର ଭଡ଼ାରେ ନେଇ ଏଭଳି ନକଲି କାରବାର ଆରମ୍ଭ କରିଥିଲା। ମାଲଗୋଦାମ ଥାନା ପୁଲିସ ଏହି କାରବାର ସମ୍ପର୍କରେ ଖବର ପାଇ ଚଢ଼ଉ କରିବାରେ ୩ଟି ଘରୁ ପ୍ରାୟ ୬୫ ବସ୍ତା ଭାଙ୍ଗ ଗୁଲି(୨୦ କୁଇଣ୍ଟାଲ), ୧୦ ବସ୍ତା ନକଲି ଗୁଟଖା(୨ ଲକ୍ଷ ୨୬ ହଜାର ପ୍ୟାକେଟ୍), ପାନ ମସଲା ଇତ୍ୟାଦି ଜବତ ହୋଇଛି। ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରୁଛି।

କାର୍ତ୍ତିକ ଇନ୍ଦୋର ଓ ଛତିଶଗଡ଼ରୁ ଭାଙ୍ଗ ଗୁଲି ଆମଦାନି କରୁଥିବା ବେଳେ ଗୁଟ୍‌ଖା ଭୁବନେଶ୍ବର ଓ କଟକ ସଦର ମୁକାମେଶ୍ବର ଗାଁରୁ ଆମଦାନି କରୁଥିଲା। ମାଲଗୋଦାମ ଥାନା ପୁଲିସ ମୁକାମେଶ୍ବର ଲିଙ୍କ୍ ପାଇବା ପରେ ସଦର ଥାନା ପୁଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲା। ସଦର ଥାନା ପୁଲିସ ମୁକାମେଶ୍ବରରେ ୬୫ ବର୍ଷୀୟ କାବୁଲି ଦାସ ଓ ପୁଅ ୩୪ ବର୍ଷୀୟ ରାକେଶ ଦାସ ଘରେ ଚଢ଼ଉ କରିଥିଲା। ଏମାନେ ଗଲା ୫ ବର୍ଷ ହେବ ଘରେ ବେଆଇନ ଗୁଟ୍‌ଖା କାରଖାନା ଖୋଲିଥିଲେ। ପୁଲିସ ଚଢ଼ଉରେ ପୁରା ପରିବାର ଘରେ ତାଲା ପକାଇ ଫେରାର ହୋଇଯାଇଥିଲେ। ପୁଲିସ କାରଖାନା ଭିତରେ ପଶି ମୋଟ ୪୦ ଲକ୍ଷ ଟଙ୍କାର ନକଲି ଓ ବେଆଇନ ଗୁଟଖା (୨୦୦ ବସ୍ତା) ଜବତ କରିଛି। ଜବତ ସାମଗ୍ରୀର ଓଜନ ପ୍ରାୟ ୩୫ କୁଇଣ୍ଟାଲ୍ ହେବ ବୋଲି ଆକଳନ କରାଯାଉଛି। ଏହାସହିତ ଗୁଟ୍‌ଖା ବାସ୍ନା ହେବା ପାଇଁ ବ୍ୟବହୃତ ପ୍ରାୟ ୮ ଲିଟର ଅତର ବି ପୁଲିସ ଜବତ କରିଛି। ଏହି ବାପ-ପୁଅ କାରଖାନାରେ ସୁଦାମ ସୁପର ଗୁଣ୍ଡି ନାଁରେ ଏକ ନକଲି ଗୁଣ୍ଡି ପ୍ରସ୍ତୁତ କରୁଥିବା ବେଳେ ତିନୋଟି ନିଜସ୍ବ ବ୍ରାଣ୍ଡ କେତକି ଖାରା ଟବାକୋ, ଲକ୍ଷ୍ମୀନାରାୟଣ ବୋତଲ ଗୁଣ୍ଡି, ଦିଲ୍ଲୀ ସୁପର ହରିଡ଼ାଖଣ୍ଡି ଗୁଣ୍ଡି ବି ପ୍ରସ୍ତୁତ କରୁଥିଲେ। ମୋଟ ଉପରେ ଏମାନେ ଗଲା ୫ ବର୍ଷ ହେବ ୪ଟି ନକଲି ବ୍ରାଣ୍ଡ ପ୍ରସ୍ତୁତ କରିଆସୁଥିଲେ। ଏମାନଙ୍କ ନିକଟରେ ବ୍ୟବସାୟ ପାଇଁ ଟ୍ରେଡ୍ ଲାଇସେନ୍ସ, ଟ୍ରେଡ୍ ରେଜିଷ୍ଟ୍ରେସନ ସାର୍ଟିଫିକେଟ, ଫୁଡ ସାର୍ଟିଫିକେଟ ନାହିଁ।


ବାପ-ପୁଅଙ୍କୁ ୨୦୧୮ ମସିହାରେ ସିଏମ୍‌ସି ପାନଦୋକାନ ଖୋଲିବାକୁ ଲାଇସେନ୍ସ ଦେଇଥିଲା। ଯାହାକି ୨୦୨୦ରେ ଏହାର ଅବଧି ଶେଷ ହୋଇଯାଇଛି। କିନ୍ତୁ ସେହି ଲାଇସେନ୍ସ ଦେଖାଇ ନକଲି ଗୁଟଖା କାରଖାନା ଖୋଲିଦେଇଥିଲେ ବାପ-ପୁଅ। ଆହୁରି ସବୁଠାରୁ ଚକିତ କଲା ଭଳି ଘଟଣା ହେଉଛି ପାନ ଦୋକାନରେ ପାନ ମସଲା ବିକ୍ରି କରିବା ପାଇଁ ଅବକାରୀ ବିଭାଗର ସାର୍ଟିଫିକେଟର ଆବଶ୍ୟକତା ଥିବା ବେଳେ ଏମାନେ ଅବକାରୀ ବିଭାଗ ନାଁରେ ଏକ ନକଲି ସାର୍ଟିଫିକେଟ୍ ବି ପ୍ରସ୍ତୁତ କରିଥିଲେ। ପୁଲିସ ଏହାକୁ ବି ଜବତ କରିଛି। ବାପ-ପୁଅ ମାଲଗୋଦାମର କାର୍ତ୍ତିକ ରାମ ଏବଂ ପୁରୀଘାଟର ଅନ୍ୟ ଜଣେ ବ୍ୟକ୍ତିଙ୍କ ନିକଟରୁ କଞ୍ଚା ମାଲ୍ କିଣୁଥିଲେ। ମସଲାରେ ବାସ୍ନା ହେବା ପାଇଁ ଏକ କେମିକାଲ କଲିକତାରୁ କିଣୁଥିଲେ। ଏହି କେମିକାଲ୍ ଖାଦ୍ୟପଦାର୍ଥରେ ବ୍ୟବହାର ଅନୁପଯୋଗୀ ହୋଇଥିବା ବେଳେ ନିୟମିତ ସେବନ କଲେ କ୍ୟାନସର ହେବାର ଆଶଙ୍କା ରହିଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି। ମାଫିଆମାନେ କଟକ ସଦର ଓ ସହର ସମେତ ବାଙ୍କୀ, ଟାଙ୍ଗୀ, ଢେଙ୍କାନାଳ ଓ ଅନ୍ୟ ପଡ଼ୋଶୀ ଜିଲ୍ଲାକୁ ବି ଚାଲାଣ କରିଆସୁଥିଲେ।

ଉଭୟ ମାଲଗୋଦାମ ଓ ସଦର ଅଞ୍ଚଳରେ ହୋଇଥିବା ଚଢ଼ଉରେ ଏସିପି ଅମରେନ୍ଦ୍ର ପଣ୍ଡା, ଏସିପି ଚନ୍ଦନ ଘଡ଼େଇ, ମାଲଗୋଦାମ ଆଇଆଇସି ତୃପ୍ତିରଞ୍ଜନ ନାୟକ, ସଦର ଥାନା ଆଇଆଇସି ସୁଧାଂଶୁ ଭୂଷଣ ଜେନା, ଅତିରିକ୍ତ ଆଇଆଇସି ଅନିତା ସାହୁ, ସିଏମସି ନଗର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ର, ସିଏମସିର ଖାଦ୍ୟ ପରିଦର୍ଶକ ଭଗବାନ ଲେଙ୍କା, ତ୍ରୈଲୋକ୍ୟ ସାହୁ ପ୍ରମୁଖ ସାମିଲ ହୋଇଥିଲେ। ଦୁଇ ଅଞ୍ଚଳରୁ ଜବତ ହୋଇଥିବା ନକଲି ଗୁଟଖା ନମୁନା ରାଜ୍ୟ ଖାଦ୍ୟ ପରୀକ୍ଷାଗାରକୁ ପଠାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର