ଦାନଗଦୀ : କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରୀରେ ଗତକାଲି ବିଳମ୍ବିତ ରାତିରେ ବଡ଼ଧରଣର ଡକାୟତି ହୋଇଛି। ସୁକିନ୍ଦା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ବିଶ୍ୱଜିତ ଦାସ (ବେବି)ଙ୍କ ପରିବାରବର୍ଗଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟି ନେଇଛନ୍ତି ୫୦ଲକ୍ଷ ଟଙ୍କାର ସୁନା ଗହଣା ଏବଂ ୩ଲକ୍ଷ ଟଙ୍କା।
ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଶ୍ୱଜିତ ଦାସ ଭୁବନେଶ୍ୱର ଯାଇଥିବାବେଳେ ଗତକାଲି ତାଙ୍କ ଘରେ ଦୁଇ ଭଉଣୀ, ମା’ ଓ ଚାକରାଣୀ ଥିଲେ। ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ୪ ଜଣ ଦୁର୍ବୃତ୍ତ ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲେ। ଚାକରାଣୀ ଦୁର୍ବୃତ୍ତଙ୍କୁ ଦେଖି ପାଟି କରିବାରୁ ତାକୁ ଭୁଜାଲି ଦେଖାଇ ଭୟଭୀତ କରିବା ସହ ବାନ୍ଧି ଦେଇଥିଲେ। ପରେ ବିଶ୍ବଜିତଙ୍କ ବଡ଼ ଭଉଣୀଙ୍କୁ ଭୁଜାଲି ଓ ବନ୍ଧୁକ ଦେଖାଇ ସେ ପିନ୍ଧିଥିବା ସମସ୍ତ ସୁନା ଅଳଙ୍କାର ନେବା ପରେ ଆଲମାରିରେ ଥିବା ନଗଦ ୩ ଲକ୍ଷ ଟଙ୍କା ଓ ୮ଭରି ସୁନା ଅଳଙ୍କାର ଲୁଟି ନେଇଥିଲେ। ଏହା ପରେ ତାଙ୍କ ସାନ ଭଉଣୀଙ୍କୁ ବନ୍ଧୁକ ଦେଖାଇ ପିନ୍ଧିଥିବା ସୁନା ଅଳଙ୍କାର ଲୁଟିଥିଲେ।
ଦୁର୍ବୃତ୍ତମାନେ ପ୍ରାୟ ୨ ଘଣ୍ଟା କାଳ ଘର ଭିତରେ ଆତଙ୍କ ଖେଳାଇଥିଲେ ମଧ୍ୟ ପାଖ ପଡ଼ୋଶୀ ଜାଣିପାରି ନଥିଲେ। ଦୁର୍ବୃତ୍ତମାନେ ଚମ୍ପଟ ମାରିବା ପରେ ଦୁଇ ଭଉଣୀ ପଡ଼ୋଶୀ ଲୋକଙ୍କୁ ଓ ଭାଇ ବିଶ୍ୱଜିତଙ୍କୁ ଖବର ଦେଇଥିଲେ। ଆଜି ସକାଳୁ ଡକାୟତି ସଂପର୍କରେ ସୂଚନା ପାଇ କଳିଙ୍ଗନଗର ପୁଲିସ ଶ୍ରୀ ଦାସଙ୍କ ଘରେ ପହଞ୍ଚିଥିଲେ। କଳିଙ୍ଗନଗର ଏଏସ୍ପି ଏସ୍.ଟପୋଙ୍କ ନିର୍ଦ୍ଦେଶରେ ଥାନା ଅଧିକାରୀ ପ୍ରିୟବ୍ରତ ରାଉତ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି । ଅପରପକ୍ଷେ ଘଟଣା ପରେ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇ ନାହିଁ ବୋଲି ପୁଲିସ କହିଛି। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଜଣେ ଯୁବକକୁ ସନ୍ଦେହରେ ଆଣି ଥାନାରେ ଅଟକ ରଖିଛି। ପୁଲିସ ନିଜଆଡୁ ୩୬/୨୦୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।