ନଜରରେ ପୌର ନିର୍ବାଚନ: ସହରାଞ୍ଚଳ ରାସ୍ତା, ନର୍ଦ୍ଦମା ମରାମତି ପାଇଁ ୫୦୦ କୋଟି

ଭୁବନେଶ୍ୱର : ଆଗକୁ ପୌର ନିର୍ବାଚନ ଥିବାବେଳେ ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ସହରାଞ୍ଚଳର ରାସ୍ତାଘାଟ, ନର୍ଦ୍ଦମାର ମରାମତି ତଥା ଉନ୍ନତୀକରଣ ପାଇଁ ୫୦‌୦କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ସହିତ ଆଗାମୀ ମୌସୁମୀ ଋତୁ ପୂର୍ବରୁ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ବିରୋଧୀ ଶିବିରରେ ଛନକା ପଶିଯାଇଛି। ବିପର୍ଯ୍ୟସ୍ତ ରାସ୍ତାଘାଟ, ମୁକୁଳା ଡ୍ରେନ୍, ଜଳବନ୍ଦୀ ସମସ୍ୟା ଆଦିକୁ ନେଇ ବିରୋଧୀ ଆଗାମୀ ନିର୍ବାଚନରେ ସରକାରଙ୍କୁ ଘେରିବାକୁ ଯୋଜନା କରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସବୁ ଅଙ୍କ ଓଲଟପାଲଟ କରିଦେଇଛି।

ଏବେ ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ହେବାର ସମ୍ଭାବନା ଅଛି। ଏନେଇ ବିଭିନ୍ନ ପୌର ସଂସ୍ଥା ପକ୍ଷରୁ ଚିଠା ତାଲିକା ମଧ୍ୟ ପ୍ରସ୍ତୁତ ହୋଇଯାଇଛି। ଏଥିରେ କିଏ ଟିକେଟ୍ ପାଇବେ ନପାଇବେ ତାହା ନିଶ୍ଚିତ ହୋଇନଥିଲେ ହେଁ ଶାସକ ଦଳ ଯେପରି ପୌର ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି।

ଅପରପକ୍ଷେ ରାଜ୍ୟର ସବୁ ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ସାଂଘାତିକ ସ୍ଥିତିରେ ଥିବାବେଳେ କେବଳ ଭୁବନେଶ୍ବରର ସମସ୍ୟା ସମାଧାନ ପାଇଁ ୮୦୦ରୁ ହଜାରେ କୋଟି ଆବଶ୍ୟକ। କଟକ, ପୁରୀ, ବ୍ରହ୍ମପୁର, ସମ୍ବଲପୁର ଭଳି ବଡ଼ ସହରରେ ବି ସ୍ଥିତି ଦୟନୀୟ। ଏପରିସ୍ଥଳେ ଏହି ୫୦୦କୋଟିରେ କେତେ ରାସ୍ତା, ଡ୍ରେନ୍ ମରାମତି ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର