ହୋଟେଲ୍‌ ଶିଳ୍ପରେ ୫୦୦ କୋଟିର କ୍ଷତି, ୯୦ ପ୍ରତିଶତ ହୋଟେଲ୍ କର୍ମଚାରୀ ଛଟେଇ ହୋଇ ଘରେ ବସିଛନ୍ତି

ଭକ୍ତଶୂନ୍ୟ ରଥଯାତ୍ରା ହୋଟେଲ୍‌ ଶିଳ୍ପକୁ ବଡ଼ ଧକ୍‌କା

ପୁରୀ : ୨୦୧୯ ମସିହାରେ ଫନିର ତାଣ୍ଡବ, ୨୦୨୦ରେ କରୋନା କଷଣ ପୁରୀ ପର୍ଯ୍ୟଟନ ଶିଳ୍ପକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଛି। ବିଶେ‌ଷ କରି ପର୍ଯ୍ୟଟକଙ୍କୁ ନେଇ ଗଢ଼ି ଉଠିଥିବା ହୋଟେଲ୍‌ ଓ ଆତିଥ୍ୟ ଶିଳ୍ପକୁ କରୋନା ମୋଡ଼ି ମକଚି ପକାଇଛି। ପୁରୀର ଶିଳ୍ପ ଜଗତ କହିଲେ ହୋଟେଲ୍‌କୁ ବୁଝାଏ। ମୋଟାମୋଟି ଭାବେ ଏହା ପୁରୀ ସହରର ପ୍ରମୁଖ ଆର୍ଥିକ ମେରୁଦଣ୍ଡ। ହୋଟେଲ୍‌ କ୍ଷେତ୍ର ଯୋଗୁ ପୁରୀରେ ୧୦ ହଜାର ବ୍ୟକ୍ତିଙ୍କ ପରିବାରର ଚୁଲି ଜଳେ। ଏବେ କିନ୍ତୁ ପ୍ରାୟ ୯୦ ପ୍ରତିଶତ ହୋଟେଲ୍‌ ସେମାନଙ୍କ ୯୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରି ଦେଇଛନ୍ତି। ପ୍ରଥମ ଲହରର କଷ୍ଟ ପ୍ରଶମିତ ନହେଉଣୁ ଦ୍ବିତୀୟ ଲହର ହୋଟେଲ୍‌ ମାଲିକଙ୍କ ମୁଣ୍ଡରେ ଚଡ଼କ ପକାଇଛି।

TripAdvisor

ପ୍ରଥମ ଲହରର ଆଠ ମାସ ମଧ୍ୟରେ ପୁରୀ ହୋଟେଲ ଶିଳ୍ପ ଏକ ହଜାର କୋଟିର କ୍ଷତି ସହିଥିଲା। ଦ୍ବିତୀୟ ଲହରର ଗତ ୩ ମାସ ମଧ୍ୟରେ ପ୍ରାୟ ୫ଶହ ଟଙ୍କାର କ୍ଷତି ହୋଇ ସାରିଲାଣି ବୋଲି ହୋଟେଲ ମାଲିକମାନେ କହୁଛନ୍ତି। ତେବେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ସମୟରେ ଦେଶୀ, ବିଦେଶୀ ପର୍ଯ୍ୟଟକଙ୍କ ଆଗମନରେ ସେମାନେ କିଛିଟା ରୋଜଗାର କରି ସ୍ଥିତି ସଜାଡ଼ିଥାନ୍ତେ। ମାତ୍ର ଭକ୍ତଶୂନ୍ୟ ରଥଯାତ୍ରା ନିଷ୍ପତ୍ତି ସେ ପ୍ରକାର ସମ୍ଭାବନା ଉପରେ ପାଣି ପକାଇ ଦେଇଛି। ସ୍ଥିତି ଏମିତି ଯଦି ରାଜ୍ୟ ସରକାର ସହଯୋଗର ହାତ ନ ବଢ଼ାନ୍ତି, ତେବେ ପୁରୀ ହୋଟେଲ ଶିଳ୍ପ ଅଣ୍ଟା ସଳଖି ପାରିବ ନାହିଁ ବୋଲି କହି ହୋଟେଲ ମାଲିକମାନେ ହାତ ଟେକି ଦେଇଛନ୍ତି।

YouTube

ପୁରୀ ସହରରେ ପାଖାପାଖି ୮ଶହ ହୋଟେଲ୍‌ ଓ ଲଜ୍‌ ରହିଥିବା ବ‌େଳେ ୧୦ ହଜାର କର୍ମଚାରୀଙ୍କ ଦାନାପାଣି ଏହା ଉପରେ ନିର୍ଭର କରେ। ପ୍ରତିଦିନ ଶ୍ରୀମନ୍ଦିର ଓ ବେଳାଭୂମିର ଆକର୍ଷଣ ଲକ୍ଷାଧିକ ପର୍ଯ୍ୟଟକଙ୍କୁ ପୁରୀ ଟାଣି ଆଣେ। ମାତ୍ର କରୋନାରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଯୋଗୁ ପର୍ଯ୍ୟଟନ କ୍ଷେତ୍ରରେ ତାଲା ଝୁଲିବା ପରେ ହୋଟେଲ୍‌ ଶିଳ୍ପ କ୍ଷେତ୍ର ଖିନ୍‌ଭିନ୍‌ ହୋଇଯାଇଛି। କେବଳ ୧୦ ପ୍ରତିଶତ ହୋଟେଲ୍‌ ଯାହା କିଛି ଲୋକଙ୍କୁ ସେବା ଦେଇ କର୍ମଚାରୀଙ୍କ ଖର୍ଚ୍ଚ ଉଠାଉଛନ୍ତି। ସେଥିରେ ବି କର୍ମଚାରୀଙ୍କୁ ଅଧା ଦରମା ଦେବା ସମ୍ଭବ ହେଉନାହିଁ ବୋଲି କହିଛନ୍ତି ପୁରୀ ହୋଟେଲ୍‌ ସଂଘର ସାଧାରଣ ସମ୍ପାଦକ ତଥା ‌ହଲିଡେ ରିସୋର୍ଟ‌୍ସର ପରିଚାଳନା ନିର୍ଦ୍ଦେଶକ ରାଜକିଶୋର ପାତ୍ର। ପର୍ଯ୍ୟଟନ ବିଭାଗର ୧୨ଶହ ଟଙ୍କାର ପାଣ୍ଠି ରହିଥିବା ବେଳେ ସେଥିରୁ କର୍ମଚାରୀଙ୍କୁ ସହାୟତା ସ୍ବରୂପ କିଛି ଆର୍ଥିକ ଅନୁଦାନ ଦେବାକୁ ସରକାରଙ୍କୁ ଲିଖିତ ଭାବେ ଜଣାଇଛୁ। କିନ୍ତୁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ ବୋଲି ଶ୍ରୀ ପାତ୍ର କହିଛନ୍ତି।

ଶ୍ରୀ ପାତ୍ର କହିଛନ୍ତି, ଗତ ବର୍ଷ ପାଖାପାଖି ୮ ମାସ ହୋଟେଲ୍‌ ବନ୍ଦ ରହିଲା। ଫଳରେ କେବଳ ପୁରୀ ସହରରେ ହୋଟେଲ୍‌ ଶିଳ୍ପ ୧ହଜାର କୋଟିର କ୍ଷତି ‌ସହିଥିଲା। ମଝିରେ କିଛିଦିନ ପୁଣି ବ୍ୟବସାୟକୁ ସମ୍ଭାଳିବାକୁ ଚେଷ୍ଟା ଆରମ୍ଭ କରିଥିଲୁ। କର୍ମଚାରୀଙ୍କୁ ମଧ୍ୟ ଡକାଇଥିଲୁ। କିନ୍ତୁ ପୁଣି ଦ୍ବିତୀୟ ଲହରର ଧକ୍କା ଖାଇବାକୁ ପଡ଼ିଲା। ପୁଣି ଗତ ୩ ମାସ ମଧ୍ୟରେ ଲଜ୍‌, ହୋଟେଲ୍‌ ଓ ରେସ୍ତୋରାଁ ୫ଶହ କୋଟିର କ୍ଷତି ସହିଲାଣି। ବର୍ତ୍ତମାନ ରଥଯାତ୍ରା ଯୋଗୁଁ ପୁରୀରେ ହୋଟେଲ୍‌ ଶିଳ୍ପ ଭଲ ବ୍ୟବସାୟ କରିଥାଆନ୍ତା। ତାହା ବି ଆଉ ସମ୍ଭବ ନୁହେଁ। ଏହା ପରେ ପୁଣି ତୃତୀୟ ଲହର ନିକଟତର ହୋଇଗଲାଣି ବୋଲି ‌ଆମକୁ ଚେତାଇ ଦିଆଗଲାଣି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅଧିକାଂଶ ହୋଟେଲ୍‌ ଋଣଗ୍ରସ୍ତ। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଇଏମ୍‌ଆଇରେ ମୋରାଟୋରିୟମ ପାଇଁ ଅନୁରୋଧ କରିଛୁ। କମ୍‌ ସୁଧ ହାରରେ ଋଣ ପାଇଁ ଅନୁରୋଧ ମଧ୍ୟ କରିଛୁ। ହେଲେ ଏହାକୁ ବି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ପାରିନାହିଁ। ତେଣୁ ଯଦି କିଛି ବିକଳ୍ପ ଚିନ୍ତା କରାନଯାଏ, ତେବେ ହୋଟେଲ୍‌ ଶିଳ୍ପରେ ବିପର୍ଯ୍ୟୟ ଆରମ୍ଭ ହୋଇଯିବ।

ଶ୍ରୀ ପାତ୍ରଙ୍କ କହିବା ମୁତାବକ, କେରଳ ଭଳି କିଛି ରାଜ୍ୟ ପର୍ଯ୍ୟଟକଙ୍କ ଆଗମନ ଲାଗି ବ୍ୟବସ୍ଥା ଆରମ୍ଭ କଲେଣି। ଯଦି ପୁରୀରେ ଅନୁରୂପ ବ୍ୟବସ୍ଥା ଗ୍ରହଣ କରାଯାଇପାରନ୍ତା, ତେବେ ହୋଟେଲ୍‌ ଶିଳ୍ପକୁ ସୁରକ୍ଷା ମିଳିପାରନ୍ତା। ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ଇନ୍‌ସୁରାନ୍ସ ବ୍ୟବସ୍ଥା କରିବା, ସମସ୍ତ ହୋଟେଲ୍‌ କର୍ମଚାରୀଙ୍କ ଟିକାକରଣ, କଟକଣା ମଧ୍ୟରେ ପର୍ଯ୍ୟଟନ କ୍ଷେତ୍ରକୁ ଖୋଲାଗଲେ ହିଁ ପୁରୀକୁ ପର୍ଯ୍ୟଟକଙ୍କ ଆଗମନ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି। ଏନେଇ ଜଣେ ପର୍ଯ୍ୟଟନ ଅଧିକାରୀଙ୍କ କହିବା ମୁତାବକ, ପର୍ଯ୍ୟଟନ କ୍ଷେତ୍ରକୁ ନେଇ ପ୍ରତିଦିନ ତର୍ଜମା ହେଉଛି। ହୋଟେଲ୍‌ କର୍ମଚାରୀମାନଙ୍କୁ ଟିକା ଦେଇ ପ୍ରସ୍ତୁତ କରାଯାଉଛି। ସହାୟତା ଲୋଡ଼ୁଥିବା ହୋଟେଲ୍‌ ଶିଳ୍ପ କ୍ଷେତ୍ରରୁ ମଧ୍ୟ ଦରଖାସ୍ତ ମଗାଯାଇଛି। ତେଣୁ ପର୍ଯ୍ୟଟନ ବିଭାଗ ମଧ୍ୟ ଏହା ଉପରେ ଗୁରୁତ୍ବ ଦେଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର