ବରଗଡ଼: ଏଥର ଧାନ କିଣା ବାବଦକୁ ବ୍ୟାପକ କେଳେଙ୍କାରୀ ହୋଇଛି। ପାଖାପାଖି ୫ଶହ କୋଟି ଟଙ୍କାର ଧାନ ହେରଫେର ହୋଇଛି। ଏହି ଟଙ୍କା ମିଲର୍ସଙ୍କ ମାଧ୍ୟମରେ ରାଜ୍ୟ ସରକାର ହାତେଇବାକୁ ଚେଷ୍ଟା କରୁଛନ୍ତି। ଯାହା ଆଗାମୀ ନିର୍ବାଚନ ବେଳେ ଖର୍ଚ୍ଚ କରିବାକୁ ଯୋଜନା କରାଯାଇଛି ବୋଲି ବିଜେପି କୃଷକ ମୋର୍ଚ୍ଚା ଅଭିଯୋଗ ଆଣିଛି। ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି। ସେ କହିଲେ, ମୋର୍ଚ୍ଚାର ଗୋଟିଏ ଟିମ୍ ଗତ ଚାରି ଦିନ ହେଲା ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ନୂଆପଡ଼ା ଏବଂ ବରଗଡ଼ ଜିଲ୍ଲାର ବିଭିନ୍ନ ମଣ୍ଡି ବୁଲି ଚାଷୀଙ୍କ ସହ ଆଲୋଚନା କରିଥିଲା।
ସବୁ ମଣ୍ଡିରେ ଅବ୍ୟବସ୍ଥା ଲାଗି ରହିଛି। ସବୁ ଜିଲ୍ଲାର ମଣ୍ଡିରେ ଅତିକମ୍ରେ ୩କିଲୋ ଏବଂ ସର୍ବାଧିକ ୧୦-୧୨ କିଲୋ ଯାଏ କଟ୍ନି ଚାଲିଛି। ଏଥର ଓଡ଼ିଶାରେ ୬୪ ଲକ୍ଷ ମେଟ୍ରିକ୍ ଟନ୍ ଧାନକିଣା ଟାର୍ଗେଟ୍ ରହିଛି। ଯଦି ମିଲର୍ସ ସର୍ବନିମ୍ନ ୩କିଲୋ କଟ୍ନି କରିବେ ତେବେ ୪୧୦ କୋଟି ଟଙ୍କା ଅତିକମ୍ରେ ତାଙ୍କ ପକେଟ୍କୁ ଯାଉଛି। କିଛି ଦିନ ତଳେ ସୋନପୁର ଜିଲ୍ଲାରେ ଅର୍ଥ ମନ୍ତ୍ରୀ ନିରଂଜନ ପୂଜାରୀ ଗୋଟିଏ ମଣ୍ଡିକୁ ଯାଇଥିଲେ। ଚାଷୀ ତାଙ୍କୁ କଟ୍ନି ଛଟ୍ନିର ଅଭିଯୋଗ କଲେ। ଗୋଟିଏ ମୁଠା ଧାନ ବି କଟ୍ନି ହେବନି ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।
କିନ୍ତୁ ଉକ୍ତ ମଣ୍ଡିରେ ବି ଏବେ କଟ୍ନି ଚାଲିଥିବା ଜଣାପଡ଼ିଛି। ପ୍ଲାଷ୍ଟିକ୍ ବ୍ୟାଗ୍ ବାବଦକୁ ଚାଷୀଙ୍କଠାରୁ ଅତିରିକ୍ତ ୭ଶହ ଗ୍ରାମ୍ କଟ୍ନି କରାଯାଉଛି। ଏଭଳି ଭାବେ ରାଜ୍ୟରେ ୫ଶହ କୋଟି ଟଙ୍କାର ଧାନ ହେରଫେର ହୋଇଛି। ସରକାର ମିଲର୍ସମାନଙ୍କୁ ଅନୁକମ୍ପା ଦେଖାଇ ନିଜର ନିର୍ବାଚନୀ ପାଣ୍ଠି ସୁଦୃଢ଼ କରିବାକୁ ଲାଗିଛନ୍ତି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦକ ଲକ୍ଷ୍ମଣ ବାଗ ଓ କାମାକ୍ଷା ପ୍ରସାଦ ପ୍ରଧାନ, ରାଜ୍ୟ ସଂପାଦକ ସତ୍ୟବାଦୀ ଚଇନି, ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର ଏବଂ ଜିଲ୍ଲା ବିଜେପି ସଭାପତି ଅଶ୍ବିନୀ ଷଡ଼ଂଗୀ ପ୍ରମୁଖ ଉପସ୍ଥିତ ଥିଲେ।