୫୫୦ ସେତୁ, ୧୩୦ ନୂଆ ରାସ୍ତା ନିର୍ମାଣ ପ୍ରସ୍ତୁତି
ଓସାରିଆ ହେବ ପୁରୁଣା ଗ୍ରାମ୍ୟ ଉନ୍ନୟନ ରାସ୍ତା
ଭୁବନେଶ୍ୱର : ଛୋଟ ଛୋଟ ନାଳ ଉପରେ ସେତୁଟିଏ ନାହିଁ ବୋଲି, ରୋଗୀ ଦୁଆରେ ପହଞ୍ଚିପାରୁନଥିଲା ଆମ୍ବୁଲାନ୍ସ। କେବେ ଖଟିଆରେ ରୋଗୀ ବୁହା ହେଉଥିଲା, ଆଉ କେବେ ଦୁର୍ଗମ ରାସ୍ତା ଦେଇ କୌଣସି ଦୟାଳୁ ଡାକ୍ତର କେବେ କେବେ ରୋଗୀ ପାଖରେ ପହଞ୍ଚି ସେବା ପ୍ରଦାନ କରୁଥିଲେ। ଅନ୍ୟଥା ସରକାରଙ୍କ ସ୍ବାସ୍ଥ୍ୟ ସେବା ଅପହଞ୍ଚ ହୋଇଯାଉଥିଲା ଓ ବ୍ୟବସ୍ଥା ଅସହାୟ ହୋଇପଡ଼ିବା ପରେ ରୋଗୀ ମୃତ୍ୟୁ ମୁହଁକୁ ଠେଲି ହୋଇଯାଉଥିଲା।
କେବଳ ସେତିକି ନୁହେଁ, ପିଲାମାନେ ପାଠ ପଢ଼ିବେ ବୋଲି ବିପଦ ପୂର୍ଣ୍ଣ ଭାବେ ଏବଂ ଜୀବନକୁ ବାଜି ଲଗାଇ ଅନେକ ଛୋଟ ବଡ ନାଳ ଡେଇଁ ପାର ହେଉଥିଲେ। କିଛି ସ୍ଥାନରେ ଟଙ୍କିକିଆ ଚାଉଳ ପାଇଁ ମଧ୍ୟ ପଞ୍ଚାୟତ ଅଫିସକୁ ଆସିବା ଖର୍ଚ୍ଚ ଚାଉଳ ଠାରୁ ବେଳେ ବେଳେ ବଳିଯାଉଥିଲା। ଏସବୁ ଖବର ଗଣମାଧ୍ୟମରେ ଶିରୋନାମା ପାଲଟୁଥିବା ବେଳେ ଅପବାଦରେ ଜଡସଡ ହୋଇପଡୁଥିଲେ ରାଜ୍ୟ ସରକାର।
ଏଥିରୁ ନିସ୍ତାର ପାଇବା ପାଇଁ ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାର ଗୋଟିଏ ବଡ଼ ନିଷ୍ପତ୍ତି ନେଇଛନ୍ତି। ପାଖାପାଖି ୫ହଜାର କୋଟି ଟଙ୍କାର ଏକ ବଡ ବଜେଟ୍ ପ୍ରସ୍ତୁତ ହୋଇ ଏହା ଉପରେ କାମ ଆରମ୍ଭ ହୋଇଛି। ଅପହଞ୍ଚ ଇଲାକାକୁ ଯୋଡିବା ଲାଗି ୫୫୦ ସେତୁ ନିର୍ମାଣ ହେବ, ୨୩୦୦ କିଲୋମିଟର ପାଖାପାଖି ନୂଆ ରାସ୍ତା ମଧ୍ୟ। ଆଦୌ ରାସ୍ତା ନ ଥିବା ୭୦ଟି ଅଞ୍ଚଳକୁ ରାସ୍ତା ଖୋଲିବ ଏବଂ ଆନ୍ତଃଜିଲ୍ଲା, ଆନ୍ତଃ ବ୍ଲକ ଓ ବଡ ବଡ ଗାଁ ମଧ୍ୟରେ ଯେଉଁ କିଛି ରାସ୍ତାର ବିକାଶ ହୋଇନଥିବା କାରଣରୁ ଲୋକେ ହାତ ଗଣତି କେଇ ମିଟର ରାସ୍ତା ପାଇଁ ଦୀର୍ଘଶ୍ରମ କରି ବୁଲି ବୁଲି ଅନ୍ୟ ରାସ୍ତା ଦେଇ ଯାଉଥିଲେ, ସେଭଳି ୭୦ଟି ସ୍ଥାନର ଉନ୍ନତୀକରଣ କରିଦିଆଯିବ। ପୁରୁଣା ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ଚଉଡ଼ା କରି ଜାତୀୟ ରାଜପଥ ଭଳି ଭ୍ରମ ସୃଷ୍ଟି କରିବାକୁ ସରକାର େଯାଜନା କରିଛନ୍ତି। ଏସବୁର ଉଦ୍ଦେଶ୍ୟ ହେଉଛି, ଅପବାଦରୁ କିଛି ପରିମାଣରେ ମୁକ୍ତି ପାଇବେ, ଦ୍ବିତୀୟତଃ ପଞ୍ଚାୟତ ଭୋଟ ବ୍ୟାଙ୍କ ଶାସକ ଦଳକୁ ଯିବା କ୍ଷେତ୍ରରେ ଏହା ସଞ୍ଜୀବନୀ ଭଳି କାମ ଦେବ।
ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ସରକାର ଏସବୁ ବିକାଶ ପାଇଁ ବଜେଟ୍ ଦେବା ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗର କଳେବର
ବଦଳାଇ ଦେଇଛନ୍ତି। ଶୁକ୍ରବାର କ୍ୟାବିନେଟ୍ ବୈଠକରେ ଏ ସଂକ୍ରାନ୍ତ ନିଷ୍ପତ୍ତିରେ ମୋହର ଲାଗିଛି। ପୂର୍ବରୁ ୧୮୦ଟି ସବଡିଭିଜନ୍ ଥିବା ବେଳେ ଏବେ ୩୧୪ଟି ବ୍ଲକରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଗୋଟିଏ ଗୋଟିଏ ସବଡିଭିଜନ କାମ କରିବ। ଅର୍ଥାତ୍ ଜଣେ ଜଣେ ଏସଡିଓ ବା ଡିଗ୍ରି ଇଞ୍ଜିନିୟର ସବୁଠି ରହିବେ। ଏମିତି ଅନେକ ପଦକ୍ଷେପ ନିଆଯାଇଛି।
ଜଣେ ବରିଷ୍ଠ ଅଧିକାରୀଙ୍କ ସୂ୍ତ୍ରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟ ସରକାର ଗାଁର ବିକାଶ ଲାଗି ଏକକାଳୀନ ୫ହଜାର କୋଟିର ପ୍ରକଳ୍ପ ହାତକୁ ନେଉଛନ୍ତି। ଏହାବ୍ୟତୀତ ଆସନ୍ତା ବଜେଟରେ ବି ନୂଆ ନୂଆ ପ୍ରକଳ୍ପ ଓ ଟାର୍ଗେଟ ହାତକୁ ନିଆଯିବ।
ନିୟମ ଅନୁସାରେ, ଗୋଟିଏ ନାଳରେ ୫ କିଲୋମିଟର ବ୍ୟବଧାନରେ ଦୁଇଟି ପୋଲ ନିର୍ମାଣ ହୋଇପାରିବ ନାହିଁ। ୧୯୯୨ ମସିହାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ସୃଷ୍ଟି କରାଯାଇଥିଲେ ହେଁ ସରକାର ୨୫୦୦ ସରିକି ପୋଲ ନିର୍ମାଣ କରିସାରିଛନ୍ତି। ତଥାପି ଏଯାଏ ପାଖାପାଖି ୧୫୦୦ଟି ସେତୁ ନିର୍ମାଣର ଆବଶ୍ୟକତା ରହିଯାଇଛି, ଯାହାକୁ ଯୋଡିବା ନିହାତି ଆବଶ୍ୟକ। ଏହାର ପାଞ୍ଚ କିଲୋମିଟର ବ୍ୟବଧାନରେ ବି ସଂପୃକ୍ତ ନାଳ ଉପରେ ଅନ୍ୟ ସେତୁ ନାହିଁ। ଏଣୁ ସରକାର ପ୍ରଥମ ଦଫାରେଏ ମଧ୍ୟରୁ ୫୫୦ଟି ସେତୁ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିରୁ ୨୩୦ଟି ଟେଣ୍ଡର ପ୍ରକ୍ରିୟା ଭିତରକୁ ଯାଉଛି, ବାକି ୨୭୦ଟିର ନକ୍ସା ପ୍ରସ୍ତୁତ ଚାଲିଛି। ପଞ୍ଚାୟତ ନିର୍ବାଚନ ପରେ ଏସବୁର ଟେଣ୍ଡର କରାଯିବ। ଅଢ଼େଇ ବର୍ଷ ଭିତରେ ଏହି କାର୍ଯ୍ୟ ସରିବ।
ସେହିଭଳି ଗତ ସାଧାରଣ ନିର୍ବାଚନ ପୂର୍ବରୁ ଅନେକ ରାସ୍ତା ପଞ୍ଚାୟତିରାଜ ବିଭାଗରୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ସ୍ଥାନାନ୍ତରିତ ହୋଇଥିଲା। ସେସବୁର ବିକାଶ ହୋଇପାରିନଥିଲା। ସରକାର ପର୍ଯ୍ୟାୟ ଭିତରେ ଏସବୁ ରାସ୍ତାର ବିକାଶ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତରେ ଥିବା ୩୮୭ଟି ରାସ୍ତାକୁ ଜାତୀୟ ରାଜପଥ ଭଳି ଓସାରିଆ କରାଯିବ, ଯାହାର ଦୈର୍ଘ୍ୟ ପାଖାପାଖି ୨୩୦୦ କିଲୋମିଟର ହେବ। ଆଦୌ ରାସ୍ତା ନଥିବା ୬୦ଟି ଓ ଜିଲ୍ଲା-ଜିଲ୍ଲା, ବ୍ଲକ-ବ୍ଲକ ଓ ଗାଁ-ଗାଁ ଯୋଡିବା କ୍ଷେତ୍ରରେ ୭୦ଟି ପ୍ରକଳ୍ପର ଉନ୍ନତିକରଣ କରାଯିବ।
ବିଭାଗ ପକ୍ଷରୁ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଁର ବିକାଶକୁ ଏକ ନମ୍ବର ସ୍ଥାନରେ ରଖିଛନ୍ତି। ୨୦୨୪ ମସିହା ଟାର୍ଗେଟ ରହିଛି। ଏ ମଧ୍ୟରେ ଗାଁ ରାସ୍ତା ନିର୍ମାଣ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ହେବ ଓ ଅନ୍ୟ ବିଭାଗ ମଧ୍ୟ ଗାଁକୁ ଆଖେଇ ସମାନ୍ତରାଳ ଭାବେ ଆଗେଇବେ। ଏଣୁ ଏସବୁକୁ ନଜରରେ ରଖି ସଡ଼କ ନିର୍ମାଣକୁ ଫୋକସ୍ କରାଯାଇଛି। ଖାସ୍ ଏଇଥିପାଇଁ ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗରେ ସେତୁ, ରାସ୍ତା ଆଦି ନିର୍ମାଣ ଲାଗି ଡିଜାଇନ୍ ଵିଙ୍ଗ୍ ନଥିଲା।ଏବେ ସରକାର ଏହାକୁ ଅନୁମୋଦନ ଦେଇଛନ୍ତି। ଏହା ସହିତ ରାସ୍ତାର ଗୁଣବତ୍ତାରେ ଯେଭଳି ଆଦୌ ଯେପରି ସାଲିସ କରାଯିବ ନାହିଁ, ସେଥିଲାଗି ନୂଆ ୮ଟି ଡିଭିଜନ ବି ଖୋଲିବ (ମୋଟ ୧୬ଟି), ଅର୍ଥାତ୍ ପ୍ରତି ସର୍କଲରେ ଗୋଟିଏ ଗୋଟିଏ ଗୁଣବତ୍ତା ନିୟନ୍ତ୍ରଣ ଡିଭିଜନ ଖୋଲିବାକୁ ନିଷ୍ପତ୍ତି ହୋଇଛି।
ଏଠାରେ ଉଲ୍ଲେଖଥାଉକି, ଜାନୁଆରି ଦ୍ବିତୀୟ ସପ୍ତାହରେ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ। ରାଜ୍ୟ ନିର୍ବାଚନ କମିସନର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟକୁ ନେଲେଣି। ଆଦର୍ଶ ଆଚରଣ ବିଧି ଲାଗୁ ପୂର୍ବରୁ ଏସବୁ କାମ ଆରମ୍ଭ ଲାଗି ଯୋଜନା ହୋଇଛି। ଫେବ୍ରୁଆରି ମାସରେ ପଞ୍ଚାୟତ ନିର୍ବାଚନ ଭୋଟ ରହିଛି।