ଆଦିମ ଜନଜାତି ପରିବାର ପିଛା ୫ ହଜାର ଟଙ୍କା

ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ କୋଭିଡ ସହାୟତା
୬୦ହଜାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ଛାତ୍ର ବୃତ୍ତି
ଏ ବିପଦ ସମୟରେ ସରକାର ଆପଣଙ୍କ ସାଥୀରେ ଅଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କରୋନା ମହାମାରୀ ସମୟରେ ରୋଜଗାର ହରାଇଥିବା ବିଭିନ୍ନ ବର୍ଗର ବ୍ୟବସାୟୀ, ଲୋକଙ୍କୁ ରାଜ୍ୟ ସରକାର ପୂର୍ବରୁ କୋଭିଡ ସହାୟତା ପ୍ରଦାନ କରିଥିଲେ। ଆଜି ଏଥିରେ ୧୬୭୯ଟି ଗାଁର ଆପଦଗ୍ରସ୍ତ ଆଦିମ ଜନଜାତି ପରିବାର (ପିଭିଟିଜି) ଯୋଡ଼ି ହୋଇଯାଇଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୪,୨୧୪ଟି ପିଭିଟିଜି ପରିବାରକୁ ୫ ହଜାର ଟଙ୍କା ଲେଖାଏଁ କୋଭିଡ ସହାୟତା ପ୍ରଦାନ କରିଛନ୍ତି। ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏହି ଟଙ୍କା ଜମା କରାଯାଇଛି।

ଏହି କୋଭିଡ ସହାୟତା ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୁଁ ଜାଣେ କାରୋନା ରୋଗ ଯୋଗୁଁ ଗରିବ ଲୋକଙ୍କ ରୋଜଗାର ଉପରେ ବହୁତ ପ୍ରଭାବ ପଡ଼ିଛି । ଆପଣମାନଙ୍କ ରୋଜଗାର ଉପରେ ମଧ୍ୟ ବହୁତ ପ୍ରଭାବ ପଡ଼ିଛି । ଏ ବିପଦ ସମୟରେ ଆପଣମାନେ ଏକା ନୁହନ୍ତି । ଆପଣଙ୍କ ସାଥୀରେ ସରକାର ଅଛନ୍ତି, ଆପଣଙ୍କ କଲ୍ୟାଣ ପାଇଁ ସରକାର କାମ କରୁଛି।

ଏହାସହ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ସବୁ ପିଭିଟିଜି ଜନଜାତି ଗାଁର ସବୁ ପରିବାର ଏହି ସହାୟତା ପାଇବେ। ଆମର ପିଭିଟିଜି ଜନଜାତି ଭାଇଭଉଣୀଙ୍କ ମଧ୍ୟରୁ ୩୦୦ରୁ ଅଧିକ ଲୋକ କରୋନାରେ ପୀଡ଼ିତ ଥିଲେ। ସେତେବେଳେ ସେମାନଙ୍କକୁ କଷ୍ଟକୁ ହୃଦୟଙ୍ଗମ କରି ସେମାନଙ୍କୁ ୨୫୦୦ ଟଙ୍କାର ରାସନ୍ କିଟ୍‌ ଏବଂ ମଜୁରୀ କ୍ଷତି ଭରଣା ପାଇଁ ୧୪୦୦ ଟଙ୍କା ଲେଖାଏଁ ଦିଆଯାଇଥିଲା।

ଏବେବି କରୋନା ମହାମାରୀ ପ୍ରକୋପ କମିନଥିବାରୁ ସମସ୍ତେ ସଚେତନ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। କହିଥିଲେ ଯେ କରୋନା ବିଷୟରେ ଆମେ ବିଶେଷ କିଛି ଜାଣି ନାହୁଁ । ତେଣୁ ଆମକୁ ସାବଧାନ ରହିବାକୁ ହେବ । ମାସ୍କ ପିନ୍ଧିବା , ବାରମ୍ବାର ସାବୁନରେ ହାତ ଧୋଇବା ଓ ଭିଡ଼ରୁ ଦୂରରେ ରହିଲେ କରୋନା ଆମ ଠାରୁ ଦୂରେଇଯିବ। ସମସ୍ତଙ୍କ ପାଇଁ ଦୁଇ ଡୋଜ୍‌ ଟିକା ଜରୁରୀ। ଆପଣମାନଙ୍କ ମଧ୍ୟରୁ ଅନେକ ଟିକା ନେଲେଣି ଜାଣି ଖୁସି ଲାଗୁଛି। ସମସ୍ତେ ଟିକା ନିଅନ୍ତୁ, ନିଜ ପରିବାର ଓ ବନ୍ଧୁଙ୍କୁ ଟିକା ନେବାକୁ କୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ ଯେ, ପିଭିଟିଜି ଜନଜାତିଙ୍କ ମଧ୍ୟରୁ ୩୧୪ ଜଣ କୋଭିଡ ପୀଡ଼ିତ ହୋଇଥିଲେ। କିନ୍ତୁ କାହାର କରୋନାରେ ମୃତ୍ୟୁ ହୋଇନି। ପିଭିଟିଜି ଗାଁଗୁଡ଼ିକରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ମାସ୍କ, ସାନିଟାଇଜର୍‌, ସାବୁନ୍ ବାଣ୍ଟିବା ସହ ୧୮ଟି ଆମ୍ବୁଲାନ୍ସ ନିୟୋଜିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏସ୍‌ସିଏସ୍‌ଟି ଛାତ୍ରଛାତ୍ରୀଙ୍କ ବୃତ୍ତି ପ୍ରଦାନ କରି କହିଥିଲେ ଯେ, କରୋନା ଯୋଗୁଁ ପିଲାମାନେ ଗତ ଏକ ବର୍ଷରୁ ଅଧିକ ସମୟ ହେଲା ହଷ୍ଟେଲ ଛାଡ଼ି ଘରେ ଅଛନ୍ତି। ମୁଁ ଆଶା କରୁଛି ତୁମେମାନେ ଘରେ ମଧ୍ୟ ନିଜ ପାଠ ପ୍ରତି ଧ୍ୟାନ ଦେବ। ମୁଁ ଚାହେଁ ତୁମେମାନେ ଭଲ ପାଠ ପଢ଼ । ବଡ ମଣିଷ ହୁଅ। ତୁମ ପରିବାର, ଗାଁ ଓ ସମାଜକୁ ବିକାଶ ସହ ଯୋଡ଼ି ପରିବର୍ତ୍ତନର ସାରଥୀ ହୁଅ।

ଆଜି ୬୦ହଜାର ଏସ୍‌ସିଏସ୍‌ଟି ଛାତ୍ରଛାତ୍ରୀଙ୍କୁ ଏପ୍ରିଲ, ମେ ଓ ଜୁନ୍‌ ମାସ ପାଇଁ ପ୍ରାକ୍ ମାଟ୍ରିକ ଛାତ୍ର ବୃତ୍ତି ଦିଆଯାଇଥିଲା। ଏଥିରେ ଝିଅମାନଙ୍କୁ ୨୪୦୦ ଟଙ୍କା ଏବଂ ପୁଅଙ୍କ ଆକାଉଣ୍ଟକୁ ୨୨୫୦ ଟଙ୍କା ଦିଆଯାଇଥିଲା। ଏହି ଟଙ୍କା ସେମାନଙ୍କ ବାପାମା’ଙ୍କ ଆକଉଣ୍ଟରେ ଜମା ହୋଇଥିଲା। ଏଥିରେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ପିଭିଟିଜି ପରିବାର ଏବଂ ସମ୍ବଲପୁର ଓ ମୟୂରଭଞ୍ଜର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି. କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, କରଞ୍ଜିଆ ବିଧାୟକ ବାସନ୍ତୀ ହେମ୍ବ୍ରମ୍‌ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ କହିଥିଲେ। କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଜାତି ବିଭାଗ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ସ୍ବାଗତ ଭାଷଣ ଦେଇଥିବା ବେଳେ ଜନଜାତି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର ପି. କେ. ଜେନାଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର