ଗବେଷଣା ପାଇଁ ୫ବର୍ଷରେ ଖର୍ଚ୍ଚ ହେବ ୫୦ହଜାର କୋଟି: ଧର୍ମେନ୍ଦ୍ର

ଭୁବନେଶ୍ବର : ଦେଶରେ ଗବେଷଣା ପରିସଂସ୍ଥାନକୁ ଅଧିକ କ୍ରିୟାଶୀଳ ଏବଂ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ନୂଆ ଜାତୀୟ ଶିକ୍ଷା ନୀତି (ଏନ୍‌ଇପି-୨୦୨୦) ଅନ୍ତର୍ଗତ ରାଷ୍ଟ୍ରୀୟ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଏଫ୍‌) ଗଠନ କରିବେ। ଏହାସହ ଆଗାମୀ ୫ ବର୍ଷ ମଧ୍ୟରେ ୫୦ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ରଖିଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ଲୋକସଭାରେ ଏକ ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ସୂଚନା ଦେଇଛନ୍ତି। ଏନ୍‌ଆର୍‌ଏଫ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିକ୍ଷାନୁଷ୍ଠାନ ବିଶେଷ ଭାବରେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଗବେଷଣାକୁ ପ୍ରୋତ୍ସାହନ ଦେବା ସହ ସାମଗ୍ରିକ ଗବେଷଣା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା। ଏନ୍‌ଆର୍‌ଏଫ୍ ପ୍ରାସଙ୍ଗିକ ମନ୍ତ୍ରଣାଳୟ, ବିଭାଗ ଏବଂ ସରକାରୀ ତଥା ଅଣସରକାରୀ ସଂସ୍ଥା ବିଶେଷ ଭାବରେ ଉଦ୍ୟୋଗ ସହ ମିଳିତ ଭାବେ ଅଧିକ ପ୍ରଭାବୀ, ବୃହତ ଆକରର ଏକାଧିକ ଗବେଷକ, ଏକାଧିକ ଅନୁଷ୍ଠାନ, ଅନ୍ତଃବିଷୟ ଗବେଷଣାକୁ ଅନୁଦାନ ଦେବା ସହ ସହଯୋଗ କରିବ। ମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି ଜଣାଇଛନ୍ତି ଯେ, ମେଡ଼ିକାଲ ପ୍ରବେଶିକା ପାଇଁ ଅନୁଷ୍ଠିତ ନିଟ୍ ପରୀକ୍ଷା ୧୧ଟି ଭାଷାରେ ହେଉଥିବା ବେଳେ ଏବେ ଛାତ୍ରଛାତ୍ରୀମାନେ ୧୩ଟି ଭାଷାରେ ପରୀକ୍ଷା ଦେବେ। ସେହିପରି ଆଂଚଳିକ ଭାଷାରେ ଶିକ୍ଷାଦାନ କରିବା ପାଇଁ ଇଚ୍ଛୁକ ଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକ ପାଇଁ ଏଆଇସିଟିଇ ହ୍ୟାଣ୍ଡବୁକ୍ ପ୍ରସ୍ତୁତ କରାଯାଇଛି । ‘ଏଆଇସିଟିଇ ଟ୍ରାନ୍ସଲେସନ ଅଟୋମେସନ ଆର୍ଟିଫିସେଲ ଇଣ୍ଟେଲିଜେନ୍ସ ଟୁଲ୍‌’ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଇଂରାଜୀ ଭାଷାର ଅନଲାଇନ ପାଠ୍ୟକ୍ରମକୁ ସ୍ଥାନୀୟ ଭାଷା ଯଥା ହିନ୍ଦୀ, ବଙ୍ଗାଳୀ, ମରାଠି, ତେଲୁଗୁ, ତାମିଲ, ଗୁଜୁରାଟୀ, କନ୍ନଡ଼, ମାଲାୟାଲାମ, ପଞ୍ଜାବୀ, ଆସାମୀ, ଓଡ଼ିଆ ଭାଷାରେ ଅନୁବାଦ କରୁଛି ।

ସମ୍ବନ୍ଧିତ ଖବର