୩୩% ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ହେକ୍ଟର ପିଛା ସହାୟତା ମିଳିବ
ରିହାତି ଦରରେ ବିହନ ଯୋଗାଇ ଦିଆଯିବ
୧୨ଟି କ୍ଷତିଗ୍ରସ୍ତ ଜିଲ୍ଲାର ଚାଷୀ ସହାୟତା ପାଇବେ
ସ୍ବଳ୍ପ ମିଆଦି ଋଣକୁ ମଧ୍ୟମ ମିଆଦି କରାଯିବ
ଭୁବନେଶ୍ବର : ଡିସେମ୍ବର ୪ ଓ ୫ରେ ବାତ୍ୟା ‘ଜୱାଦ’ ଜନିତ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ପାଇଁ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୭କୋଟିର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍ରେ ସବୁ ବର୍ଗର ଚାଷୀଙ୍କୁ ସାମିଲ୍ କରାଯାଇଥିବା ବେଳେ ଆସନ୍ତା ରବି ଫସଲରେ ଯେପରି ଚାଷ ପ୍ରଭାବିତ ହେବନି ସେଥିପାଇଁ ରାଜ୍ୟ ସରକାର ରିହାତି ଦରରେ ବିହନ ଯୋଗାଇବା ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି।
ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ, ୩୩% ଫସଲ ନଷ୍ଟ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ବର୍ଷାଜଳ ଉପରେ ନିର୍ଭର କରୁଥିବା ଜମି ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କା, ଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ୧୩,୫୦୦ ଟଙ୍କା ଏବଂ ଆମ୍ବ, କାଜୁ, ନଡ଼ିଆ, ପାନବରଜ, କିଆ ଆଦି ସବୁଦିନିଆ ଫସଲ ନିମନ୍ତେ ହେକ୍ଟର ପିଛା ୧୮ ହଜାର ଟଙ୍କା ସହାୟତା ଦିଆଯିବ। ଏହାସହ ସବୁଦିନିଆ ଫସଲ କ୍ଷତି ପାଇଁ ଇନପୁଟ୍ ସବ୍ସିଡି ଭାବରେ ଚାଷୀଙ୍କୁ ସର୍ବନିମ୍ନ ଦୁଇ ହଜାର ଟଙ୍କା ଓ ଅନ୍ୟ ଫସଲ ପାଇଁ ହଜାରେ ଟଙ୍କା ଦିଆଯିବ।
କ୍ଷତିଗ୍ରସ୍ତ ୧୨ଟି ଜିଲ୍ଲାର ଚାଷୀଙ୍କୁ ୧୨ ହଜାର କ୍ବିଣ୍ଟାଲ ବିହନ ରିହାତି ଦରରେ ଯୋଗାଇ ଦିଆଯିବ ଏବଂ ବର୍ତ୍ତମାନ ରିହାତି ପରିମାଣର ଅତିରିକ୍ତ ୨୫% ଡିବିଟି ଜରିଆରେ ୨୦୨୧-୨୨ ରବି ଫସଲ ପାଇଁ ଦିଆଯିବ। କ୍ଷତିଗ୍ରସ୍ତ ଜିଲ୍ଲାର ଚାଷୀମାନଙ୍କୁ ୫୦ ହଜାର ଡାଲି ଜାତୀୟ ବିହନ ମିନି କିଟ୍ ଯୋଗାଇ ଦିଆଯିବ। ଏହାସହ ୪ ଲକ୍ଷ ପରିବା ବିହନ ମିନିକିଟ୍ ମାଗଣାରେ ଯୋଗାଇ ଦିଆଯିବ।
ସେହିପରି ଫଳ ଓ ପନିପରିବା ଚାଷ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀର ଏକ ଲକ୍ଷ ସଦସ୍ୟଙ୍କୁ ପ୍ଲାଷ୍ଟିକ ଜାଲି ବାକ୍ସ (କ୍ରେଟ୍)ଯୋଗାଇ ଦିଆଯିବ। ପ୍ରତି ସଦସ୍ୟଙ୍କୁ ୯୦% ରିହାତିରେ ୫ଟି କ୍ରେଟ ଯୋଗାଇ ଦିଆଯିବ। ଯାହାଦ୍ବାରା ଫଳ ଓ ପରିବାର ଅମଳ ପରବର୍ତ୍ତୀ କ୍ଷତି କମ୍ କରାଯାଇପାରିବ। ଏକ ଲକ୍ଷ ଚାଷୀଙ୍କୁ ସେମାନଙ୍କ ଘର ପଛ ବଗିଚାରେ ଲଗାଇବା ପାଇଁ ମାଗଣାରେ ୧୦ଟି ଲେଖାଏଁ ଫଳ ଚାରା ଯୋଗାଇ ଦିଆଯିବ। ଏକ ଲକ୍ଷ ଚାଷୀଙ୍କୁ ହାଇବ୍ରିଡ ପରିବା ଚାଷ ପାଇଁ ସହାୟତା ଦିଆଯିବ। ପ୍ରତି ଚାଷୀଙ୍କୁ ୦.୨୦ ହେକ୍ଟର ପାଇଁ ୪୦୦୦ ଟଙ୍କା ଲେଖାଏ ସହାୟତା ମିଳିବ।
କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକର ଚାଷୀମାନଙ୍କୁ କୃଷି ଯାନ୍ତ୍ରିକୀକରଣ ନିମନ୍ତେ ୫୦ କୋଟି ଟଙ୍କାର ରିହାତି ଦିଆଯିବ। ଏହା ଡିବିଟି ଜରିଆରେ ପ୍ରଦାନ କରାଯିବ। କ୍ଷତିଗ୍ରସ୍ତ ଅଞ୍ଚଳରେ ୫ହଜାର ପମ୍ପସେଟ୍ ୫୦ ପ୍ରତିଶତ ରିହାତିରେ ଯୋଗାଇଦିଆଯିବ। ଏଥିପାଇଁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯିବ। କ୍ଷତିଗ୍ରସ୍ତ ଚାଷୀଙ୍କୁ ୫୦% ରିହାତିରେ ୫ହଜାର ସ୍ପ୍ରେୟର (ସିଞ୍ଚନ ଯନ୍ତ୍ର) ଯୋଗାଇ ଦିଆଯିବ। ପାୱାର ସ୍ପ୍ରେୟର ପାଇଁ ସର୍ବାଧିକ ୩୮୦୦ ଟଙ୍କା ଏବଂ ହାତଚାଳିତ ସ୍ପ୍ରେୟର ପାଇଁ ସର୍ବାଧିକ ୭୫୦ ଟଙ୍କା ଦିଆଯିବ। ରୋଗପୋକ ନିୟନ୍ତ୍ରଣ ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ମଧ୍ୟ ଏହି ପ୍ୟାକେଜରେ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଦିଆଯିବାକୁ ଥିବା ରିହାତି ଚାଷୀଙ୍କୁ ଡିବିଟି ଜରିଆରେ ଦିଆଯିବ। ସମୁଦାୟ ୧୬ ହଜାର ହେକ୍ଟର ଜମି ପାଇଁ ଏହି ସହାୟତା ମିଳିବ।
୩୩% ବା ତା’ଠାରୁ ଅଧିକ ଫସଲ କ୍ଷତି ହୋଇଥିବା ଅଞ୍ଚଳରେ ଦିଆଯାଇଥିବା ସ୍ବଳ୍ପମିଆଦି ଋଣକୁ ମଧ୍ୟମ ମିଆଦି ଋଣରେ ପରିଣତ କରାଯିବ। ସେହିପରି ଆସନ୍ତା ରବି ଋତୁ ପାଇଁ ଚାଷୀମାନେ ଯେପରି ସୁବିଧାରେ ଫସଲ ଋଣ ଓ କୃଷି ଋଣ କରିପାରିବେ ସେଥିପାଇଁ ଆନୁଷ୍ଠାନିକ ଆର୍ଥିକ ସଂସ୍ଥା ଦ୍ବାରା ସହାୟତାର ବ୍ୟବସ୍ଥା କରାଯିବ। ଭାଗଚାଷୀ ମାନେ ଯେପରି ରବି ଋତୁରେ ସୁବିଧାରେ ଋଣ ପାଇପାରିବେ, ସେଥିପାଇଁ ଯୁଗ୍ମ ଲାଏବିଲିଟି ଗ୍ରୁପ୍ ଗଠନ ପାଇଁ ତ୍ବରିତ ପଦକ୍ଷେପ ନିଆଯିବ।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ ଚାଷୀମାନେ ଯେପରି ତାଙ୍କ କ୍ଷତିପୂରଣ ଶୀଘ୍ର ପାଇପାରିବେ, ସେଥିପାଇଁ ଅମଳ ପରବର୍ତ୍ତୀ କ୍ଷତିର ତୁରନ୍ତ ଆକଳନ ନିମନ୍ତେ ପଦକ୍ଷେପ ନିଆଯିବ ଏବଂ କ୍ରପ୍ କଟିଂ ଏକ୍ସପେରିମେଣ୍ଟ ମଧ୍ୟ ଶୀଘ୍ର ଶେଷ କରାଯିବ। ବାତ୍ୟା ଜୱାଦ ଜନିତ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନେ ଯେପରି ରବି ଫସଲ ପାଇଁ ତୁରନ୍ତ ଋଣ ସହାୟତା ପାଇପାରିବେ ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।