ଭୁବନେଶ୍ବର : ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏକ ସ୍ବତନ୍ତ୍ର ପୁଷ୍ଟି ବଜେଟ୍ ଉପସ୍ଥାପନ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍କିମ୍ରେ ପୁଷ୍ଟିସାଧନ ପାଇଁ ୨୦୨୧-୨୨ ବଜେଟ୍ରେ ୫,୧୨,୧୧୩.୯୯ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ପୂର୍ବବର୍ଷ (୨୦୨୦-୨୧)ରେ ତାହା ୪,୫୫,୪୮୪.୨୯ ଲକ୍ଷ ଟଙ୍କା ଥିଲା। ପୁଷ୍ଟି ସମ୍ବେଦନଶୀଳ ସ୍କିମ୍ଗୁଡ଼ିକ ପାଇଁ ଏଥର ୨୫,୨୩,୯୦୯.୯୩ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ୧୬ଟି ସ୍କିମ୍କୁ ପୁଷ୍ଟି ଭିତ୍ତିକ ସ୍କିମ୍ ଭାବେ ଚିହ୍ନଟ କରାଯାଇଛି। ପୁଷ୍ଟି ବଜେଟ୍ରେ କରାଯାଇଥିବା ବ୍ୟୟବରାଦର ୫୬% ଅର୍ଥ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ଖର୍ଚ୍ଚ କରିବ। ଖାଦ୍ୟ ସୁରକ୍ଷା ଓ ଉପଭୋକ୍ତା କଲ୍ୟାଣ ବିଭାଗ ୨୫%, ସ୍କୁଲ ଓ ଗଣ ଶିକ୍ଷା ବିଭାଗ ୧୩ ପ୍ରତିଶତ ଏବଂ ଦିବ୍ୟାଙ୍ଗମାନଙ୍କ ସାମାଜିକ ସୁରକ୍ଷା ଓ ଶସକ୍ତୀକରଣ ବିଭାଗ ୬ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବ।
ଶିଶୁ ପିଛା ୧୬,୫୯୩ ଟଙ୍କା ବ୍ୟୟ ହେବ, ୨୪,୧୨୦ କୋଟି ଟଙ୍କାର ଶିଶୁ ବଜେଟ୍
ଭୁବନେଶ୍ବର : ରାଜ୍ୟ ସରକାର ଶିଶୁ ବଜେଟ୍ରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୨୪,୧୯୯.୭୨ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ପୂର୍ବ ଆର୍ଥିକ ବର୍ଷରେ ଏଥିପାଇଁ ୨୦, ୧୧୧.୬୩ କୋଟି ଟଙ୍କା ଦିଆଯାଇଥିଲା। ରାଜ୍ୟରେ ମୁଣ୍ଡପିଛା ଶିଶୁ ବ୍ୟୟ ୧୬,୫୯୩ ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୨୦-୨୧ରେ ଏହା ୧୩,୮୫୭ ଟଙ୍କା ଥିଲା। ରାଜ୍ୟର ୧୩ଟି ବିଭାଗରେ ଶିଶୁ ସମ୍ପର୍କିତ ୨୨୭ଟି ସ୍କିମ୍ ଓ କାର୍ଯ୍ୟକ୍ରମ ଚିହ୍ନଟ କରାଯାଇଛି। ସରକାର ଏହା ଉପରେ ଗୁରୁତ୍ବ ଦେବେ। ଶିଶୁଙ୍କ ବିକାଶ ପାଇଁ ୪୩ଟି, ସ୍ବାସ୍ଥ୍ୟ ପାଇଁ ୨୩ଟି, ଶିକ୍ଷା ପାଇଁ ୧୪୧ଟି ଓ ସୁରକ୍ଷା ପାଇଁ ୨୦ଟି ସ୍କିମ୍ ଓ କାର୍ଯ୍ୟକ୍ରମ ଚିହ୍ନଟ କରାଯାଇଛି ବୋଲି ଶିଶୁ ବଜେଟ୍ରେ ଉଲ୍ଲେଖ କରାଯାଇଛି। ଶିଶୁମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ବଜେଟ୍ର ସିଂହ ଭାଗ ଅର୍ଥାତ ୭୫.୭୭% ବ୍ୟୟ ସ୍କୁଲ ଓ ଗଣ ଶିକ୍ଷା ବିଭାଗ କରିବ। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ମିଶନ ଶକ୍ତି ୧୩.୧୮% ଅର୍ଥ ବ୍ୟୟ କରିବ। ଶିଶୁମାନଙ୍କ ଶିକ୍ଷାରେ ୮୫.୭%, ବିକାଶରେ ୨.୬%, ସ୍ବାସ୍ଥ୍ୟରେ ୧୦.୯% ଓ ସୁରକ୍ଷାରେ ୦.୭% ପାଣ୍ଠି ବ୍ୟୟ କରାଯିବ। ରାଜ୍ୟର ବଜେଟ୍ରେ ଶିଶୁ ବଜେଟ୍ର ଭାଗ ହେଉଛି ୧୭.୪୨% ଏବଂ ରାଜ୍ୟ ଜିଡିପିରେ ଏହି ବଜେଟ୍ର ଭାଗ ହେଉଛି ୪.୧୨%।
୧୮୩୧ ମତାମତ ଆସିଥିଲା
ଭୁବନେଶ୍ବର : ୨୦୧୬-୧୭ ଆର୍ଥିକ ବର୍ଷରୁ ରାଜ୍ୟ ସରକାର ବଜେଟ୍ ପ୍ରସ୍ତୁତ ପୂର୍ବରୁ ଜନସାଧାରଣଙ୍କ ମତାମତ ଲୋଡ଼ୁଛନ୍ତି। ବିଶେଷକରି ଫେସ୍ବୁକ୍, ହ୍ବାଟ୍ସ ଆପ୍, ଏସ୍ଏମ୍୍ଏସ୍, ଇ-ମେଲ୍ ଓ ଅର୍ଥ ବିଭାଗର େପାର୍ଟାଲ ଜରିଆରେ ମତାମତ ଆହ୍ବାନ କରାଯାଇଥିଲା। ଏବର୍ଷ ମୋଟ ୧୮୩୧ଟି ମତାମତ ଆସିଛି। ଏ ମଧ୍ୟରୁ ଏସ୍ଏମ୍୍ଏସ୍ ଓଟ୍ବିଟରରେ ୬୨୨ଟି, ହ୍ବାଟ୍ସ ଆପ୍ରେ ୬୪୩ଟି, ୱେବ୍ ପୋର୍ଟାଲରେ ୩୬୫, ଫେସ୍ବୁକରେ ୨୦୧ଟି ମତାମତ ମିଳିଥିଲା।