ସୋନପୁର: ନକଲି ସୁନା ଦେଇ ଏକ ବ୍ୟାଙ୍କରୁ ୫୨ ଲକ୍ଷ ୮୩ ହଜାର ଠକେଇ ଘଟଣାରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି ବାପା, ପୁଅ ଓ ବଣିଆ। ଏହି ଠକେଇ କାରବାରରେ ପୂର୍ବତନ ବ୍ୟାଙ୍କ ପିଓଙ୍କର ଭୂମିକା ଥିବା ସନ୍ଦେହ କରାଯାଉଛି। ସୋନପୁରସ୍ଥିତ ବ୍ୟାଙ୍କ ଅଫ ବରୋଦା ଶାଖାରେ ଏହିଭଳି ବଡ଼ଧରଣର ଠକେଇ ହୋଇଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବିନିକା ଥାନା ସିଲାଟି(ନୂଆପଡ଼ା)ର ବାପା ଈଶ୍ବର ସରାଫ(୫୮) ଏବଂ ପୁଅ ସୁରେନ୍ଦ୍ର ସରାଫ(୨୭) ଓ ସିଲାଟି(ମାଳିପଡ଼ା)ର ଅଞ୍ଜନ ସା(୩୭), ସିଲାଟି(ନୂଅଆପଡ଼ା)ର ହଜାରୁ ସାହୁ(୬୫), ଡଙ୍ଗୁରିପାଲି ଥାନା ଚେରୁପାଲିର ଡାକ୍ତର ସେଠ(୪୫), ବରଗଡ଼ ଜିଲ୍ଲା ଭେଡେନ ଥାନା ରୁଷୁଡାର ରାମଚନ୍ଦ୍ର ବଣିଆ ଓରଫ ରାମ(୩୦) ଏବଂ ସୁନା ସମ୍ପର୍କରେ ସ୍ବଛତା ପ୍ରମାଣପତ୍ର ଦେଇଥିବା ବଣିଆ ସୋନପୁର ଘୋଡ଼ାଘାଟପଡ଼ା(ମହାନ୍ତିପଡ଼ା)ର ଜୟନାରାୟଣ ମହାରଣା (୬୩)। ଅନ୍ୟ ଜଣେ ଅଭିଯୁକ୍ତ ଉଲୁଣ୍ଡା ଥାନା ଇଛାପୁର(ଚଢେଇପଙ୍କ)ର ରାମକୁମାର ମେହେର(୪୪) ନେଇଥିବା ଋଣ ଟଙ୍କା ଫେରାଇଦେବାରୁ ତାକୁ ଗିରଫ କରାନଯାଇ ୪୧ ସିଆରପିସିରେ ଛଡ଼ାଯାଇଥିବା ସୂଚନା ଦିଆଯାଇଛି।
ସୋନପୁର ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଅମରେଶ ପଣ୍ଡା କହିଛନ୍ତି ସ୍ଥାନୀୟ ବ୍ୟାଙ୍କ ଅଫ ବରୋଦାରେ ଅସଲି ସୁନା କହି ନକଲି ସୁନା ଦେଇ ପ୍ରାୟ ୧୦ ଜଣ ବ୍ୟକ୍ତି ୫୨ ଲକ୍ଷ ୮୩ ହଜାର ୧ଶହ ଟଙ୍କା ଋଣ ନେଇଥିଲେ। ୧୦ ଜଣ ବ୍ୟକ୍ତି ନକଲି ସୁନା ଦେଇ ୬୫ ଥର ଋଣ ଆକାରରେ ଟଙ୍କା ନେଇଥିବା ଜଣାପଡ଼ିଛି। ଏହି ଠକେଇ ୨୦୧୯ ଜୁନ ୬ ତାରିଖରୁ ୨୦୨୧ ମଇ ୨୦ ତାରିଖ ମଧ୍ୟରେ ହୋଇଥିବା ତଦନ୍ତ ସମୟରେ ଜଣାପଡିଛି। ଗତ ଅଗଷ୍ଟ ୬ ତାରିଖ ଦିନ ବ୍ୟାଙ୍କ ଅଫ ବରୋଦା ସୋନପୁର ଶଖାର ସ୍ବତନ୍ତ୍ର ଅଡିଟରେ ଏହି ଠକେଇ ସମ୍ପର୍କରେ ଜଣାପଡିଥିଲା। ସେହିପରି ଏହି ଋଣ ଟଙ୍କା ମଞ୍ଜୁର କରିଥିବା ବ୍ୟାଙ୍କ ଅଫ ବରୋଦା ସୋନପୁର ଶାଖାର ପ୍ରାକ୍ତନ ପିଓ ସୌମ୍ୟରଞ୍ଜନ ଚୋପଦାରଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ଏଣୁ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି । ତଦନ୍ତ ପାଇଁ ଖୁବ ଶୀଘ୍ର ତାଙ୍କୁ ନୋଟିସ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଏହି ଘଟଣାରେ ଫେରାର ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ବ୍ୟାଙ୍କ ଅଫ ବରୋଦାର ବରିଷ୍ଠ ଶାଖା ପରିଚାଳକ ଯଜ୍ଞେଶ୍ବର ସାମଲଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ସୋନପୁର ଥାନା କେସ ନମ୍ବର ୨୩୪ତା୩/୧୨/୨୦୨୨ ଆପିସି ଧାରା ୪୨୦/୪୬୮/୪୭୧/୧୨୦-ବି ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ଏସପି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/Sonepur-Bank-Of-Barodaru-Nakali-Suna-dei-Lakhyadika-tanka-Thakei-Ghatanre-Giraf-Abhijuktamananka-Sah-SPNKAsambadika-samilani-Sonepur.jpg)