ସମଗ୍ର ଦେଶକୁ ବାଟ ଦେଖାଇଛି କାଳିଆ: ମୁଖ୍ୟମନ୍ତ୍ରୀ

କେନ୍ଦ୍ରର କିଷାନ ଯୋଜନାକୁ ସମାଲୋଚନା, ସତ୍ୟବାଦୀ-ବ୍ରହ୍ମଗିରି ପାଇଁ ୫୨୧ କୋଟି‌ ଟଙ୍କାର ପ୍ରକଳ୍ପ

ବ୍ରହ୍ମଗିରି/ଗଡ଼ିଶାଗୋଦା/କଣାସ :‌ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା ସମଗ୍ର ଦେଶକୁ ବାଟ ଦେଖାଇଥିବା କହିଥିଲେ। ‘କାଳିଆ’ ଯୋଜନାରେ ଛୋଟ ଚାଷୀ, ଭାଗ ଚାଷୀ, ନାମକୁମାତ୍ର ଚାଷୀ ସମସ୍ତେ ଉପକୃତ ହେବେ। ମାତ୍ର, କେନ୍ଦ୍ର ସରକାରଙ୍କ କିଷାନ ଯୋଜନାରେ ସେମିତି କିଛି ବ୍ୟବସ୍ଥା ନାହିଁ। ପୁରୀ ଜିଲ୍ଲାର ସତ୍ୟବାଦୀ ଓ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ପାଇଁ ଆୟୋଜିତ କ‌ାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିଭଳି ମନ୍ତବ୍ୟ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ପୁରୀ ଜିଲ୍ଲାର ସତ୍ୟବାଦୀ ଓ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଦୁଇଟି ନିର୍ବାଚନମଣ୍ଡଳୀ ପାଇଁ ସେ ୫୨୧ ‌କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀର କଣାସ, ଜଙ୍କିଆଗଡ ସାହି ମେଲଣ ପଡିଆ ଓ ବ୍ରହ୍ମଗିରି କେରାଣ୍ଡିଆଠାରେ ଆୟୋଜିତ ଜନ ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା ସମଗ୍ର ଭାରତକୁ ବାଟ ଦେଖାଇଛି। ଏଥିରୁ ଜଣେ ଯୋଗ୍ୟ ଚାଷୀ ଯେମିତି ବାଦ୍‌ ନ ପଡନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଇଛି ବୋଲି କହିଥିଲେ। ଆସନ୍ତାକାଲି ଏହି ଯୋଜନାରେ ଆଉ ୧୦ ଲକ୍ଷ ଚ‌ାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସେ ଘୋ‌ଷଣା କରିଥିଲେ।

ତେବେ ଏହି ଦୁଇ ସମାବେଶରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ କିଷାନ ଯୋଜନାକୁ ସିଧାସଳଖ ଟାର୍ଗେଟ୍‌ କରିଥିଲେ। କହିଥିଲେ, ଏହି ଯୋଜନାରେ ଚାଷୀଙ୍କ ପାଇଁ ସେଭଳି କିଛି ସୁବିଧା ନାହିଁ। ଚାଷୀମାନଙ୍କୁ କିଷାନ ଯୋଜନାରେ କିଭଳି ହକ୍ ମିଳିବ ସେଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ନିକଟରେ ଦାବି ରଖିଛନ୍ତି। ଚାଷୀଙ୍କୁ ୬ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା ଦେବାକୁ ଦାବି ଜଣାଇଥିବା କହିଥିଲେ।

ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧ଟା ୨୦ରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜଙ୍କିଆଗଡ ସ‌ାହି ମେଲଣ ପଡିଆରେ ଆୟୋଜିତ ସମାବେଶରେ ଯୋଗ ଦେଇ ୨୫୧ କୋଟି ୪୫ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କଣାସ, ବ୍ରହ୍ମଗିରି ଓ ସତ୍ୟବାଦୀ ବ୍ଲକ୍ ପାଇଁ ବୃହତ୍‌ ପାନୀୟ ଜଳ ଯୋଗାଣ ନିମନ୍ତେ ୨୦୩ କୋଟି ଟଙ୍କା ବ୍ୟୟ ଅଟକଳ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ସଭାରେ ମୁଖ୍ୟମନ୍ତ୍ରୀ ୧୮୬ ସ୍ବୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କା ହିସାବରେ ମୋଟ୍‌ ୨୮ ଲକ୍ଷ ଟଙ୍କା ସିଡ୍‌ ମନି ପ୍ରଦାନ କରିବା ସହ ଭିନ୍ନକ୍ଷମଙ୍କୁ ଶ୍ରବଣ ଯନ୍ତ୍ର ବଣ୍ଟନ କରିଥିଲେ। ସତ୍ୟବାଦୀ ସମାବେଶରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗ ଦେଇଥି‌େଲ।

ଏହାପରେ ମୁଖ୍ୟମନ୍ତ୍ରୀ ବ୍ରହ୍ମଗିରି କେରାଣ୍ଡିଆ ପଡି‌ଆରେ ଆୟୋଜିତ ସମାବେଶରେ ଯୋଗ ଦେଇ ବ୍ରହ୍ମଗିରି-କୃଷ୍ଣପ୍ରସାଦ ଅଞ୍ଚଳ ପାଇଁ ୨୭୦ କୋଟି ଟଙ୍କା ବ୍ୟୟରେ ୮ଟି ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ୧୫ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକର ୯୯ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ନିମନ୍ତେ ୧୬୧ କୋଟି ଟଙ୍କା ବ୍ୟୟରେ ଜଳ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା। ଏଠା‌ରେ ମୁଖ୍ୟମନ୍ତ୍ରୀ ୭୨ଟି ମହିଳା ସ୍ବୟଂସହାୟକ ଗୋଷ୍ଠୀକୁ ୧୦ ଲକ୍ଷ ୮୦ ହଜାର ଟଙ୍କା ପ୍ରଦାନ କରିଥିଲେ। କେରାଣ୍ଡିଆ ସଭାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ବର ମହାନ୍ତି, ପୁରୀ ସାଂସଦ ପିନାକୀ ମିଶ୍ର, ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମା ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ସଭାରେ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ଏସ୍‌ପି ଡାକ୍ତର ସାର୍ଥକ ଷଡଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର