ଯୁବକଙ୍କ କୌଶଳ ବିକାଶ ନାଁରେ ୫୬୮ କୋଟି ରାଜ୍ୟ ଠକିଛି: ବିଜେପି

ସିଏଜି ରିପୋର୍ଟକୁ ଧରି ଗର୍ଜିଲେ ଲେଖାଶ୍ରୀ, ଏଜିଙ୍କ କାର୍ଯ୍ୟବିଧି ସଂକ୍ରାନ୍ତରେ ବିଜେପି ଅଜ୍ଞ: ବିଜେଡି

ଭୁବନେଶ୍ବର : ରାଜ୍ୟ ସରକାର ଓଡ଼ିଶାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ନାମରେ ପ୍ରତାରିତ କରିଛନ୍ତି। ୨୦୧୪ରୁ ୨୦୧୯ ମଧ୍ୟରେ ଯୁବକଙ୍କ କୌଶଳ ବିକାଶ ନାମରେ ଆସିଥିବା ୫୬୮ କୋଟି ୪୩ଲକ୍ଷ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ଆଣି ଆଜି ବିଜେପି ଏଭଳି ବର୍ଷିଛି।

ବିଜେପି ରାଜ୍ୟ ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଦକ୍ଷତା ବିକାଶ ନାମରେ ଓଡ଼ିଶାର ଯୁବକ ଯୁବତୀଙ୍କୁ ନିଯୁକ୍ତି ନ େଦଇ ଦାଦନ ଖଟିବା ପାଇଁ ରାଜ୍ୟ ସରକାର ଅନ୍ୟତ୍ର ପଠାଇ ଦେଇଛନ୍ତି। ଆଉ ସେ ବାବଦ ଅର୍ଥ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ପ୍ରମୁଖ ସଚିବ ଦେଓରଂଜନ ସିଂହ ଏବଂ ଓରମାସ୍‌ ନିର୍ଦେଶକ ବିଏନ୍ ଦାସ ଆତ୍ମସାତ୍ କରିଛନ୍ତି। ପଞ୍ଚାୟତିରାଜ ବିଭାଗରେ ଦେଓରଂଜନ ୯ବର୍ଷ ଧରି ଦାୟିତ୍ବ ତୁଲାଇଲେଣିି। ଓରମାସ୍୍‌ରେ ବି ଏନ୍ ଦାସ ୨୧ବର୍ଷ ଧରି ଦାୟିତ୍ବରେ ଅଛନ୍ତି। ରାଜ୍ୟ ସରକାର ତଥ୍ୟ ଦେଇଛନ୍ତି ଯେ ୫ବର୍ଷରେ ୧ଲକ୍ଷ ୩୧ହଜାର ୮୫୪ ଯୁବକ ଯୁବତୀଙ୍କୁ ତାଲିମ ଦିଆଯାଇଛି ଓ ୯୭ ହଜାର ୧୯୮ ଜଣ ନିଯୁକ୍ତି ପାଇଛନ୍ତି। ମାତ୍ର ଏହି ତଥ୍ୟ ଅସତ୍ୟ। ଏମିତି କାହାକୁ ବି ନିଯୁକ୍ତି ଦିଆଯାଇନାହିଁ। ବରଂ ଓରମାସ୍‌ର ସହଯୋଗରେ ୧୯୭.୦୫କୋଟି ଟଙ୍କାର ପ୍ରକଳ୍ପ ଯୋଗ୍ୟତା ନଥିବା ବିଭିନ୍ନ ସଂସ୍ଥାକୁ ଦିଆଯାଇଛି ବୋଲି ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ବିଜେପି କହିଛି, ରାଜ୍ୟରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ପ୍ରକଳ୍ପ ଦାୟିତ୍ବ ୯୫ଟି ସଂସ୍ଥାକୁ ଦିଆଯାଇଥିଲା। ଏ ମଧ୍ୟରେ ୨୬ଟି ସଂସ୍ଥା ପ୍ରଥମ କିସ୍ତିରେ ୨୦.୧୧ କୋଟି ଟଙ୍କା ନେଇ ଗାଏବ ହୋଇଯାଇଥିବା ସିଏଜି ଉଲ୍ଲେଖ କରିଛି। ପ୍ରକୃତରେ ଏହି ସଂସ୍ଥାଗୁଡିକ ହେଉଛି ଭୂତ ସଂସ୍ଥା। ୬୫୨୬ଜଣଙ୍କୁ ତାଲିମ୍ ଦିଆଯାଇଥିବା କଥା ବି ପୂରା ଅସତ୍ୟ। ଏହି ସଂସ୍ଥାକୁ ବିଭାଗୀୟ ମନ୍ତ୍ରୀ, ସଚିବ ଓ ଅଧିକାରୀ ହରିଲୁଟ୍ କରିଛନ୍ତି ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି।

ଏଏସ୍‌ଡି ଏଜୁକେସନ୍, ଏସକର୍ଟ ଲିମିଟେଡ୍, ବ୍ଲାକ୍ ପାନ୍ଥର ସିକ୍ୟୁରିଟିଜ୍, କେୟାର ନାମକ ୪ଟି ସଂସ୍ଥାକୁ ତାଙ୍କ ଆର୍ଥିକ କ୍ଷମତା ବାହାରେ ୭୬.୩୪ କୋଟି ଟଙ୍କାର କାମ ଓରମାସ୍ ଦେଇଛି। ଏହି ସଂସ୍ଥାଗୁଡିକ ମିଥ୍ୟା ତଥ୍ୟ ଦେଇଛନ୍ତି ଓ ଯେତିକି ତାଲିମ ଦେବା କଥା ତାହା କରିନାହାନ୍ତି ବୋଲି ବିଜେପି ସିଏଜି ରିପୋର୍ଟକୁ ଆଧାର କରି ଅଭିଯୋଗ କରିଛି। ହେଲେ ବିଭାଗର ଅଧିକାରୀମାନେ ଏସବୁ ଜାଣିଥିଲେ ବି ସେହି ସଂସ୍ଥାମାନଙ୍କୁ ପୁଣି ଥରେ ନୂଆ ପ୍ରକଳ୍ପ ଦେଇଛନ୍ତି।

ଏଜିଙ୍କ କାର୍ଯ୍ୟବିଧି ସଂକ୍ରାନ୍ତରେ ବିଜେପି ଅଜ୍ଞ: ବିଜେଡି
ଭୁବନେଶ୍ବର : ଅଡିଟ୍‌ ଆକାଉଣ୍ଟ ଓ ଏଜିଙ୍କ କାର୍ଯ୍ୟବିଧି ସଂକ୍ରାନ୍ତରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କର ସାମାନ୍ୟତମ ଜ୍ଞାନ ନାହିଁ। ସେ ଆଜି ଗଣମାଧ୍ୟମରେ ରଖିଥିବା ବକ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଛି ବୋଲି ବିଜେଡି ମୁଖପାତ୍ର ସୁଶ୍ରୀ ଇପ୍ସିତା ସାହୁ କହିଛନ୍ତି।

ଲେଖାଶ୍ରୀଙ୍କ ବକ୍ତବ୍ୟର ଜବାବ ଦେଇ ସୁଶ୍ରୀ ସାହୁ କହିଛନ୍ତି ଯେ ଏଜିଙ୍କ କାର୍ଯ୍ୟଧାରା ଉପରେ ବିଜେପି ନେତ୍ରୀଙ୍କର ଧ୍ୟାନ ଧାରଣା ଥିବ ବୋଲି ଯାହା ଆଶା କରାଯାଉଥିଲା ତାହା ଆଜି ଭୁଲ୍‍ ପ୍ରମାଣିତ ହୋଇଛି। ସିଏଜି ରିପୋର୍ଟ ଆଳରେ ସେ ଆଜି ପୁଣିଥରେ ମିଥ୍ୟା, ଭିତ୍ତିହୀନ ଓ କପୋଳକଳ୍ପିତ ଅଭିଯୋଗ ରଖିଛନ୍ତି। କେବେ ପ୍ରଶାସକ ତ କେବେ ନେତାମାନଙ୍କ ଉପରେ ମନଗଢା ଅଭିଯୋଗ ଲଗାଉଛନ୍ତି।

ବିଜେଡି ପ୍ରବକ୍ତା କହିଛନ୍ତି ଯେ ଲେଖାଶ୍ରୀଙ୍କ ଏଭଳି ବକ୍ତବ୍ୟ ପଛରେ ବୋଧେ ତାଙ୍କର ପିପିଲି ଟିକେଟ୍‌ ନପାଇବା କାରଣ ରହିଛି। ପିପିଲି ବିଧାନସଭା ଟିକେ୍‌ଟରୁ ବଞ୍ଚିତ ହେବା ସହିତ ଦିନକୁ ଦିନ ଦଳରେ ଅପ୍ରାସଙ୍ଗିକ ହୋଇପଡିବାରୁ ସେ ଏଭଳି ବକ୍ତବ୍ୟମାନ ରଖୁଛନ୍ତି। ଗଣମାଧ୍ୟମରେ ନିଜର ଉପସ୍ଥିତି ଜାହିର ପାଇଁ ବିଜେପି ନେତ୍ରୀ ଯେଉଁଭଳି ଭାବେ ମିଥ୍ୟା ଓ ମନଗଢା ଆରୋପ ଲଗାଉଛନ୍ତି ସେ ସଂକ୍ରାନ୍ତରେ ରାଜ୍ୟବାସୀ ବେଶ୍‍ ଭଲଭାବେ ଅବଗତ ଅଛନ୍ତି ବୋଲି ବିଜେଡି କହିଛି।

ସମ୍ବନ୍ଧିତ ଖବର