‘ସମ୍ବାଦ’ ରିପୋର୍ଟକୁ ନେଇ ତନାଘନା କଲେ ଯୋଗାଣ ମନ୍ତ୍ରୀ, ସରକାର ପାଇଲେ ୬ କୋଟି ରାଜସ୍ୱ

ଭୁବନେଶ୍ବର : ଡେରିଲେ ହେଲେ ବି ସରକାର ଚେତିଲେ। ରାଜ୍ୟରେ ଥିବା ପେଟ୍ରୋଲ୍‌ ପମ୍ପ୍‌ ଡିଲରମାନଙ୍କଠାରୁ ହାଇସ୍ପିଡ୍‌ ଡିଜେଲ୍‌ ଓ ଗ୍ରିସ୍‌ ଲାଇସେନ୍‌ସ୍‌ ନବୀକରଣ କରି ରାଜସ୍ବ ଆଦାୟ କଲେ। ହାଇସ୍ପିଡ୍‌ ଡିଜେଲ ଲାଇସେନ୍‌ସ୍‌ ନବୀକରଣ ନ ହୋଇ ପଡ଼ିରହିଥିବା ନେଇ ଗତ ୨ ତାରିଖରେ ସମ୍ବାଦରେ ଖବର ପ୍ରକାଶ ପାଇଥିଲା। ପ୍ରାୟ ବର୍ଷାଧିକ କାଳ ଅର୍ଥ ବିଭାଗ ଚିଠିକୁ ଯୋଗାଣ ବିଭାଗ ନାଲି ଫିତା ତଳେ ଚାପି ରଖିଥିଲା। ଖବର ପ୍ରକାଶ ପାଇବା ପରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ତନାଘନା କରି ତୁରନ୍ତ ଲାଇସେନ୍‌ସ୍‌ ନବୀକରଣ କରିବାକୁ ନିର୍ଦ୍ଦେଶ ଦେଲେ। ସମସ୍ତ ଜିଲ୍ଲାରେ ଥିବା ୧ ହଜାର ୫୫୭ଟି ପେଟ୍ରୋଲ୍‌ ପମ୍ପ୍‌ ଡିଲରଙ୍କ ଠାରୁ ହାଇସ୍ପିଡ୍‌ ଡିଜେଲ ଲାଇସେନ୍‌ସ୍‌ ଏବଂ ୨୫୪ଟି ଲୁବ୍ରିକାଣ୍ଟ୍‌ ଓ ଗ୍ରିସ୍‌ ଦୋକାନୀଙ୍କ ଲାଇସେନ୍‌ସ୍‌ ନବୀକରଣ ବାବଦରେ ସରକାର ମୋଟ ରାଜସ୍ବ ପାଇଛନ୍ତି ୬ କୋଟି ୭ ଲକ୍ଷ ୮୬ ହଜାର ଟଙ୍କା। ରାଜସ୍ବ ଆଦାୟ ହୋଇଥିବା ନେଇ ଯୋଗାଣ ବିଭାଗ ଯୁଗ୍ମ ଶାସନ ସଚିବ (ବିତ୍ତ) ଅର୍ଥ ବିଭାଗକୁ ଚିଠି ଲେଖି ଜଣାଇଛନ୍ତି।

ଯୋଗାଣ ବିଭାଗ ଚିଠି ଅନୁଯାୟୀ, ରାଜ୍ୟରେ ଆଇଓସିଏଲ ଲାଇସେନ୍‌ସ୍‌ ପ୍ରାପ୍ତ ୭୪୮, ଏଚପିସିଏଲ୍‌ ଡିଲର୍‌ ୩୧୩, ବିପିସିଏଲ୍‌ର ୩୯୩, ରିଲାଏନ୍‌ସ୍‌ ଓ ଅନ୍ୟାନ୍ୟ କମ୍ପାନିଙ୍କୁ ମିଶାଇ ୧୦୩ ଜଣ ଲାଇସେନ୍‌ସ୍‌ ପ୍ରାପ୍ତ ପେଟ୍ରୋଲ୍‌ ପମ୍ପ୍‌ ଡିଲର ଅଛନ୍ତି। ୨୦୦୫ରେ ଓଡ଼ିଶା ହାଇସ୍ପିଡ୍‌ ଡିଜେଲ୍‌ (ଡିଲର୍ସ୍‌ ଲାଇସେନ୍‌ସ୍‌) ଆଇନ,୧୯୭୯ଟି ସଂଶୋଧିତ ହୋଇଥିଲା। ସଂଶୋଧିତ ଆଇନ ଅନୁଯାୟୀ ହାଇସ୍ପିଡ୍ ଡିଜେଲ୍‌ ଲାଇସେନ୍‌ସ୍‌ ଫି ବାବଦରେ ୫ ହଜାର ଟଙ୍କା ଓ ନବୀକରଣ ପାଇଁ ୨ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ୧୦ ବର୍ଷରୁ ଉର୍ଦ୍ଧ୍ବ ହେଲାଣି ଏହି ଲାଇସେନ୍‌ସ୍‌ ଫି ବୃଦ୍ଧି କରାଯାଇନି। ଫି ପୁନନିର୍ଦ୍ଧାରଣ ନେଇ ଅତୀତରେ ଅର୍ଥ ବିଭାଗ ପ୍ରସ୍ତାବ ଦେଇଥିଲେ ବି ଯୋଗାଣ ବିଭାଗ ଏ ଦିଗରେ କିଛି ବି ଉଁ କି ଚୁଁ କହୁନି। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଜିଏସଟି ଲାଗୁ ହେବା ପରେ ପେଟ୍ରୋଲିୟମ୍‌ ଜାତ ଜିନିଷ ଓ ଅବକାରୀକୁ ଛାଡ଼ିଦେଲେ ସରକାରଙ୍କ ନିଜସ୍ବ ଟିକସ ଆଦାୟ ଏକ ପ୍ରକାର ସଂକୁଚିତ ହୋଇଯାଇଛି। ଏଭଳି ସ୍ଥିତିରେ ଉନ୍ନୟନ୍ନମୂଳକ କାର୍ଯ୍ୟ ଅବ୍ୟାହତ ରଖିବା ପାଇଁ ଆବଶ୍ୟକ ସମ୍ବଳ ଯୋଗାଡ଼ କରିବାରେ ଅର୍ଥ ବିଭାଗ ଚିନ୍ତାରେ ପଡ଼ିଛି। ଏଭଳି ସ୍ଥିତିରେ ରାଜସ୍ବ ଆଦାୟ ପାଇଁ ବିଭିନ୍ନ ବିଭାଗ ସହାୟତା କରିବା ପରିବର୍ତ୍ତେ ସ୍ଥାଣୁ ହୋଇ ବସିଯିବା କେତେଦୂର ଯାଥାର୍ଥ ହେଉଛି। କେବଳ ଲାଇସେନ୍‌ସ୍‌ ନବୀକରଣ କରିଦେଇ ଯୋଗାଣ ମନ୍ତ୍ରୀ ଚୁପ ବସିଲେ ହେବନି, ରାଜକୋଷ ପାଇଁ କିପରି ଅଧିକ ଆୟ ହେବ ସେ ଦିଗରେ ଯାଥାସାଧ୍ୟ ଉଦ୍ୟମ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର