ଜଟଣୀରୁ ୬ ଲକ୍ଷ, ବଲାଙ୍ଗୀରରୁ ୫ ଲକ୍ଷ ଲୁଟ୍‌

ଜଟଣୀ/ବଲାଙ୍ଗୀର : ଜଟଣୀ ପୌରପାଳିକା କାର୍ଯ୍ୟାଳୟ ଛକ ନିକଟରେ ଦିନ ଦ୍ବିପ୍ରହରରେ ପିସ୍ତଲ ଦେଖାଇ ଜଣକଠାରୁ ସାଢ଼େ ୬ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ୩ ଜଣ ଦୁର୍ବୁତ୍ତ। ଏହି ଘଟଣା ପୁଲିସ୍ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି l କିଛିଦିନ ତଳେ ଦୋକାନ ମଧ୍ୟରୁ ଜଣେ ମହିଳା କର୍ମଚାରୀଙ୍କଠାରୁ ସୁନା ଚେନ୍ ଲୁଟ୍‌ ଘଟଣା ମନରୁ ଲିଭି ନ ଥିବା ବେଳେ ଆଜି ଦିନ ସାଢ଼େ ୧୨ଟା ସମୟରେ ଜଣେ ଫାଇନାନ୍ସ କମ୍ପାନିର କର୍ମଚାରୀଙ୍କଠାରୁ ଏପରି ଲୁଟ୍‌ ପୁଲିସର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ଅନୁସାରେ ଭୁବନେଶ୍ବର ସିଏମ୍ଏସ୍ ନାମକ ଏକ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀ ମନୋରଞ୍ଜନ ପଟ୍ଟନାୟକ ଓଡି ୦୫ ଡି ୪୯୪୮ ସଂଖ୍ୟା ବିଶିଷ୍ଟ ଏକ ହୋଣ୍ଡା ୟୁନିକର୍ଣ୍ଣ ମୋଟର ସାଇକେଲ୍‌ରେ ଋଣ ଟଙ୍କା ସଂଗ୍ରହ କରି ପୌରପାଳିକା ସମ୍ମୁଖ ଛକ ହୋଇ ମୁଖ୍ୟ ରାସ୍ତା ଦିଗରେ ଯାଉଥିବାବେଳେ ଏକ ନୀଳ ରଙ୍ଗର ପଲ୍‌ସର୍ ମୋଟରସାଇକେଲ୍‌ରେ ତିନିଜଣ ଯୁବକ ପିଛା କରି ଆସି ତାଙ୍କୁ ଅଟକାଇଥିଲେ। କିଛି ବୁଝିବା ଆଗରୁ ହଠାତ୍ ଗାଡ଼ି ଚାବି ଛଡ଼ାଇ ନେବା ସହ ଷ୍ଟିଲ ରଡ୍‌ରେ ଆକ୍ରମଣ କରିଥିଲେ। ପରେ ବନ୍ଧୁକ ଦେଖାଇ ୬ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ଲୁଟି ନେଇଥିଲେ। କମ୍ପାନି ପକ୍ଷରୁ ଜଟଣୀ ଥାନାରେ ଏ ନେଇ ଏକ ଲିଖିତ ଅଭିଯୋଗ ଦିଆଯାଇଛି।

ପୁଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଲାଗିଥିବା କ୍ଲୋଜ୍‌ ସର୍କିଟ କ୍ୟାମେରାର ଫୁଟେଜ୍‌କୁ ଆଧାର କରି ଲୁଟେରାଙ୍କୁ ଧରିବା ପାଇଁ ଜୋରଦାର ଉଦ୍ୟମ ଚାଲିଥିବା ଥାନା ପକ୍ଷରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ, ବଲାଙ୍ଗୀର ଏଡିବି ବ୍ୟାଙ୍କ ସମ୍ମୁଖରୁ ଜଣେ ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ପଲସର୍‌ ବାଇକରେ ଦୁଇଜଣ ଲୁଟେରା ଆସି ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଇ ଫେରାର ମାରିଛନ୍ତି। ପୁଲିସ ଘଟଣାକୁ ନେଇ ତଦନ୍ତ ଜାରି ରଖିଛି।

ପୁଲିସ ସୂତ୍ରରୁ ପ୍ରକାଶ, କଲେଜ ଛକ ଏଡିବି ବ୍ୟାଙ୍କକୁ ବ୍ୟବସାୟୀ ସଂଜୟ ଶତପଥୀ ତିନି ଲକ୍ଷ ଟଙ୍କା ଧରି ଯାଇଥିଲେ। ସେଠାରୁ ଆଉ ଦୁଇ ଲକ୍ଷ ଟଙ୍କା ଉଠାଇଥିଲେ। ଏକ ବ୍ୟାଗରେ ୫ ଲକ୍ଷ ଟଙ୍କା ଧରି ବ୍ୟାଙ୍କରୁ ବାହାରୁଥିବା ସମୟରେ ହଠାତ୍‌ ଦୁଇ ଜଣ ଯୁବକ ପଲସର ବାଇକରେ ଆସି ବ୍ୟାଗକୁ ଛଡ଼ାଇ ଫେରାର ମାରିଥିଲେ। ଜଣେ ଲୁଟେରା ମୁଣ୍ଡରେ ହେଲମେଟ ପିନ୍ଧିଥିବା ବେଳେ ଆଉ ଜଣେ ଖୋଲା ମୁହଁରେ ରହିଥିଲା। ପଛପଟେ ବସିଥିବା ବ୍ୟକ୍ତି ହଠାତ ଛଡ଼ାଇ ନେଇ ଫେରାର ମାରିଥିଲା। ବ୍ୟବସାୟୀ ଜଣକ ପୁଲିସକୁ ଖବର କରିବା ପରେ ତୁରନ୍ତ ପୁଲିସ ପହଞ୍ଚି ବ୍ୟବସାୟୀଙ୍କୁ ସାଙ୍ଗରେ ନେଇ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। କିନ୍ତୁ ଲୁଟେରା ଫେରାର ମାରି ସାରିଥିଲେ।

ସମ୍ବନ୍ଧିତ ଖବର