ନନ୍ଦନକାନନ ପାଇଁ ୬୦୦ କୋଟି

୨୦ ବର୍ଷରେ ଖର୍ଚ୍ଚ ହେବ

କେନ୍ଦ୍ରୀୟ ଚିଡ଼ିଆଖାନା କର୍ତୃପକ୍ଷଙ୍କୁ ପ୍ରସ୍ତାବ
ନ୍ୟୁଜିଲାଣ୍ଡର ଅକଲାଣ୍ଡ ସହ ସହଭାଗିତା ଯୋଜନା
ବାଘ ଛୁଆଙ୍କ ନାମକରଣ ହେଲା ‘ଲବ ଓ କୁଶ’

ଭୁବ‌ନେଶ୍ବର/ବାରଙ୍ଗ/ ତ୍ରିଶୁଳିଆ: ନନ୍ଦନକାନନର ହେବ ନବକଳେବର। ଦୀର୍ଘମିଆଦୀ ଯୋଜନା ଭାବେ ଓଡ଼ିଶାର ଏହି ପ୍ରାଣୀ ଉଦ୍ୟାନର ବିକାଶ ଲାଗି ୨୦ ବର୍ଷ ମଧ୍ୟରେ ୬୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏନେଇ ନୀଳ ନକ୍ସା ପ୍ରସ୍ତୁତ ସରି କେନ୍ଦ୍ରୀୟ ଚିଡ଼ିଆଖାନା କର୍ତୃପକ୍ଷଙ୍କ ମଞ୍ଜୁରି ଲାଗି ପଠାଯାଇଛି। ଅର୍ଥ ମି‌ଳିଲେ ନନ୍ଦନକାନନର ବିକାଶ ଆଗକୁ ବଢ଼ିବ। ଏଥିସହ ଗଧିଆ, ବଳିଆ କୁକୁର, ଜିରାଫ, ଜେବ୍ରା, ଗଣ୍ଡା, ଆସାମୀ ମାଙ୍କଡ଼, ବିଗଟେଲ ମାଙ୍କଡ଼, ଷ୍ଟମ୍ପଟେଲ ମାଙ୍କଡ, ବବୁନ ଓ ଗିନ ଭଳି ଜୀବଜନ୍ତୁଙ୍କୁ ବାହାର ରାଜ୍ୟରୁ ଆଣିବାକୁ ଯୋଜନା ଚାଲିଛି। ନନ୍ଦନକାନନ ଓ ନ୍ୟୁଜିଲାଣ୍ଡର ଅକଲାଣ୍ଡ ଚିଡିଆଖାନା ମଧ୍ୟରେ ସହଭାଗିତା ଲାଗି ପ୍ରୟାସ ଜାରି ରହିଥିବା ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି।

ନନ୍ଦନକାନନର ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ଯେ ଏହି ପ୍ରାଣୀଉଦ୍ୟାନକୁ ବିଶ୍ବସ୍ତରୀୟ କରିବା ଲାଗି ରାଜ୍ୟ ସରକାର ଅଙ୍ଗୀକାରବଦ୍ଧ। ଗତ ୬୦ ବର୍ଷ ଭିତରେ ପ୍ରାଣୀ ଉଦ୍ୟାନର କଳେବର ବହୁତ ବଢ଼ିଛି। ଅନେକ ଅତିଥି ଆସିଛନ୍ତି। ୧୯୬୦ରେ ଯେତେବେଳେ ନନ୍ଦନଦକାନନ ପ୍ରତିଷ୍ଠା ହୋଇଥିଲା ସେତେବେଳେ ବହୁତ ଛୋଟ ଥିଲା। ମାତ୍ର ୩.୬୨ ବର୍ଗ କିଲୋମିଟର ଅଞ୍ଚଳରେ ପ୍ରତିଷ୍ଠା ହୋଇଥିବା ଏହି ପ୍ରାଣୀ ଉଦ୍ୟାନର ପରିସର ୧୦୪୩.୩୨ ହେକ୍ଟରକୁ ବୃଦ୍ଧି ପାଇଛି। ୨୦୧୯ରେ ଚନ୍ଦକା ଅଭୟାରଣ୍ୟ ପରିସୀମାର ୬୨୨ ହେକ୍ଟର ନନ୍ଦନକାନନ ସହ ଯୋଡ଼ି ହେବା ପରେ କଳେବର ବହୁ ପରିମାଣରେ ବଢ଼ିଛି। କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣର ସମସ୍ତ ନିୟମାବଳୀ ଦ୍ବାରା ପରିଚାଳିତ ହୋଇ ଏହା ବିଶ୍ବସ୍ତରୀୟ ଚିଡ଼ିଆଖାନା ଭାବେ ବିକଶିତ ହୋଇଛି। ଦେଶର ୭୨ ଚିଡ଼ିଆଖାନା ମଧ୍ୟରୁ ୧୫ଟି ମଧ୍ୟରେ ନନ୍ଦନକାନନ ସ୍ଥାନ ପାଇଛି। ବନ୍ୟପ୍ରାଣୀ, ଉଦ୍ଭିଦ ସଂରକ୍ଷଣ, ବିଜ୍ଞାନଭିତ୍ତିକ ଶିକ୍ଷା ସୁଯୋଗ ସୃଷ୍ଟି, ଲୋକଙ୍କ ମନୋରଞ୍ଜନ, ସୁନ୍ଦର ସବୁଜମୟ ସୁସ୍ଥ ପରିବେଶ ଆଜି ସାକାର ହୋଇଛି। ୧୧ଟି ବନ୍ୟପ୍ରାଣୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରାଣୀ ଉଦ୍ୟାନରେ ଆଜି ୧୫୮ ପ୍ରଜାତିର ୩ ହଜାର ୭୮୭ ବନ୍ୟପ୍ରାଣୀ ୨୧୨ ଖୁଆଡ଼ ମଧ୍ୟରେ ଅଛନ୍ତି। ବିଭିନ୍ନ ପ୍ରକାର ପଶୁ, ପକ୍ଷୀ ଓ ସରୀଶୃପଙ୍କ ଆବାସ ସ୍ଥଳୀରେ ମଧ୍ୟ ପରିଣତ ହୋଇଛି। ଏହା ପରିସରରେ ୧୩ ପ୍ରଜାତିର ସ୍ତନ୍ୟପାୟୀ, ୧୫ ପ୍ରଜାତିର ସରୀସୃପ, ୭୧ ପ୍ରଜାତିର ପକ୍ଷୀ, ୨୦ ପ୍ରଜାତିର ଉଭୟଚର, ୮୫ ପ୍ରକାର ପ୍ରଜାପତି ଓ ୨୧ ପ୍ରକାର ବୁଢ଼ିଆଣୀ ଚିହ୍ନଟ ହୋଇଛନ୍ତି। ଦେଶର ଅନ୍ୟ ଚିଡ଼ିଆଖାନା ତୁଳନାରେ ଏଠାରେ ମୃତ୍ୟୁହାର କମ୍‌ ରହିଛି।

ସେ ଆହୁରି କହିଥିଲେ ଯେ ନନ୍ଦନକାନନର ୨୭୦ରୁ ଅଧିକ ବନ୍ୟଜନ୍ତୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଛି। ଏଥିରୁ ପ୍ରାୟ ୩୦ ଲକ୍ଷ ଟଙ୍କାର ରାଜସ୍ବ ମିଳିଛି। ଚଳିତବର୍ଷ ଗଧିଆ ଖୁଆଡ଼, ନୂତନ ‌ବିଦେଶୀ ମାଙ୍କଡ ଖୁଆଡ଼ ନିର୍ମିତ ହୋଇ ଦର୍ଶକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ୩୫ କୋଟି ଟଙ୍କା ବ୍ୟୟରେ ବହୁତଳ ବିଶିଷ୍ଟ ମୋଟରଯାନ ରହଣିସ୍ଥଳ, ୫ କୋଟି ଟଙ୍କା ବ୍ୟୟରେ ଶିଶୁ ରେଳଗାଡ଼ି ପୁନରୁଦ୍ଧାର କାର୍ଯ୍ୟ ଚାଲୁରହିଛି। ୨୦ ଲକ୍ଷ ଟଙ୍କା ବ୍ୟୟରେ ପର୍ଯ୍ୟଟକଙ୍କ ପାଇଁ ନୂତନ ପ୍ରସ୍ଥାନ ପଥ, ୭୪ ଲକ୍ଷ ଟଙ୍କା ବ୍ୟୟରେ ନୂତନ ସଫାରି ବସ୍‌ଷ୍ଟାଣ୍ଡ ନିର୍ମାଣ ହୋଇଛି। ସମ୍ପୂର୍ଣ୍ଣ ନୂତନ ଓ ଆଧୁନିକ ଯନ୍ତ୍ରପାତି ସହ ପଣୁ ଚିକିତ୍ସାଳୟ, ଆ‌ଇସୋଲେସନ ଗୃହ, କ୍ବାରେଣ୍ଟାଇନ୍‌ ଗୃହ, ପରୀକ୍ଷାଗାର, ଅସ୍ତ୍ରୋପଚାର ଗୃହ ପଶୁପକ୍ଷୀଙ୍କ ସ୍ବାସ୍ଥ୍ୟ ସେବା ଲାଗି ନୂତନ ଦିଗନ୍ତ ସୃଷ୍ଟି କରିଛି। ୨୪ ଘଣ୍ଟିଆ ପ୍ରାଣୀସେବା, ପଶୁମାନଙ୍କ ଖାଦ୍ୟ ଲାଗି ଘାସଚାଷ, ଜୀବନ୍ତ ପ୍ରାଣୀ ଉତ୍ପାଦନ କେନ୍ଦ୍ର ଓ ଏକ ବଧଗୃହ ନିର୍ମିତ ହୋଇଛି।

ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ସମ୍ମାନିତ ଅତିଥିଭାବେ ଯୋଗଦେଇ ନନ୍ଦନକାନନରେ ବନ୍ଦ ରହିଥିବା ଟଏ ଟ୍ରେନ, ବ୍ୟାଟେରି ଚାଳିତ ଗାଡ଼ି, ରୋପୱେକୁ ଚାଲୁ କରିବା ସହ ନୂତନ ଜୀବଜନ୍ତୁ ଆଣିବାକୁ ଦାବି କରିଥିଲେ। ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ଅନ୍ୟତମ ଅତିଥି ଭାବେ ଯୋଗଦେଇ ନନ୍ଦନକାନନ ଛକରୁ ଉଚ୍ଛେଦ କରାଯାଇଥିବା ଦୋକନୀଙ୍କୁ ଥଇଥାନ କରିବା ଲାଗି ମନ୍ତ୍ରୀ, ସଚିବ ଓ ଅଧିକାରୀମାନେ ଯେତେଶିଘ୍ର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା କର୍ମଚାରୀମାନଙ୍କ ସେବାର ପ୍ରଶଂସା କରିଥିଲେ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟ ପ୍ରାଣୀ) ହରିଶଙ୍କର ଉପାଧ୍ୟାୟ ଯୋଗଦେଇ ଓୟୁଏଟିରେ ବନ୍ୟପ୍ରାଣୀ ସ୍ବସ୍ଥ୍ୟ ଉପରେ ପୋଷ୍ଟ ଗ୍ରାଜୁଏଟ୍‌ ଶିକ୍ଷା ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲେ। ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲ୍‌ ବିବରଣୀ ପାଠ କରିଥିବା ବେଳେ ଉପ ନି‌ର୍ଦ୍ଦେଶକ ବିମଳ ପ୍ରସାଦ ଆଚାର୍ଯ୍ୟ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ମନ୍ତ୍ରୀଙ୍କ ଦ୍ବାରା ନବନିର୍ମିତ ସଫାରି ବସଷ୍ଟାଣ୍ଡ, ପର୍ଯ୍ୟଟକ ସୁବିଧା କେନ୍ଦ୍ର ଉଦଘାଟନ କରାଯାଇଥିଲା। ଧଳା ବାଘୁଣୀ ସ୍ନେହା ଓ ମହାବଳ ସେଫ୍‌ର ମିଳନରୁ ଜନ୍ମିତ ସାଧାରଣ ନାଲି ରଙ୍ଗର ବାଘ ଛୁଆଙ୍କ ନାମ ‘ଲବ ଓ କୁଶ’ ବୋଲି ଘୋଷଣା ହୋଇଥିଲା। ନନ୍ଦନକାନନର ବାର୍ଷିକ ବିବରଣୀ ୨୦୧୯-୨୦, ନୂଆ କ୍ୟାଲେଣ୍ଡର ଓ ନୂତନ ବ୍ରୋସିଅର୍‌କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ପ୍ରାଣୀ ଉଦ୍ୟାନରେ ଉତ୍କୃଷ୍ଟ ସେବା ପାଇଁ ଛେତ ଭୋଇ, ଦ୍ରୌପଦୀ ସିଂ, ପୂର୍ଣ୍ଣେନ୍ଦ୍ର ସାହୁ, ବିମ୍ବାଧର ରାଉତଙ୍କ ସମେତ ୧୬ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

୮ ଧଳାବାଘ, ୨୦ ସମ୍ବରକୁ ‌ପୋଷ୍ୟ ଭାବେ ଗ୍ରହଣ କଲା ଷ୍ଟେଟ୍‌ ବ୍ୟାଙ୍କ
ଭୁବନେଶ୍ବର : ନନ୍ଦନକାନନର ୬୧ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ୮ଟି ଧଳା ବାଘ ଓ ୨୦ଟି ସମ୍ବରକୁ ଏକ ବର୍ଷ ପାଇଁ ପୋଷ୍ୟ ଭାବେ ଗ୍ରହଣ କରିବା ଲାଗି ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ରୁମା ଦେ ଓ ମହାପ୍ରବନ୍ଧକ ସି ଏଲ୍‌ ଏନ୍ ଚାରିୟୁଲୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର