ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବା ପାଇଁ ୬୦୦ କୋଟି ଟଙ୍କାର ବ୍ୟୟବରାଦ: ଜଙ୍ଗଲ ମନ୍ତ୍ରୀ

ଅଗାମୀ ୨୦ ବର୍ଷ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ, ଜୟପୁର-ମିଜୋରାମରୁ ଆସିବେ ନୂଆ ଜନ୍ତୁ

ଭୁବନେଶ୍ୱର/ବାରଙ୍ଗ: ବିଗତ ୬୦ ବର୍ଷ ମଧ୍ୟରେ ନନ୍ଦନକାନନର ନବକଳେବର ହୋଇଛି। ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଛି। ୨୦୨୦ ମାର୍ଚ୍ଚ ୧୫ ସୁଦ୍ଧା ୨୬ ଲକ୍ଷ ୫୦ ହଜାର ପର୍ଯ୍ୟଟକ ଆସିଛନ୍ତି। ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବବେଶ ମନ୍ତ୍ରୀ ବିକ୍ରମ କେଶରୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଏହା କହିଛନ୍ତି। ସେ କହିଛନ୍ତି ଯେ, ନନ୍ଦନକାନନର ଅନେକ ବିକାଶ ହୋଇଛି। ଏହି ପ୍ରାଣୀ ଉଦ୍ୟାନ ଓଡ଼ିଶା ତଥା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହାର ବିକାଶ ପାଇଁ ଆହୁରି ଅନେକ କାମ ଜାରି ରହିଛି।

ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ଯେ, ଭାରତର ୧୦ଟି ଜଣାଶୁଣା ଚିଡିଆଖାନାକୁ ବିଶ୍ୱସ୍ତରୀୟ କରିବା ପାଇଁ ଉଦ୍ୟମ ଚାଲିଛି। ଏହି ତାଲିକାରେ ନନ୍ଦନକାନନ ମଧ୍ୟ ସାମିଲ ରହିଛି। ଏଥି ପାଇଁ ୬୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ଆଗାମୀ ୨୦ ବର୍ଷ ମଧ୍ୟରେ ନନ୍ଦନକାନନର ଆହୁରି ବିକାଶ ହେବ ବୋଲି ସେ କହିଛନ୍ତି।

ଏଠାରେ ୧୫୭ ପ୍ରଜାତିର ୩୭୦୦ରୁ ୩୮୦୦ ଜୀବଜନ୍ତୁ ଅଛନ୍ତି। ଚଳିତ ବର୍ଷ ନନ୍ଦନକାନନକୁ ୨୫ ପ୍ରକାର ନୂଆ ଜନ୍ତୁ ଅଣାଯାଇଛି। ଆସନ୍ତା ବର୍ଷ ଜୟପୁର ଓ ମିଜୋରାମରୁ ନୂଆ ଜନ୍ତୁ ଅଣାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି।

ବାର୍ଷିକ ସମାରୋହ ଅବସରରେ ସଫାରି ବସ୍‌ଷ୍ଟାଣ୍ଡ ଓ ପର୍ଯ୍ୟଟକ ସୁବିଧା କେନ୍ଦ୍ର ଉଦ୍‌ଘାଟନ ହୋଇଥିଲା। ସେହିଭଳି ଗତ ଜାନୁଆରି ୯ ତାରିଖରେ ଜନ୍ମନେଇଥିବା ୨ଟି ବାଘ ଛୁଆ (ଲବ ଓ କୁଶ)ର ନାମ ଘୋଷଣା କରାଯାଇଥିଲା। ଏଥି ସହିତ ବାର୍ଷିକ ପୁସ୍ତକ, କ୍ୟାଲେଣ୍ଡର ଓ ଡୋଜିଅର ଉନ୍ମୋଚନ ହେଲା।

କାର୍ଯ୍ୟକ୍ରମରେ (ପିସିସିଏଫ) ପ୍ରଧାନ ମୁଖ୍ୟ ବନ୍ୟ ପ୍ରାଣୀ ସଂରକ୍ଷକ ହରିଶଙ୍କର ଉପାଧ୍ୟାୟ, ନନ୍ଦନକାନନ ନିର୍ଦ୍ଦେଶକ ଶଶୀ ପାଲ, ଜଟଣୀ ବିଧାୟକ ସୁର ରାଉତରାୟ ଓ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିର୍ଦେଶକ ଶଶୀ ପାଲଙ୍କ କହିବାନୁଯାୟୀ, ମଲ୍ଟି ଲେୟାର ପାର୍କିଂର ସମସ୍ତ କାର୍ଯ୍ୟ ଶେଷ ହୋଇଛି। ବିଲଡିଂ କାମ ସରିଥିବା ବେଳେ ଏବେ ବାହାର ପରିବେଶର ସୌନ୍ଦର୍ଯ୍ୟୀକରଣ ଚାଲିଛି। ଏହା ସରିବାକୁ ଆହୁରି ମାସେ ସମୟ ଲାଗିଯିବ। ୨୦୨୧ ସୁଦ୍ଧା ପ୍ରାଣୀ ଉଦ୍ୟାନକୁ ନୂଆ ରୂପ ଦେବାକୁ ଯୋଜନା ଚାଲିଛି।

ସମ୍ବନ୍ଧିତ ଖବର