ରାୟଗଡା: ଚୋରମାନେ ରାୟଗଡା ସହରସ୍ଥିତ ଦୁଇଟି ମନ୍ଦିରର ଦାନବାକ୍ସ ଲୁଟି ନେଇଛନ୍ତି। ପୁଣି ଚୋରି, ରାହାଜାନି ରାୟଗଡା ସହରରେ ସକ୍ରିୟ ହେଉଛି। ଚୋରମାନଙ୍କ ନଜର ଏବେ ମନ୍ଦିର ଦାନବାକ୍ସ ଉପରେ। ସହରର ମନ୍ଦିରଗୁଡିକରେ ରହିଥିବା ଦାନ ବାକ୍ସରେ ହଜାର ହଜାର ଟଙ୍କା ଦାନ ମିଳୁଥିବା ଜାଣିବା ପରେ ଚୋରମାନେ ସହଜରେ ଦାନବାକ୍ସକୁ ଟାର୍ଗେଟ କରୁଛନ୍ତି। ବିଳମ୍ବିତ ରାତିରେ ପ୍ରଥମ ଚୋରି ଘଟଣା ଆରକ୍ଷୀ ଅଧିକ୍ଷକଙ୍କ ବାସଭବନ ସମ୍ମୁଖରେ ଥିବା କାଳୀ ମନ୍ଦିରରେ ହୋଇଥିଲା। ମନ୍ଦିରର ମୁଖ ଫାଟକ ଭାଙ୍ଗି ପ୍ରାଙ୍ଗଣରେ ଥିବା ଦାନବାକ୍ସ ଭାଙ୍ଗି ଆନୁମାନିକ ୬୦ ହଜାର ଲୁଟ କରିଥିବା ଅଭିଯୋଗ କରିଥିଲେ ମନ୍ଦିରର ଟ୍ରଷ୍ଟି ସଦସ୍ୟ।ମନ୍ଦିର ସମ୍ମୁଖରେ ଚାରୋଟି ସିସି ଟିଭି କ୍ୟାମେରା ଲାଗିଛି।
କଡ଼ାସୁରକ୍ଷା ମଧ୍ୟରେ ରହିଥିବା ଏହି ଅଂଚଳରେ ଚୋରମାନେ ଚୋରି କରି ନେଇ ଗଲେ ହୁଣ୍ଡିର ସବୁତକ ଟଙ୍କା। ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ଦ୍ଵିତୀୟ ଚୋରୀ ଘଟଣାରେ ଶୁକ୍ରବାର ବିଳମ୍ୱିତ ରାତିରେ ଗୌତମ ନଗରସ୍ଥିତ ଶିବ ମନ୍ଦିରର ପାର୍ଶ୍ଵ କବାଟର ତାଲା ତାଡି ମୁଖ୍ୟ ସ୍ଥାୟୀ ହୁଣ୍ଡି ସିମେଣ୍ଟ କଂକ୍ରିଟ ହେଇଥିବାରୁ ହୁଣ୍ଡିକୁ ଭାଙ୍ଗିବାକୁ ଚେଷ୍ଠା କରି ବିଫଳ ହୋଇ ସାନ ଅସ୍ଥାୟୀ ହୁଣ୍ଡିକୁ ମନ୍ଦିରର ପଛ ପଟକୁ ନେଇ ଯାଇ ସେଠାରେ ସାନ ହୁଣ୍ଡି ତାଡି ଟଙ୍କା ଲୁଟି ନେଇଥିଲେ। ଆନୁମାନିକ ତିନି ମାସ ତଳେ ଉକ୍ତ ଶିବ ମନ୍ଦିରର ସାନ ହୁଣ୍ଡି ଭାଙ୍ଗି ଚୋରମାନେ ସବୁ ଟଙ୍କା ନେବାରେ ସଫଳ ହେଇ ଥିଲେ। ପୁଣି ସେହି ଦାନବାକ୍ସ ଦ୍ଵିତୀୟ ଥର ଲୁଟ କରି ନେଇଛନ୍ତି। ଶିବ ମନ୍ଦିରର ସଦସ୍ୟମାନେ ପୁଲିସକୁ ଖବର ଦେବାକୁ ଚାହୁଁନାହାନ୍ତି।
ପୁଲିସର ବିଫଳତାକୁ ଜନ ଅସନ୍ତୋଷ ଦେଖା ବଢୁଛି। ଚୋରମାନେ ପୁଲିସକୁ ଚ୍ୟାଲେଞ୍ଜ କରି ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ଚୋରି କରୁଛନ୍ତି। ଗତ କିଛି ଦିନ ହେଲା ପୁଲିସ ଦିନରାତି ଏକ କରି ସହରରେ ପଇଁତରା ମାରିବା ସହ ରାସ୍ତା ଘାଟରେ ମଦ ପିଉଥିବା ଲୋକଙ୍କୁ ସାବାଡ କରିଛି। ପୁଣି ଗତ ଦୁଇ ଦିନ ତଳେ ହୋଟେଲଗୁଡିକରେ ମଧ୍ୟ ଚଢାଉ କରାଯାଇଥିଲା। ଲଗାତାର ପୁଲିସ ଚୋରକୁ କାବୁ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ପୁଲିସର ଆଖିରେ ଧୂଳି ଦେଇ ଚୋର ଚୋରି କରିବାରେ ସଫଳ ହେଉଛି। ଲୋକଙ୍କ ଧନ ସଂପତ୍ତି ଆଉ ସୁରକ୍ଷିତ ନଥିବା ସାଧାରଣରେ ଆଲୋଚନା ଜୋର ଧରିଛି। ସହରରେ ଚୋରି ରୋକିବାକୁ ପୁଲିସର କଡା ପଦକ୍ଷେପ ନେବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି।