ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ଖର୍ଚ୍ଚ ହେବ ୬୧.୭୩କୋଟି, ପ୍ରଶାସନିକ ଅନୁମତି ମାଗିଲା ପୂର୍ତ୍ତ ବିଭାଗ

ଭୁବନେଶ୍ବର : ଉତ୍କଳମଣି ଗୋପବନ୍ଧୁଙ୍କ କର୍ମଭୂମି ସତ୍ୟବାଦୀରେ ନିର୍ମାଣ ହେବାକୁ ଥିବା ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ୬୧.୭୩କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଓବିସିସି ଆକଳନ କରିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଏହି ବିଶ୍ବବିଦ୍ୟାଳୟ ଆସୁଥିବାରୁ ଏହାର ଖର୍ଚ୍ଚ ଆକଳନକୁ ପ୍ରଶାସନିକ ଅନୁମୋଦନ ଦେବାକୁ ପୂର୍ତ୍ତ ବିଭାଗ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଛି। ଏହି ପ୍ରକଳ୍ପକୁ ପ୍ରଶାସନିକ ଅନୁମତି ମିଳିବା ପରେ ହିଁ କାମ ଆରମ୍ଭ ହେବ ବୋଲି କୁହାଯାଇଛି।

ଦୀର୍ଘ ବର୍ଷ ହେଲା ଏହି ବିଶ୍ବବିଦ୍ୟାଳୟ ନିର୍ମାଣ ପାଇଁ ଯୋଜନା ହେଉଥିବାବେଳେ ଏବେ ଏହାର ନିର୍ମାଣ କାମ ଆରମ୍ଭ ହେବାର ଆଶା ଦେଖାଦେଇଛି। କିନ୍ତୁ ଏହାକୁ ଦୁଇଟି ପର୍ଯ୍ୟାୟରେ ନିର୍ମାଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୩୯.୮୧କୋଟି ଟଙ୍କା, ଦ୍ବିତୀୟ ପର୍ଯ୍ୟାୟରେ ୨୧.୯୨କୋଟି ଖର୍ଚ୍ଚ ହେବ। ଏବେ ଏହି ବିଶ୍ବବିଦ୍ୟାଳୟ ପାଇଁ ୧୦ଏକର ଜମି ଅଧିଗ୍ରହଣ ହୋଇଥିବାରୁ ଏଠାରେ ଏବେ ପ୍ରଥମ ପର୍ଯ୍ୟାୟ କାମ ହେବ। ଏଥିରେ ୫ଟି ସ୍କୁଲ ଅଫ୍ ଲର୍ଣ୍ଣିଂ, ପ୍ରଶାସନିକ ଭବନ, ଅଡିଟୋରିୟମ ଏବଂ ୧୬୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ହେବ। ଏହି କାମ ଶେଷ ହେବା ପରେ ଦ୍ବିତୀୟ ପର୍ଯ୍ୟାୟରେ ଏହାର ସମ୍ପ୍ରସାରଣ ହେବ।

ସୂଚନାଯୋଗ୍ୟ ଯେ, ବନ ବିଦ୍ୟାଳୟ ଢାଞ୍ଚାରେ ନିର୍ମାଣ ହେବାକୁ ଥିବା ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ଜୁଲାଇ ୨୭, ୨୦୧୮ରେ ଐତିହ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଥିଲା। ଏହାର ତିନି ମାସ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରିଥିଲେ। ହେଲେ ତିନି ବର୍ଷ ଭିତରେ ଏଥିପାଇଁ ଇଟା ଖଣ୍ଡେ ବି ପଡ଼ିପାରିନି। ଅପରପକ୍ଷେ ରାଜ୍ୟ ସରକାର ଚଳିତବର୍ଷ ବଜେଟ୍‌ରେ ୧୦କୋଟି ଟଙ୍କା ବରାଦ କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଗତ ଫେବ୍ରୁଆରି ୨୪ ତାରିଖରେ ଏହାର ଡିଜାଇନ୍‌କୁ ଅନୁମୋଦନ କରିଛନ୍ତି। ଏବେ ଖର୍ଚ୍ଚ ଆକଳନ ପ୍ରସ୍ତୁତ ହୋଇସାରିଥିବାରୁ ଏହାର ନିର୍ମାଣ ନେଇ ଆଶା ଉଜ୍ଜୀବିତ ହୋଇଛି।

ଓଡ଼ିଆ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଓଡ଼ିଆ, ଭାଷା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ଗବେଷଣା କରିବା ଭଳି ପାଠ୍ୟକ୍ରମ ରହିବ।

ସମ୍ବନ୍ଧିତ ଖବର