ସିଏଜି ସ୍ୱତନ୍ତ୍ର: ବକ୍ସାଇଟ୍ ମୂଲ୍ୟ ନିର୍ଧାରଣରେ ତ୍ରୁଟି ପାଇଁ ୬୧ କୋଟି କ୍ଷତି
ନିରାପତ୍ତା ସେବା ପାଇଁ ୫.୩୧ କୋଟି ଅତିରିକ୍ତ ବ୍ୟୟ
ଭୁବନେଶ୍ବର : ଓଡ଼ିଶା ଖଣିଜ ନିଗମ ବକ୍ସାଇଟ୍ ମୂଲ୍ୟର ସଠିକ୍ ନିର୍ଧାରଣ କରିପାରିନଥିବାରୁ ୬୧.୦୬ କୋଟି ଟଙ୍କାର ରାଜସ୍ବ କ୍ଷତି ହୋଇଥିଲା ବୋଲି ସିଏଜି ଜଣାଇଛନ୍ତି। କଂପାନି ପାଖରେ କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ବକ୍ସାଇଟ୍ ଖଣି ରହିଛି। ତିନିଟି ଇ-ନିଲାମ ପାଇଁ ଓଏମ୍ସି ବକ୍ସାଇଟ୍ର ସର୍ବନିମ୍ନ ମୂଲ୍ୟ ଟନ୍ ପିଛା ଯଥାକ୍ରମେ ୪୬୨ ଟଙ୍କା, ୫୪୭ ଟଙ୍କା ୫୦ ପଇସା ଓ ୬୭୨ ଟଙ୍କା ୬୫ ପଇଓା ନିର୍ଧାରଣ କରଥିଲା। ନିଲାମ ପରବର୍ତୀ ମୂଲ୍ୟ ଟନ୍ ପିଛା ଯଥାକ୍ରମେ ୪୬୫ ଟଙ୍କା, ୫୫୩ ଟଙ୍କା ଓ ୬୭୩ ଟଙ୍କା ହୋଇଥିଲା। ଏହି ତିନି ନିଲାମରେ ୩୧,୮୬,୨୨୭ ଟନ୍ ବକ୍ସାଇଟ୍ ବିକ୍ରି ହୋଇଥିଲା। ସମୀକ୍ଷାରୁ ଜଣାପଡ଼ିଥିଲା ଯେ ଓଏମ୍ସି ସଠିକ୍ ଭାବେ ହିସାବ କରିବାରେ ବିଫଳ ହୋଇଥିବାରୁ ମୂଲ୍ୟ ନିର୍ଧାରଣ କମ୍ ହୋଇଯାଇଥିଲା।
ବାର୍ଷିକ ଆର୍ମୋର୍ଟାଇଜେସନ୍ ଖର୍ଚ୍ଚ ବକ୍ସାଇଟ୍ ଉତ୍ପାଦନ ଖର୍ଚର ଏକ ଉପାଦାନ। ଖଣି ଯୋଜନା ଅନୁସାରେ ଏକ ଖଣିର ଜୀବନକାଳ ୨୧ ବର୍ଷ ଥିଲା। କିନ୍ତୁ ବକ୍ସାଇଟ୍ ମୂଲ୍ୟ ନିର୍ଧାରଣ ବେଳେ ତାହାକୁ ୫୦ ବର୍ଷ ବିଚାର କରାଯିବାରୁ କମ୍ କମ୍ ହୋଇଯାଇଥିଲା। ବକ୍ସାଇଟ୍ ଉତ୍ପାଦନ ମୂଲ୍ୟ ଚୂଡ଼ାନ୍ତ କରିବା ସମୟରେ ଓଏମ୍ସି ଖୋଦିତ ଖଣି ଅଞ୍ଚଳ ପୂରଣ କରିବାର ଖର୍ଚ ଓ ବିନିଯୁକ୍ତ ପୁଞ୍ଜି ଉପରେ ସୁଧ ବିଚାରକୁ ନେଇନଥିଲା। ଏସ୍ଡିଏଫ୍ ଖର୍ଚ୍ଚକୁ ପ୍ରଥମ ଓ ଦ୍ବିତୀୟ ନିଲାମ ବେଳେ ବିଚାରକୁ ନିଆଯାଇନଥିଲା। ଏହି ସବୁ ବିଷୟ ବିଚାରକୁ ନେବା ପରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ନିଲାମ ପାଇଁ ବକ୍ସାଇଟ୍ ମୂଲ୍ୟ ଯଥାକ୍ରମେ ୫୬୩ ଟଙ୍କା ୧୩ ପଇସା, ୭୭୮ ଟଙ୍କା ୩୩ ପଇସା ଓ ୮୬୭ ଟଙ୍କା ୬୭ ପଇସା ହେବାର ଥିଲା। ଓଏମ୍ସି ଏହାର ଖଣି ଓ କାର୍ଯ୍ୟାଳୟରେ ନିରାପତ୍ତା କର୍ମଚାରୀ ନିଯୁକ୍ତ କରିବା ଲାଗି ୨୦୧୫ରେ ଟେଣ୍ଡର ଆହ୍ବାନ କରିଥିଲା। ୧୩ଟି ଘରୋଇ ନିରାପତା ସଂସ୍ଥା ଟେଣ୍ଡର ଦାଖଲ କରିଥିଲେ।
ବମ୍ବେ ଇଣ୍ଟେଲିଜେନ୍ସ ସିକ୍ୟୁରିଟି ଭାରତ ଲିମିଟେଡ୍ ଟେଣ୍ଡର ଜିତିଥିଲା। ଅନ୍ୟ ଦୁଇ ସଂସ୍ଥା ସିକ୍ୟୁରିଟି ସଲ୍ୟୁସନ୍ସ ସର୍ଭିସେସ୍ ଓ କଳିଙ୍ଗ ୱରିୟର୍ସ ସିକ୍ୟୁରିଟି ସର୍ଭିସେସ୍ ମଧ୍ୟ କାମ କରିବାକୁ ରାଜି ହୋଇଥିଲେ। ତେଣୁ ଓଏମ୍ସି ସମୁଦାୟ କାର୍ଯ୍ୟକୁ ଏହି ତିନି ସଂସ୍ଥା ମଧ୍ୟରେ ବାଣ୍ଟି ଦେଇଥିଲା। ସିକ୍ୟୁରିଟି ସଲ୍ୟୁସନ୍ସ ସର୍ଭିସେସ୍ ସେବା ପ୍ରଦାନ କରିବାରେ ବିଫଳ ହୋଇଥିଲା, ଫଳରେ ଅନ୍ୟ ଏକ ସଂସ୍ଥାକୁ ସେହି କାମ ଦିଆଯାଇଥିଲା। ନିୟମ ଅନୁସାରେ ମଜୁରି ହିସାବ ବେଳେ ସାପ୍ତାହିକ ଗୋଟିଏ ଦିନର ବିଶ୍ରାମ ବିଚାରକୁ ନେଇ ୨୬ ଦିନରେ ଭାଗ କରି ମଜୁରି ନିର୍ଧାରଣ କରାଯାଏ। ଓଏମ୍ସି କିନ୍ତୁ ୩୦.୪୨ ଦିନ ପାଇଁ ମଜୁରି ଦେଉଥିଲା। ଫଳରେ ୩.୩୪ କୋଟି ଟଙ୍କା ଅଧିକ ବ୍ୟୟ ହୋଇଥିଲା। ଛୁଟି ଦରମାର ଅନୁପଯୁକ୍ତ ଗଣନା ଓ ସାପ୍ତାହିକ ବିଶ୍ରାମ ଦିବସ ପାଇଁ ମଜୁରି ପ୍ରଦାନ କରିବା ଫଳରେ ନିରାପତା ଦେୟ ବାବଦକୁ ୫.୫୧ କୋଟି ଟଙ୍କା ଅତିରିକ୍ତ ବ୍ୟୟ ହୋଇଥିଲା।