ଅର୍ଥ ଲଗାଣକାରୀ ସ୍ପନ୍ଦନା ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କ ନିକଟରୁ ୬୩ ହଜାର ଟଙ୍କା ଡକାୟତି

ଡାବୁଗାଁ : ଡାବୁଗାଁ ଥାନା ଅନ୍ତର୍ଗତ ଜାନି ଗୁଡ଼ା ଗ୍ରାମ ନିକଟରେ ଆଜି ଦିନ ଦୁଇଟା ସମୟରେ ସ୍ପନ୍ଦନା ମାଇକ୍ରୋ ଫାଇନାନ୍‌ସର ଜଣେ କର୍ମଚାରୀ ବିଭିନ୍ନ ଗ୍ରାମରୁ ଗ୍ରାହକଙ୍କ ନିକଟରୁ ଆଦାୟ କରି ଆଣିଥିବା ୬୩ ହଜାର ଟଙ୍କା ସହ ମୋବାଇଲ ଡକାୟତ ହୋଇଛି। ତିନି ଜଣ ଦୁର୍ବୃତ୍ତ ଏକ ପଲ୍‌ସର ବାଇକ୍‌ରେ ଆସି କର୍ମଚାରୀ ଧରି ଥିବା ବ୍ୟାଗରୁ ୬୩ ହଜାର ଟଙ୍କା ଝାମ୍ପି ନେବା ସହ କର୍ମଚାରୀ ଜଣକର ମୋବାଇଲ ମଧ୍ୟ ଛଡାଇ ନେଇଛନ୍ତି। ଏ ନେଇ ମାଇକ୍ରୋ ଫାଇନାନ୍‌ସ କର୍ମଚାରୀ ଆଜି ସନ୍ଧ୍ୟାରେ ଡାବୁଗାଁ ଥାନାରେ ଏତଲା ଦେବା ପରେ ଡାବୁଗାଁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ସୂଚନା ଅନୁଯାୟୀ ନବରଙ୍ଗପୁରରେ କାର୍ଯ୍ୟ କରୁଥିବା ଅର୍ଥଲଗାଣକାରୀ ମାଇକ୍ରୋ ଫାଇନାନ୍‌ସର ଜଣେ କର୍ମଚାରୀ ଦିବାକର ଦୁରିଆ (୨୭) ଆଜି ସକାଳେ ଅର୍ଥ ଆଦାୟ କରିବା ନିମନ୍ତେ ଏକୁଟିଆ ଏକ ବାଇକ ଯୋଗେ ଆସି ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ କାଳିଆଗୁଡ଼ା, ସୁନା ଡଙ୍ଗରି, ବିଷମ ପଦର, କାଙ୍ଗ ମାଝିଗୁଡ଼ା ଓ ଡାବୁଗାଁ ଥାନା ଅନ୍ତର୍ଗତ ଜାନି ଗୁଡ଼ା ଗ୍ରାମର ବିଭିନ୍ନ ଗ୍ରୁପ୍‌ ନିକଟରୁ ୬୩ ହଜାର ଟଙ୍କା ଆଦାୟ କରି ଦିନ ଦୁଇଟାରେ ନବରଙ୍ଗପୁର ଫେରିବା ସମୟରେ ଜାନିଗୁଡ଼ା ଗ୍ରାମ ଠାରୁ ୫୦୦ ମିଟର ଦୂରରେ ଏକ ବାଇକ୍‌ରେ ୩ ଜଣ ଦୁର୍ବୃତ ଆସି ଦିବାକର ଦୁରିଆକୁ ମାଡ଼ ମାରିବା ସହ ଆଦାୟ କରି ରଖିଥିବା ଟଙ୍କା ବେଗ, ମୋବାଇଲ ଓ ମନିପର୍ଷ ନେଇ ଚାଲି ଯାଇଥିଲେ। ଦିବାକର ତୁରନ୍ତ ଏ ନେଇ ନବରଙ୍ଗପୁର ମାଇକ୍ରୋ ଫାଇନାନ୍‌ସ ବ୍ରାଞ୍ଚରେ ସେହି ଜାନିଗୁଡ଼ା ଗ୍ରାମର ଜଣକ ମୋବାଇଲ ମାଗି ଫୋନରେ ଡକାୟତି ହୋଇଥିବା ନେଇ ସୂଚନା ଦେଇଥିଲା। ଏହା ପରେ ଉକ୍ତ ଅର୍ଥଲଗାଣକାରୀ ସଂସ୍ଥାର ଏରିଆ ମ୍ୟାନେଜର ସହ ଅନ୍ୟ କର୍ମଚାରୀ ଆସି ଦିବାକରକୁ ଜାନିଗୁଡ଼ା ଗ୍ରାମରୁ ଉଦ୍ଧାର କରି ନେଇଥିଲେ। ଡକାୟତି ସମ୍ବନ୍ଧରେ ଆଜି ସନ୍ଧ୍ୟାରେ ଡାବୁଗାଁ ଥାନାରେ ଦିବାକର ଦୁରିଆ ଏତଲା ଦେଇଥିଲା।। ଏତଲାକୁ ଭିତ୍ତିକରି ଡାବୁଗାଁ ପୁଲିସ ଏସଆଇ ଫକିର ମୋହନ ଖୁରା କେଶ୍‌ ନ ୯୫/୧୯ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।

ସୂଚନା ଥାଉକି ଏଥି ପୂର୍ବରୁ ମଧ୍ୟ ଡାବୁଗାଁ ଥାନା ଅଂଚଳରେ ଅର୍ଥ ଲଗାଣ କାରି ଏହି ମାଇକ୍ରୋ ଫାଇନାନ୍‌ସର ଏକ କର୍ମଚାରୀ ନିକଟରୁ ସମାନ ଏହି ଉପାୟରେ ରାସ୍ତା ଉପରେ ଦିନବେଳା ଆଦାୟ କରି ଆଣିଥିବା ୫୦ ହଜାରରୁ ଉର୍ଦ୍ଧ ଟଙ୍କା ଦୁର୍ବୃତ୍ତମାନେ ଏକ ବାଇକ୍‌ରେ ଆସି ଝାଂମ୍ପି ନେଇଥିଲେ ଏବଂ ଏ ନେଇ ଡାବୁଗାଁ ଥାନାରେ ଏକ ମାମଲା ରୁଜୁ ହୋଇଛି। ତେବେ ବାରମ୍ବାର ଏପରି ଡକାୟତ ହେଉଥିଲେ ସୁଦ୍ଧା ଉକ୍ତ ବେସରକାରୀ ମାଇକ୍ରୋ ଫାଇନାନ୍‌ସ ଅର୍ଥ ଲଗାଣକାରୀ ସଂସ୍ଥା କିପରି ସତର୍କତା ଅବଲମ୍ବନ କରୁ ନାହଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ଜଣେ କର୍ମଚାରୀଙ୍କୁ ରାତି ଅଧିଆ ପର୍ଯ୍ୟନ୍ତ ବିଭିନ୍ନ ଗ୍ରୁପରୁ ଅର୍ଥ ଆଦାୟ କରି ନେବା ପାଇଁ ସଂସ୍ଥା ତରଫରୁ କିପରି ଅନୁମତି ଦିଆଯାଇଛି ତାହା ବର୍ତମାନ ସନ୍ଦେହ ଘେରରେ ରହିଛି।

ସମ୍ବନ୍ଧିତ ଖବର